An animal that hunts by crushing skulls!: ଖପୁରି ଚୂନାକରି ଶିକାର କରୁଥିବା ଜନ୍ତୁ!
ଜାଗୁଆର୍ ନାଁ ଆପଣ ଶୁଣିଛନ୍ତି? କଲରାପତ୍ରିଆ ପ୍ରଜାତିର ପାଞ୍ଚଟି ବୃହଦ୍କାୟ ପ୍ରାଣୀ ମଧ୍ୟରେ ଜାଗୁଆର ଅନ୍ୟତମ। ସିଂହ ଓ ବାଘଠାରୁ ଆକାରରେ ଅପେକ୍ଷାକୃତ କ୍ଷୁଦ୍ର ହେଲେ ବି ଜାଗୁଆର ଶିକାର ଧରିବାରେ ଧୁରନ୍ଧର।

ଜାଗୁଆର୍ ନାଁ ଆପଣ ଶୁଣିଛନ୍ତି? କଲରାପତ୍ରିଆ ପ୍ରଜାତିର ପାଞ୍ଚଟି ବୃହଦ୍କାୟ ପ୍ରାଣୀ ମଧ୍ୟରେ ଜାଗୁଆର ଅନ୍ୟତମ। ସିଂହ ଓ ବାଘଠାରୁ ଆକାରରେ ଅପେକ୍ଷାକୃତ କ୍ଷୁଦ୍ର ହେଲେ ବି ଜାଗୁଆର ଶିକାର ଧରିବାରେ ଧୁରନ୍ଧର। ବ୍ୟାଘ୍ରଜାତୀୟ ପ୍ରାଣୀ ଜାଗୁଆରର ଶିକାର ଶୈଳୀ କିନ୍ତୁ ସଂପୂର୍ଣ୍ଣ ଭିନ୍ନ। ସାଧାରଣତଃ ବାଘ ଓ ସିଂହ ଆକ୍ରମଣ ସମୟରେ ଶିକାର-ଜନ୍ତୁର ତଣ୍ଟି କାମୁଡ଼ି ଧରନ୍ତି। କିନ୍ତୁ, ଆକ୍ରମଣ କଲାବେଳେ ଜାଗୁଆର ଶିକାର-ଜନ୍ତୁ ମୁଣ୍ଡକୁ ପାଟିରେ କାମୁଡ଼ିଥାଏ। ତା’ ଦାନ୍ତ ଓ ଜାବ ଏଡ଼େ ଶକ୍ତ ଯେ ସେଥିରେ ଦାବି ହୋଇ ଶିକାର-ଜନ୍ତୁର ଖପୁରି ଫାଟି ଚୂନା ହୋଇଯାଏ।
ପ୍ରାକୃତିକ ଖାଦ୍ୟ-ଶୃଙ୍ଖଳ ଗତି ଅବ୍ୟାହତ ରଖିବାରେ ଏହାର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ହାବୁଡ଼ରେ ପଡୁଥିବା ଯେକୌଣସି ଜନ୍ତୁ ଉପରେ ଅତର୍କିତ ଆକ୍ରମଣ କରୁଥିବାରୁ ଆବଶ୍ୟକ ବେଳେ ଜାଗୁଆର ଲମ୍ଫ ମାରିବା ସହିତ ଗଛ ମଧ୍ୟ ଚଢ଼ିପାରେ। ଭୂଇଁରେ ସେ ହରିଣ, କାପିବାରା ଓ ଟେପିର୍ ଶିକାର କରେ। ସୁଦକ୍ଷ ସନ୍ତରଣକାରୀ ହୋଇଥିବାରୁ ସେ ମଧ୍ୟ ପାଣିରୁ ମାଛ, କଇଁଛ ଓ କାଇମନ୍ ଅଣ୍ଡାଳି ଧରେ। ତା’ପରେ ଶିକାର-ଜନ୍ତୁ ନେଇ କୌଣସି ଗଛ ବା ଉଚ୍ଚ ସ୍ଥାନରେ ରଖି ଖାଏ।
ବୃଷ୍ଟିବନ ଭଳି ଘନ ଅରଣ୍ୟରେ ଥିବା ନଦୀ ଓ ହ୍ରଦ ଭଳି ଜଳାଶୟ ନିକଟବର୍ତ୍ତୀ ଅଞ୍ଚଳରେ ରହିବାକୁ ଜାଗୁଆର ସୁଖପାଏ। କଦବା କ୍ବଚିତ ଗୁଳ୍ମ ଭଳି ଛୋଟ ଛୋଟ ଗଛ ଥିବା ଅରଣ୍ୟ ଓ ମରୁଭୂମିରେ ମଧ୍ୟ ଜାଗୁଆର ବାସ କରୁଥିବା ଦେଖାଯାଇଛି।
ଜାଗୁଆର ବିଲୟମୁଖୀ ପ୍ରାଣୀ ବୋଲି ସମ୍ପ୍ରତି ‘ଇଣ୍ଟର୍ନ୍ୟାସ୍ନାଲ୍ ୟୁନିୟନ୍ ଫର୍ କନ୍ଜର୍ଭେସନ୍ ଅଫ୍ ନେଚର୍’ ବିବେଚନା କରୁଛି। ଏଥିପାଇଁ ଶିକାର, ବାସଭୂଇଁ କ୍ଷୟ ଓ ମାନବ ସହିତ ସଂଘର୍ଷ ଭଳି କେତେକ କାରଣ ଦାୟୀ। ୧୯୬୦ ଓ ୧୯୭୦ ଦଶକରେ ଫେସନ୍ ଶିଳ୍ପରେ ପଶୁଲୋମ ଆବଶ୍ୟକ ହେବାରୁ ଅସଂଖ୍ୟ ଜାଗୁଆର ଶିକାର କରାଗଲା। ପୁନଶ୍ଚ ୧୯୯୦ ଦଶକ ମଧ୍ୟଭାଗ ଆଡ଼କୁ କୃଷିକ୍ଷେତ୍ର ଓ ନଗରାଞ୍ଚଳ ବୃଦ୍ଧି ପାଇବାରୁ ବାସଭୂମି ଅଭାବରୁ ଜାଗୁଆର ସଂଖ୍ୟା ହ୍ରାସ ପାଇଲା।
ଜାଗୁଆର ହେଉଛି ଆମେରିକୀୟ ମହାଦେଶରେ ଦେଖାଯାଉଥିବା ଏକମାତ୍ର ବାଘ ଶ୍ରେଣୀୟ ପ୍ରାଣୀ। ଆଜିକାଲି କେବଳ ବ୍ରାଜିଲ୍, ପେରୁ, ବଲିଭିଆ, ଇକ୍ବାଡର୍, କଲମ୍ବିଆ, ଗୁୟାନା, ସରିନେମ୍, ଭେନିଜୁଏଲା, ଆର୍ଜେଣ୍ଟିନା, ପାରାଗୁଏ ଓ ଦରିଆପାରି ଅଞ୍ଚଳ ଫ୍ରେଞ୍ଚ୍ ଗୁଆନାରେ ଦେଖାଯାଉଛନ୍ତି।
ସୌଜନ୍ୟ ସମ୍ବାଦ



