ଉଦ୍ଭିଦମାନଙ୍କ ପରାଗ ସଂଗମ କରାଇଉଥିବା ଦୁନିଆର ଅନ୍ୟତମ ଆଦିମ ପରାଗଣକାରୀମାନଙ୍କ ମଧ୍ୟରୁ ବେନାହୁଡ଼ି (ଷ୍ଟିଙ୍ଗ୍ଲେସ୍ ବି) ମହୁମାଛି ଅନ୍ୟତମ। ଆମାଜନ୍ ବୃଷ୍ଟିବନରେ ଏମାନଙ୍କ ସଂଖ୍ୟା ବେଶ୍ ଅଧିକ। ଦଂଶନ କରୁଥିବା ନାହୁଡ଼ଯୁକ୍ତ ମହୁମାଛିଙ୍କ ଅେପକ୍ଷା କ୍ଷୁଦ୍ର ହେଲେ ବି ଅରଣ୍ୟ ସୃଷ୍ଟି ନିମନ୍ତେ ଅତ୍ୟାବଶ୍ୟକ ଅଧିକାଂଶ ତରୁଲତା ଓ ଶସ୍ୟ ଜାତିଙ୍କର ପରାଗଣରେ ନାହୁଡ଼ବିହୀନ ମହୁମାଛିମାନେ ବିଶେଷ ଭୂମିକା ନିର୍ବାହ କରନ୍ତି। କେବଳ ସେତିକି ନୁହେଁ, ଖାଦ୍ୟ ନିରାପତ୍ତା ଓ ଆଞ୍ଚଳିକ ଅର୍ଥନୀତି ପ୍ରତି ମଧ୍ୟ ଏମାନଙ୍କର ଅବଦାନ ରହିଛି। ସେମାନେ କରାଉଥିବା ପରାଗଣ ଜଟିଳ ଖାଦ୍ୟ ଶୃଙ୍ଖଳକୁ ସମ୍ଭାଳି ରଖିଛି। ସେମାନଙ୍କ ଯୋଗୁଁ ବନ୍ୟପ୍ରାଣୀ ଓ ଦେଶୀୟ ଜନଜାତି ଆହାର ପାଉଛନ୍ତି। ସମୃଦ୍ଧ ଅରଣ୍ୟ ଉପରେ ଗ୍ରାମୀଣ ଅର୍ଥନୀତି ବି ନିର୍ଭର କରୁଛି। ଏହା ବ୍ୟତିରେକେ, ଭାରାକ୍ରାନ୍ତ ହୋଇପଡ଼ିଥିବା ପରିସଂସ୍ଥାନ ପ୍ରତି ମଧ୍ୟ ନାହୁଡ଼ବିହୀନ ମଧୁମକ୍ଷିକାଙ୍କର ଅବଦାନ ରହିଛି। ଉଦ୍ଭିଦ ପ୍ରଜନନ କରାଇ ସେମାନେ କ୍ଷତିଗ୍ରସ୍ତ ଅରଣ୍ୟଗୁଡ଼ିକରେ ତରୁଲତା ଭରଣା କରନ୍ତି ଏବଂ ଜଳବାୟୁ ପରିବର୍ତ୍ତନଜନିତ କୁପ୍ରଭାବ ପ୍ରତିହତ କରାଇବାରେ ସହାୟକ ହୁଅନ୍ତି।
ଗୋଟିଏ ମହୁମାଛି ଜାତିକୁ ପୃଥିବୀର ପ୍ରଥମ ଆଇନଗତ ଅଧିକାରପ୍ରାପ୍ତ ଉଡ଼ନ୍ତା କୀଟ ହେବାର ସ୍ବୀକୃତି ମିଳିଛି। ସୁତରାଂ ଏ ଦୁନିଆରେ ବଞ୍ଚିରହିବା ସହିତ ବଂଶ ବିସ୍ତାର କରିବା ସେମାନଙ୍କର ଆଇନଗତ ଅଧିକାରରେ ପରିଣତ ହୋଇଛି।
କିନ୍ତୁ, ଜଙ୍ଗଲ ଧ୍ବଂସ, କୀଟନାଶକ ପ୍ରେୟାଗ, ଜଳବାୟୁ ପରିବର୍ତ୍ତନ ଓ ବ୍ୟାପକ ବଂଶ ବିସ୍ତାରୀ ହିଂସ୍ର ମଧୁମକ୍ଷିକାଙ୍କ ଯୋଗୁଁ ଏ ଉପକାରୀ କୀଟମାନେ ଏବେ ବାସହରା ହୋଇଯାଉଛନ୍ତି। ଏ ସଙ୍କଟରୁ ଆମାଜନ୍ ବୃଷ୍ଟିବନକୁ ନିରାପଦ ରଖିବା ଲାଗି ପେରୁ ଅଞ୍ଚଳର ଆଦିନିବାସୀ ବେନାହୁଡ଼ି ମଧୁମକ୍ଷିକାଙ୍କୁ ସେଠାକାର ପୌରପାଳିକା ଆଇନଗତ ଅଧିକାର ପ୍ରଦାନ କରିଛି। ଫଳତଃ ଗୋଟିଏ ମହୁମାଛି ଜାତିକୁ ପୃଥିବୀର ପ୍ରଥମ ଆଇନଗତ ଅଧିକାରପ୍ରାପ୍ତ ଉଡ଼ନ୍ତା କୀଟ ହେବାର ସ୍ବୀକୃତି ମିଳିଛି। ସୁତରାଂ ଏ ଦୁନିଆରେ ବଞ୍ଚିରହିବା ସହିତ ବଂଶ ବିସ୍ତାର କରିବା ସେମାନଙ୍କର ଆଇନଗତ ଅଧିକାରରେ ପରିଣତ ହୋଇଛି। ଏ ମହୁମାଛିମାନଙ୍କୁ ଆଇନଗତ ଅଧିକାର ଦେବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି ‘ଆମାଜନ୍ ରିସର୍ଚ ଇଣ୍ଟର୍ନେସିଓନାଲ୍’ର ସଂସ୍ଥାପକ ରୋଜା ବାକ୍ବିଜ୍ ଏସ୍ପିନୋଜା। ଏ ନାହୁଡ଼ବିହୀନ ମହୁମାଛିଙ୍କ ବିଷୟରେ ବିଭିନ୍ନ ସୂଚନା ଲିପିବଦ୍ଧ କରିବା ଲାଗି ସେ କିଛି ବର୍ଷ ହେବ ଆଦିମ ଅଧିବାସୀଙ୍କୁ ସାଥିରେ ନେଇ ଆମାଜନ୍ ଅରଣ୍ୟ ଭ୍ରମଣ କରିଥିଲେ। ବିଶ୍ବବ୍ୟାପୀ ‘ପ୍ରକୃତିର ଅଧିକାର’ ଏବଂ ‘ଅନ୍ୟାନ୍ୟ ବିଶ୍ବହିତୈଷୀ’ ଆଇନଗତ ଆନ୍ଦୋଳନ ସଂକ୍ରାନ୍ତ ପ୍ରଚାର ଚଳାଉଥିବା ‘ଦି ଆର୍ଥ ଲ’ ସେଣ୍ଟର୍’ର ଦଳେ ଆଇନଜୀବୀ ମଧ୍ୟ ଅଭିଯାନରେ ଭାଗ ନେଇଥିଲେ।
ପେରୁର ଏତାଦୃଶ ଜୈବସାଂସ୍କୃତିକ ଐତିହ୍ୟ ସଂରକ୍ଷଣାର୍ଥେ ସମ୍ପ୍ରତି ସାଟିପୋର ପ୍ରାଦେଶିକ ପୌରପାଳିକା ଔପଚାରିକ ଅଧ୍ୟାଦେଶ ଜାରିକରି ଏହି ଘୋଷଣାନାମା ଗୃହୀତ କରିଛି। କେବଳ ଗୃହୀତ କରି ନାହିଁ, ଏହାକୁ ସ୍ଥାନୀୟ ଆଇନ ବୋଲି ଅଭିହିତ କରିବା ସହିତ କେହି ଏହାକୁ ଉଲ୍ଲଂଘନ କଲେ ପରିଣତି ବିଷମ ହେବ ବୋଲି ବିଜ୍ଞାପିତ ମଧ୍ୟ କରିଛି। ସାଟିପୋ ଦେଖାଦେଖି ନାଉଟା ପ୍ରଦେଶ ମଧ୍ୟ ଏହି ଆଇନ ପ୍ରଣୟନ କରିଛି। ଆଇନରେ ଉଲ୍ଲେଖ ଅଛି- ପ୍ରଦୂଷଣମୁକ୍ତ ଅଞ୍ଚଳରେ ଏ ମଧୁମକ୍ଷିକାମାନଙ୍କର ବଞ୍ଚି ରହିବା, ବଂଶ ବିସ୍ତାର କରିବା ଏବଂ ସେମାନଙ୍କର ପ୍ରାକୃତିକ ନିବାସ ଅଞ୍ଚଳରେ ପରାଗ ସଙ୍ଗମ କରିବା ଅଧିକାର ରହିଛି। ସେମାନଙ୍କର ପ୍ରତି କେହି ବିପଦ ସୃଷ୍ଟିକଲେ ବା କ୍ଷତିକାରକ କାର୍ଯ୍ୟକଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୌଗୋଳିକ ପରିସରରେ ସୀମିତ ହେଲେ ବି ଆଇନ ଅନୁସାରେ କିଭଳି ଜୈବବିବିଧତା ସୁରକ୍ଷିତ କରାଯାଇପାରିବ, ଏ ନିଷ୍ପତ୍ତି ତାହା ସୂଚାଇ ଦେଉଛି।
ସୌଜନ୍ୟ ସମ୍ବାଦ