ଦେଶ ବିଦେଶ

America’s fierce attack on Venezuela: ଭେନେଜୁଏଲାରେ ଆମେରିକାର ପ୍ରଚଣ୍ଡ ଆକ୍ରମଣ: ରାଷ୍ଟ୍ରପତି ମାଦୁରୋ ଓ ପତ୍ନୀ ବନ୍ଦୀ

ଶନିବାର ଆମେରିକା ସେନା ଭେନେଜୁଏଲାରେ ପ୍ରଚଣ୍ଡ ବିମାନ ଆକ୍ରମଣ କରିଛି। ତୁହାକୁ ତୁହା ଶକ୍ତିଶାଳୀ ବିସ୍ଫୋରଣ ଶବ୍ଦ କାରାକାସ୍ ସହର ଓ ଆଖପାଖ ଅଞ୍ଚଳକୁ ଥରାଇ ଦେଇଥିଲା।

କାରାକାସ୍‌/ୱାସିଂଟନ: ଶନିବାର ଆମେରିକା ସେନା ଭେନେଜୁଏଲାରେ ପ୍ରଚଣ୍ଡ ବିମାନ ଆକ୍ରମଣ କରିଛି।  ତୁହାକୁ ତୁହା ଶକ୍ତିଶାଳୀ ବିସ୍ଫୋରଣ ଶବ୍ଦ କାରାକାସ୍ ସହର  ଓ ଆଖପାଖ ଅଞ୍ଚଳକୁ ଥରାଇ ଦେଇଥିଲା। ଭେନେଜୁଏଲାର ରାଜଧାନୀ ଉପରେ ଏକ ଘନ ଧୂମକୁଣ୍ଡଳୀ ଉଠୁଥିବା  ଦେଖିବାକୁ ମିଳିଥିଲା।   ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଆମେରିକା ଅତ୍ୟନ୍ତ ଯୋଜନାବଦ୍ଧ ଆକ୍ରମଣ କରିବା ସହ   ବିଭିନ୍ନ ସାମରିକ ଘାଟି ଓ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କ ସହ ଜଡ଼ିତ କେତେକ ପ୍ରତିଷ୍ଠାନକୁ ଛାରଖାର କରିଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଭେନେଜୁଏଲା ବିରୋଧରେ ବଡ଼ ଧରଣର ଆକ୍ରମଣ କରିବା ସହ ଏହାର ନେତା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିଛି। ସେମାନଙ୍କୁ ଏକ ଯୁଦ୍ଧଜାହାଜରେ ରଖାଯାଇଛି।  ନାର୍କୋ ଆତଙ୍କ ଓ ଅନ୍ୟ ଆପରାଧିକ ମାମଲାରେ ନ୍ୟୁୟର୍କ ଅଦାଲତରେ ବିଚାର ହେବ। ଏହା ସହିତ ଭେନେଜୁଏଲାର ଚୋରା ତୈଳ କାରବାର ଉପରେ ମଧ୍ୟ ଆମେରିକା ଲଗାମ ଦେବ ବୋଲି ଟ୍ରମ୍ପ କହିଛନ୍ତି। ମାଦୁରୋ ଡ୍ରଗ୍ସ ସାମ୍ରାଜ୍ୟ ଚଳାଇଥିଲେ ଏବଂ ଏଥିରେ ସଂପୃକ୍ତ ଆତଙ୍କୀମାନେ ଆମେରିକା ପାଇଁ ବଡ଼ ବିପଦର କାରଣ ହୋଇଥିବାରୁ ଏଭଳି ସାମରିକ କାର୍ଯ୍ୟାନୁଷ୍ଠାନ କରାଯାଇଛି ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି ମାଦୁରୋ ଓ ପତ୍ନୀ ବନ୍ଦୀ
ନାର୍କୋ ଆତଙ୍କ ମାମଲାରେ ନ୍ୟୁୟର୍କରେ ବିଚାର ହେବ: ଟ୍ରମ୍ପ

ଶନିବାର ରାତିରେ ଆମେରିକା ରାଜଧାନୀ କାରାକାସ୍ ସମେତ ଭେନେଜୁଏଲାର ଚାରିଟି ସହରକୁ ଟାର୍ଗେଟ କରିଛି। କାରାକାସ୍ ବ୍ୟତୀତ ମିରାଣ୍ଡା, ଆରାଗୁଆ ଓ ଲାଗୁଏରାକୁ ଆକ୍ରମଣ କରାଯାଇଥିଲା। ଆମେରିକା ଏହି ଅଞ୍ଚଳରେ ଥିବା ସାମରିକ ପ୍ରତିଷ୍ଠାନ ଉପରେ ସାତୋଟି ଏୟାର ଷ୍ଟ୍ରାଇକ୍ କରିଥିଲା। ସ୍ଥାନୀୟ ସମୟ ରାତି ପ୍ରାୟ ୨ଟା ବେଳେ ପ୍ରଥମ ଆକ୍ରମଣ ହୋଇଥିଲା। ଆମେରିକାର ଗଣମାଧ୍ୟମ ସଂସ୍ଥା ସିବିଏସ୍ ନ୍ୟୁଜ୍ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି  ଟ୍ରମ୍ପ୍ ଭେନେଜୁଏଲା ଭିତରର ସାମରିକ ଘାଟି ଓ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭାଇରାଲ ଫଟୋରେ ମାଦୁରୋଙ୍କ ଧରାପଡ଼ିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଗିରଫ ପରେ ତୁରନ୍ତ ମାଦୁରୋଙ୍କୁ ଏକ ଅଜଣା ସ୍ଥାନକୁ ନିଆଯାଇଥିଲା ଏବଂ ପରେ ଏକ ଯୁଦ୍ଧ ଜାହାଜକୁ ସ୍ଥାନାନ୍ତର କରାଯାଇଥିଲା। ଭେନେଜୁଏଲାର ମୁଖ୍ୟ ସାମରିକ ଦୁର୍ଗ ଫୋର୍ଟ ଟିଉନାରେ କାରାକାସ୍ ସହରର ପଶ୍ଚିମରେ ଥିବା ଲା କାର୍ଲୋଟା ସାମରିକ ଘାଟିରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ହିଗୁରୋଟ୍ ବିମାନବନ୍ଦରରେ ମଧ୍ୟ ଆକ୍ରମଣ ହୋଇଛି।

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ପଦରୁ ହଟାଇବା, ପ୍ରତିବନ୍ଧକ ବୃଦ୍ଧି କରିବା ଏବଂ ଏହି ଅଞ୍ଚଳରେ ସାମରିକ ଉପସ୍ଥିତି ବୃଦ୍ଧି କରିବା ପାଇଁ ବାରମ୍ବାର ଧମକ ଦେଉଥିଲେ।   କାରିବିଆନ୍ ଓ ପ୍ରଶାନ୍ତ ମହାସାଗରରେ ଡ୍ରଗ୍ସ କାରବାର ଅଭିଯୋଗରେ ଦୁଇ ଡଜନରୁ ଅଧିକ ଜାହାଜକୁ ଟାର୍ଗେଟ୍ କରିବା ପାଇଁ ଭେନେଜୁଏଲାରେ ଗ୍ରାଉଣ୍ଡ ଅପରେସନ କରିବାକୁ ନିକଟରେ ଟ୍ରମ୍ପ ଘୋଷଣା କରିଥିଲେ।। ଅନ୍ୟପକ୍ଷରେ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଟ୍ରମ୍ପ ପ୍ରଶାସନର ‘ସାମରିକ ଆକ୍ରମଣ’କୁ ନିନ୍ଦା କରିବା ସହ ଦେଶରେ ଜାତୀୟ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଜାତିସଂଘ ଏଥିରେ ତୁରାନ୍ତ ହସ୍ତକ୍ଷେପ କରିବାକୁ ମଧ୍ୟ ଦାବି ହୋଇଛି।

 

 

 

Leave a Reply

Your email address will not be published. Required fields are marked *

Back to top button