AIFF-ISL clash: ଛିଡ଼ୁନି ଏଆଇଏଫ୍ଏଫ୍- ଆଇଏସ୍ଏଲ୍ କଳି: ଶୋଚନୀୟ ସ୍ଥିତିରେ ଭାରତୀୟ ଫୁଟ୍ବଲ୍, ଚିନ୍ତାରେ ପ୍ରଶଂସକ
ଚର୍ଚ୍ଚା ହୁଏ ମହାନ ଫୁଟବଲର୍ ଲିଓନେଲ ମେସିଙ୍କ ଭାରତ ଗସ୍ତ ଲାଗି ଖର୍ଚ୍ଚ ହୋଇଛି ୨୫୦ କୋଟି ଟଙ୍କା। ବିଡ଼ମ୍ବନାର ବିଷୟ ଯେ ଭାରତୀୟ ଫୁଟବଲର୍ମାନେ ଗୋଟିଏ ଗୋଟିଏ ଟଙ୍କା ପାଇଁ ସଂଘର୍ଷ କରୁଛନ୍ତି।

ଭୁବନେଶ୍ବର: ଚର୍ଚ୍ଚା ହୁଏ ମହାନ ଫୁଟବଲର୍ ଲିଓନେଲ ମେସିଙ୍କ ଭାରତ ଗସ୍ତ ଲାଗି ଖର୍ଚ୍ଚ ହୋଇଛି ୨୫୦ କୋଟି ଟଙ୍କା। ବିଡ଼ମ୍ବନାର ବିଷୟ ଯେ ଭାରତୀୟ ଫୁଟବଲର୍ମାନେ ଗୋଟିଏ ଗୋଟିଏ ଟଙ୍କା ପାଇଁ ସଂଘର୍ଷ କରୁଛନ୍ତି। ପୁରୁଷ ସହ ମହିଳା ଅନ୍ତର୍ଜାତୀୟ ଫୁଟବଲର୍ମାନେ ଘୋର ଆର୍ଥିକ ଅନଟନ ଦେଇ ଗତି କରୁଥିବାର ଦୃଶ୍ୟ ଭାରତରେ ଯେମିତି ଏକ ସାଧାରଣ ଘଟଣା। ଖେଳାଳିଙ୍କ ଦୁଃସ୍ଥ ଅବସ୍ଥା ସହ ଭାରତୀୟ ଫୁଟବଲ୍ର ସ୍ଥିତି ମଧ୍ୟ ଶୋଚନୀୟ। ଯାହା ଭାରତୀୟ ମହିଳା ଓ ପୁରୁଷ ଫୁଟବଲ୍ ଦଳର ବିଶ୍ବ ମାନ୍ୟତାରୁ ସ୍ପଷ୍ଟ ହୁଏ। ଭାରତୀୟ ପୁରୁଷ ଦଳ ଏବେ ବିଶ୍ବମାନ୍ୟତାର ୧୪୨ତମ ସ୍ଥାନରେ ରହିଛି। ମହିଳା ଦଳ ସାମାନ୍ୟ ଭଲ ଅର୍ଥାତ୍ ୬୭ତମ ସ୍ଥାନରେ ଅଛି। ତା’ ସହ ଭାରତୀୟ ଫୁଟବଲ୍ର ପରିଚାଳନାଗତ ରାଜନୀତି ବି ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘର ସଭାପତି କଲ୍ୟାଣ ଚୌବେ ଜଣେ ବିଜେପି ନେତା ହୋଇଥିବାରୁ ଭାରତୀୟ ଫୁଟବଲର ବିଜେପୀକରଣ ହୋଇଯାଇଥିବାର ଅଭିଯୋଗ ମଧ୍ୟ ଅନେକ ସମୟରେ ହେଉଛି।
ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍) ସହ ଭାରତୀୟ ରାଜନେତାଙ୍କ ସମ୍ପର୍କ ନୂଆ ନୁହେଁ। ପ୍ରିୟରଞ୍ଜନ ଦାସମୁନ୍ସୀ ହୁଅନ୍ତୁ କି ପ୍ରଫୁଲ୍ଲ ପଟେଲ୍ ସମସ୍ତେ ରାଜନୈତିକ ପୃଷ୍ଠଭୂମିରୁ ଆସି ଏଆଇଏଫ୍ଏଫ୍ର ମଙ୍ଗ ଧରିଛନ୍ତି। କିନ୍ତୁ ଭାରତୀୟ ଫୁଟବଲ୍ କେବଳ ତଳମୁହାଁ ହୋଇ ଚାଲିଛି। ଆଭ୍ୟନ୍ତରୀଣ କ୍ଷମତା କନ୍ଦଳ ପାଇଁ ଭାରତୀୟ ଫୁଟବଲ୍ରେ ଦୀର୍ଘ ସମୟ ହେବ ଅସ୍ଥିରତା ଜାରି ରହିଛି। ଆଇନ ଯୁଦ୍ଧ, ଆଇଏସ୍ଏଲ୍କୁ ନେଇ ବିବାଦ, ବ୍ୟାପକ ଦୁର୍ନୀତି ଅଭିଯୋଗ, କ୍ଲବ୍-କ୍ଲବ୍, ଖେଳାଳି-ଖେଳାଳି ଭିତରେ ଝଗଡ଼ା ଚରମସୀମାରେ ପହଞ୍ଚିଛି। କୋଟିକୋଟି ପ୍ରଶଂସକ ଏବଂ ମହନୀୟ ଇତିହାସ ସତ୍ତ୍ବେ ଭାରତୀୟ ଫୁଟ୍ବଲ୍ ସମ୍ପ୍ରତି ତା’ର ଉପସ୍ଥିତି ଜାହିର କରିବା ଲାଗି ସଂଘର୍ଷ କରୁଛି। ଏଆଇଏଫ୍ଏଫ୍ରେ ପରିଚାଳନରେ ସ୍ବଚ୍ଛତା ଲାଗି ନୂଆ ସମ୍ବିଧାନ ପ୍ରଣୟନ ହୋଇଛି, ହେଲେ ମହାସଂଘ ଭିତରେ ଚାଲିଥିବା ରାଜନୀତି ପାଇଁ ଖେଳାଳିଙ୍କ ସୁଯୋଗ ଧୀରେଧୀରେ ସଙ୍କୁଚିତ ହେବାରେ ଲାଗିଛି। ପରିଚାଳନାଗତ ଅସ୍ଥିରତା ସହ ମାତ୍ରାଧିକ ବାହ୍ୟ ହସ୍ତକ୍ଷେପ ଲାଗି ଏଆଇଏଫ୍ଏଫ୍ ଅତୀତରେ ଏକାଧିକ ଥର ଫିଫା ଦ୍ବାରା ବାସନ୍ଦ ହୋଇସାରିଛି। ଯାହା ଭାରତୀୟ ଫୁଟବଲ୍କୁ ପଛକୁ ନେଇଛି। ସଂପ୍ରତି ଭାରତରେ ଫୁଟ୍ବଲ୍ ଖେଳର ସ୍ଥିତି ନେଇ ଭାରତୀୟ ଦଳର ଦୁଇ ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ ଓ ସୁନୀଲ ଛେତ୍ରୀ ଗଭୀର ଚିନ୍ତା ଜାହିର କରିସାରିଛନ୍ତି। ଏବେ ଦେଶର ସବୁଠାରୁ ଲୋକପ୍ରିୟ ପେସାଦାର ଲିଗ୍ ‘ଆଇଏସ୍ଏଲ୍’ ବନ୍ଦ ହେବା ଦ୍ବାରଦେଶରେ ରହିଛି।
ସୌଜନ୍ୟ ସମ୍ବାଦ




