ମୁମ୍ବାଇ: ଶତାବ୍ଦୀର ମେଗାଷ୍ଟାର ଭାବରେ ଜଣାଶୁଣା ବିଗ୍ ବି ଅମିତାଭ ବଚ୍ଚନ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ମେ’ ୧୬ ତାରିଖରେ ଭର୍ତ୍ତି କରାଯାଇଥିଲା ବୋଲି ଜଣାପଡିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ ନାନାବତୀ ହସ୍ପିଟାଲର ତୃତୀୟ ମହଲାରେ ଥିବା ଏ-ୱିଙ୍ଗରେ ଅଛନ୍ତି। ପୁଅ ଅଭିଷେକ ବଚ୍ଚନ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଭେଟିଥିଲେ। ସାମ୍ବାଦିକ ଭିକି ଲାଲୱାନୀ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ସୂଚନା ସେୟାର କରିଛନ୍ତି। ଲାଲୱାନୀ କହିଛନ୍ତି ଯେ, ସେ ଅମିତାଭ ବଚ୍ଚନଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଯାଞ୍ଚ୍ କରିବା ପାଇଁ ବ୍ୟକ୍ତିଗତ ଭାବରେ ନାନାବତୀ ହସ୍ପିଟାଲ ପରିଦର୍ଶନ କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ଅମିତାଭ ବଚ୍ଚନଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ସତ୍ୟାସତ୍ୟ ସ୍ପଷ୍ଟ କରିଛନ୍ତି।
ଏକ ୟୁଟ୍ୟୁବ୍ ଭିଡିଓରେ ଅମିତାଭଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ବିବରଣୀ ଦେଇ ସେ କହିଛନ୍ତି,ମୁଁ ମଙ୍ଗଳବାର ଅପରାହ୍ନରେ ଅମିତାଭଙ୍କ ଭର୍ତ୍ତି ବିଷୟରେ ଜାଣିଲି। ଅମିତାଭଙ୍କୁ ପ୍ରକୃତରେ ଭର୍ତ୍ତି କରାଯାଇଛି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ମୁଁ ନାନାବତୀ ହସ୍ପିଟାଲକୁ ଯାଇଥିଲି। ସେଠାରେ ମୁଁ ଅପରାହ୍ନ ପ୍ରାୟ ୩:୪୫ ରେ ପହଞ୍ଚିଲି ଏବଂ ମୋର ପଚରାଉଚରା ଆରମ୍ଭ କରିଥିଲି।
୭୫ ପ୍ରତିଶତ ଯକୃତ କ୍ଷତିଗ୍ରସ୍ତ
କିଛି ଗଣମାଧ୍ୟମ ରିପୋର୍ଟ କହୁଛି ଯେ ଅମିତାଭଙ୍କୁ ନିୟମିତ ଯାଞ୍ଚ୍ ପାଇଁ ଭର୍ତ୍ତି କରାଯାଇଥିଲା। ୮୩ ବର୍ଷୀୟ ଅମିତାଭ ବଚ୍ଚନଙ୍କର ୭୫ ପ୍ରତିଶତ ଯକୃତ କ୍ଷତିଗ୍ରସ୍ତ ହୋଇଛି। ସେ ଏବେ ତାଙ୍କ ଯକୃତର ମାତ୍ର ୨୫% ସାହାଯ୍ୟରେ ବଞ୍ଚୁଛନ୍ତି। ଅମିତାଭ ବଚ୍ଚନ ବଲିଉଡରେ ସକ୍ରିୟ ଅଛନ୍ତି। ସେ ବର୍ତ୍ତମାନ ଚାରୋଟି ପ୍ରମୁଖ ଚଳଚ୍ଚିତ୍ରରେ କାମ କରୁଛନ୍ତି, ଯେଉଁଥିରେ ସାଇନ୍ସ ଫିକ୍ସନ୍ ଫିଲ୍ମ ‘କଲ୍କି ୨୮୯୮ ଏଡି ପାର୍ଟ ୨’ ଏବଂ ୨ବ୍ରହ୍ମାସ୍ତ୍ର ପାର୍ଟ ୨: ଦେବ’ ରହିଛି। ସେ ‘ଆଙ୍ଖେଁ ୨’ ଏବଂ କୋର୍ଟରୁମ୍ ଡ୍ରାମା ‘ସେକ୍ସନ୍ ୮୪’ ରେ ମଧ୍ୟ କାମ କରୁଛନ୍ତି।
ସୌଜନ୍ୟ ସମ୍ବାଦ

