Breaking News

ପ୍ରତ୍ନତାତ୍ତ୍ବିକ ଖନନରେ ଓଡ଼ିଶାର ପ୍ରାଚୀନ ଐତିହ୍ୟ

ପ୍ରଫେସର କିଶୋର କୁମାର ବଶା

0

ଗଲା ୨୦ ବର୍ଷ ମଧ୍ୟରେ ହୋଇଥିବା ଅନେକ ପ୍ରତ୍ନତାତ୍ତ୍ବିକ ଖନନ ଓ ଉଦ୍ଧାର କାର୍ଯ୍ୟରୁ ଓଡ଼ିଶାରେ ପ୍ରାଚୀନ ଐତିହ୍ୟ ଉପରେ ଅନେକ ଧାରଣା ମିଳିଥାଏ। ଏଭଳି ଅନେକ ଖନନରୁ ଓଡ଼ିଶାରେ ପୁରାତନ ପ୍ରସ୍ତର ଯୁଗରୁ ଆରମ୍ଭ କରି ମଧ୍ୟଯୁଗୀୟ ସମୟର ପ୍ରତ୍ନତାତ୍ତ୍ୱିକ ଅବଶେଷ ଉଦ୍ଧାର କରାଯାଇଛି, ଯାହା ଉପରେ ଏକ ଆଲୋଚନା କରାଯିବା ଉଚିତ।

ଇତିହାସ କହେ ଯେ ଧାତୁ ହିସାବରେ ମଣିଷ ପ୍ରଥମେ ତମ୍ବାର ବ୍ୟବହାର କରି ଜାଣିଲା। ଏ.ଏସ୍.ଆଇ. ଖନନ ମାଧ୍ୟମରେ ଟାଙ୍ଗୀ ନିକଟବର୍ତ୍ତୀ ଗୋଳବାଇ ଶାସନରୁ ତାମ୍ର-ପ୍ରସ୍ତର ଯୁଗର ଅବଶେଷ ମିଳିଛି। ସେହିପରି ଉପକୂଳବର୍ତ୍ତୀ ଓଡ଼ିଶାରେ ବଅଙ୍ଗ-ହରିରାଜପୁର, ଆଠଗଡ଼ ନିକଟବର୍ତ୍ତୀ ଡେଲଟାହୁଡ଼ି ଏବଂ ପଶ୍ଚିମ ଓଡ଼ିଶାର ଖାମେଶ୍ୱରୀପାଲି ଠାରେ ତାମ୍ର-ପ୍ରସ୍ତର ଯୁଗର ଅବଶେଷ ପ୍ରତ୍ନତାତ୍ତ୍ବିକ ଖନନ ଦ୍ୱାରା ଉଦ୍ଧାର କରାଯାଇଛି।

ଏ ସମସ୍ତ ଅବଶେଷରୁ ତତ୍କାଳୀନ ଓଡ଼ିଶାରେ କୃଷି-ଭିତ୍ତିକ ଗ୍ରାମ୍ୟ ସଂସ୍କୃତି ବିଷୟରେ ସୂଚନା ମିଳିଥାଏ। ତେବେ, ସେହି ସମୟରେ ତମ୍ବା କେଉଁଠାରୁ ଆସୁଥିଲା ଏବଂ ଏହା କିପରି ତରଳା ଯାଉଥିଲା, ସେ ବିଷୟରେ ଅଧିକ ଗବେଷଣାର ଆବଶ୍ୟକତା ମଧ୍ୟ ରହିଛି। ଓଡ଼ିଶାର ତାମ୍ର-ପ୍ରସ୍ତର ଯୁଗ ପ୍ରାୟ ଖ୍ରୀଷ୍ଟପୂର୍ବ ୨୦୦୦ର କିଛି ଶତାବ୍ଦୀ ପୂର୍ବ ଓ ପର ସମୟରେ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ। ଓଡ଼ିଶାରେ ଲୌହ ଯୁଗ ପ୍ରାୟ ଖ୍ରୀଷ୍ଟପୂର୍ବ ୧୦୦୦ରୁ ୬୦୦ ମଧ୍ୟରେ ହୋଇଥିବା ଅନୁମାନ କରଯାଏ। ଗୋଳବାଇ, ପଶ୍ଚିମ ଓଡ଼ିଶାର ହିକୁଡ଼ି ଓ ଅନୁଗୁଳ ଜିଲ୍ଲାର ସାନକେରଜଙ୍ଗ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରତ୍ନତାତ୍ତ୍ବିକ ଖନନ ଜରିଆରେ ଲୌହ ଯୁଗର ଅବଶେଷ ଉଦ୍ଧାର କରାଯାଇଛି।

ଖ୍ରୀଷ୍ଟପୂର୍ବ ପ୍ରାୟ ଷଷ୍ଠ ଶତାବ୍ଦୀରୁ ଭାରତରେ ଐତିହାସିକ ଯୁଗର ଆରମ୍ଭ ହୁଏ। ଏହି ସମୟର ଏକ ମୁଖ୍ୟ ବିଷୟ ନଗରୀକରଣ। ଦେଶ ସ୍ୱାଧୀନ ହେବା ପରେ ଅଶୋକଙ୍କ ଶିଳାଲିପି ମିଳିଥିବା ସ୍ଥାନ ଏବଂ ତାହାର ପାଖାପାଖି ଅଞ୍ଚଳରେ ଖନନ କାର୍ଯ୍ୟ କରାଯାଇଥିଲା। ସେଥିରୁ ଧଉଳି ନିକଟବର୍ତ୍ତୀ ଶିଶୁପାଳଗଡ଼ର ଉଦ୍ଧାର ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍‌ଧି, ଯାହା ବି.ବି. ଲାଲଙ୍କ ତତ୍ତ୍ବାବଧାନରେ ହୋଇଥିବା ଖନନ ଯୋଗୁଁ ସମ୍ଭବ ହୋଇଥିଲା। ପରବର୍ତ୍ତୀ କାଳରେ ଅର୍ଥାତ୍ ଏକବିଂଶ ଶତାବ୍ଦୀରେ ଶିଶୁପାଳଗଡ଼ର ଅଧିକ ଖନନ କରାଯାଇଛି। ସେହିଭଳି ଗଞ୍ଜାମ ଜିଲ୍ଲାର ଜଉଗଡ଼କୁ ଏ.ଏସ୍.ଆଇ. ଦ୍ବାରା ଖନନ କରାଯାଇ ଉଦ୍ଧାର କରାଯାଇଥିବା ବେଳେ କଳାହାଣ୍ଡିର ଅସୁରଗଡ଼କୁ ନବୀନ ସାହୁଙ୍କ ତତ୍ତ୍ବାବଧାନରେ ଉଦ୍ଧାର କରାଯାଇଛି।

ଶିଶୁପାଳଗଡ଼ର ମୁଖ୍ୟ ବୈଶିଷ୍ଟ୍ୟ ହେଲା, ଏହା ଏକ ବର୍ଗାକାର ସହର ଥିଲା। ଏହାର ପ୍ରତି ପାଖ କାନ୍ଥ (Fortification wall)ରେ ଦୁଇଟି ଲେଖାଏଁ କରି ଆଠଟି ଦ୍ୱାର ରହିଛି। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଅନୁସାରେ ବର୍ଗାକାର ଆକୃତିର ନଗର ପରିକଳ୍ପନା ସବୁଠାରୁ ଭଲ। ବିଗତ ୧୫ ବର୍ଷ ଭିତରେ ଉପକୂଳବର୍ତ୍ତୀ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏଭଳି ବର୍ଗାକାର ନଗର ସଭ୍ୟତାର ଅବଶେଷ ମିଳିଛି। ସେଗୁଡ଼ିକ ହେଲେ ଗୋଳବାଇ ପାଖ ତାଳପଡ଼ା, ବ୍ରହ୍ମପୁର ନିକଟବର୍ତ୍ତୀ ଲାଠି ଇତ୍ୟାଦି। ଅତୀତ ଭାରତୀୟ ପ୍ରତ୍ନତତ୍ତ୍ୱରେ ସବୁଠାରୁ ଅଧିକ ସଂଖ୍ୟକ ବର୍ଗାକାର ନଗରର ଅବଶେଷ ଓଡ଼ିଶାରୁ ମିଳିଥିବାରୁ ପ୍ରାଚୀନ କାଳରେ ଏଠାରେ ଏକ ଉନ୍ନତ ନଗର ସଭ୍ୟତା ଗଢ଼ି ଉଠିଥିବା ବିଷୟ ଅନୁମାନ କରାଯାଏ।

ପୁଣି ନଗରୀକରଣର ବୈଶିଷ୍ଟ୍ୟ ଦୃଷ୍ଟିରୁ ଉପକୂଳବର୍ତ୍ତୀ ଓଡ଼ିଶା ଓ ପଶ୍ଚିମ ଓ ଉତ୍ତର ଓଡ଼ିଶାର ଏକ ତୁଳନାତ୍ମକ ଅଧ୍ୟୟନ ହେବା ମଧ୍ୟ ଜରୁରୀ। କାରଣ ଉପକୂଳବର୍ତ୍ତୀ ଓଡ଼ିଶାର ନଗରୀକରଣ ମୁଖ୍ୟତଃ ସଘନ କୃଷି କାର୍ଯ୍ୟ ଓ ନଦୀ ଦେଇ ହେଉଥିବା ବାଣିଜ୍ୟିକ ସମ୍ବନ୍ଧ ଦ୍ୱାରା ସମ୍ଭବ ହୋଇଥିଲା ବୋଲି ଅନୁମାନ କରାଯାଉଥିବା ବେଳେ ପଶ୍ଚିମ ଓଡ଼ିଶା ମୂଲ୍ୟବାନ ପଥର ଖଣି ପାଇଁ ପ୍ରସିଦ୍ଧ ଥିବାରୁ ସେଠାରେ ନଗରୀକରଣ ମୁଖ୍ୟତଃ ତାହା ଉପରେ ନିର୍ଭର କରୁଥିଲା ବୋଲି କୁହାଯାଉଛି। ମୟୂରଭଞ୍ଜର ଲୌହଖଣି ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବିରାଟଗଡ଼ର ଉତ୍‌ଖନନ କରାଗଲେ ଉତ୍ତର ଓଡ଼ିଶାର ନଗରୀକରଣ ବିଷୟରେ ଅଧିକ ଧାରଣା ମିଳିପାରିବ। ତେବେ ଏହି ଖନନ କାର୍ଯ୍ୟ ଯୋଗୁଁ ପ୍ରାଚୀନ ଐତିହାସିକ ନଗରମାନଙ୍କର ତତ୍କାଳୀନ ଗ୍ରାମମାନଙ୍କ ସହିତ କିପରି ସଂପର୍କ ଥିଲା, ସେ ବିଷୟରେ କିଛି ଧାରଣା କରିହୁଏ। ଉଦାହରଣ ସ୍ବରୂପ ମହାନଦୀ ଅବବାହିକାରେ ଥିବା କୋରକୋରା ଗ୍ରାମରୁ ମିଳିଥିବା ପୋଡ଼ା ମାଟିରେ ତିଆରି କାନର ଗହଣା ଓ ମାଟି ପାତ୍ର ସହ ଶିଶୁପାଳଗଡ଼ରେ ପ୍ରାପ୍ତ ଦ୍ରବ୍ୟ ସହିତ ପ୍ରଚୁର ସାମଞ୍ଜସ୍ୟ ଥିବା ଦେଖାଯାଏ।

ଏବେ ମଧ୍ୟଯୁଗୀୟ ଓଡ଼ିଶାର ପ୍ରତ୍ନତତ୍ତ୍ୱ ବିଷୟକୁୁ ଆସିବା। ଏହି ଯୁଗ ସମ୍ବନ୍ଧରେ ପ୍ରତ୍ନତାତ୍ତ୍ବିକ ଧାରଣା ସକାଶେ ମନ୍ଦିରମାନଙ୍କ ଉପରେ ଯଥେଷ୍ଟ ଗବେଷଣା ହୋଇଛି; କିନ୍ତୁ ପ୍ରତ୍ନତାତ୍ତ୍ୱିକ ଖନନ କାର୍ଯ୍ୟ ଖୁବ୍ କମ୍ ହୋଇଛି। ଏହି ଦୃଷ୍ଟିରୁ କଟକର ବାରବାଟୀ, କୋଣାର୍କ ନିକଟବର୍ତ୍ତୀ ଖାଲକାଟାପାଟଣା ଓ ଚିଲିକାର ମାଣିକପାଟଣାର ଖନନ କାର୍ଯ୍ୟ ବେଶ୍ ଗୁରୁତ୍ବପୂର୍ଣ୍ଣ। ଖାଲକାଟାପାଟଣାରୁ ଚୀନ୍ ଦେଶର ମାଟି ପାତ୍ର ଓ ମୁଦ୍ରା ମିଳିଛି। ମାଣିକପାଟଣାରୁ ମଧ୍ୟ ଚୀନ୍ ଦେଶର ମାଟି ପାତ୍ର ମିଳିଛି। ତେବେ, ମଧ୍ୟଯୁଗୀୟ ଓଡ଼ିଶାର ପ୍ରତ୍ନତତ୍ତ୍ୱ ସମ୍ବନ୍ଧରେ ଅଧିକ ଜ୍ଞାନ ପାଇଁ ଅଧିକ ଖନନର ମଧ୍ୟ ଆବଶ୍ୟକତା ରହିଛି। ଏହା ବ୍ୟତୀତ ଚୀନ ଦେଶର ମାଟି ପାତ୍ର ଅଧ୍ୟୟନ ସମୟରେ କେଉଁଟି ଚୀନ୍ ଦେଶର ବା କେଉଁଟି ଦକ୍ଷିଣ-ପୂର୍ବ ଏସିଆର, ତାହା ଉପରେ ଧ୍ୟାନ ଦିଅାଯିବା ଜରୁରୀ।
ତେବେ, ଏଥିରୁ ମଧ୍ୟଯୁଗୀୟ ଓଡ଼ିଶାର ସୁଦୂର ଚୀନ ବା ଦକ୍ଷିଣ-ପୂର୍ବ ଏସୀୟ ଅଞ୍ଚଳ ସହିତ ସଂପର୍କ ରହିଥିବା ବିଷୟରେ ଅନୁମାନ କରିହୁଏ।

ଉଲ୍ଲେଖ ଥାଉ କି ଓଡ଼ିଶା ଓ ଦକ୍ଷିଣ-ପୂର୍ବ ଏସିଆର ସଂପର୍କ ଆମ ସଂସ୍କୃତିର ଏକ ବିଶେଷ ଅଂଶ। ଭାରତ ମହାସାଗର ଦୃଷ୍ଟିକୋଣରୁ ଏବଂ ଓଡ଼ିଶା କରମଣ୍ଡଳ ଉପକୂଳରେ ରହିଥିବାରୁ, ଓଡ଼ିଶାର ପ୍ରତ୍ନତାତ୍ତ୍ୱିକ ଅବଶେଷ ସହ ଦକ୍ଷିଣ-ପୂର୍ବ ଏସିଆର ପ୍ରତ୍ନତତ୍ତ୍ୱ ଅବଶେଷର ସଂପର୍କ ପ୍ରଣିଧାନଯୋଗ୍ୟ। କ୍ଲାସିକାଲ୍ ସାହିତ୍ୟରୁ ଜଣାଯାଏ ଯେ ହାତୀ ଦାନ୍ତ ଓ ବସ୍ତ୍ର ଓଡ଼ିଶାର ମୁଖ୍ୟ ରପ୍ତାନି ଦ୍ରବ୍ୟ ଥିଲା, ଯାହା ଦୂରଦୂରାନ୍ତ ଅଞ୍ଚଳ ସହିତ ଓଡ଼ିଶାକୁ ଯୋଡ଼ିଥିଲା। କିନ୍ତୁ ଏହି ସମ୍ବନ୍ଧରେ ପ୍ରତ୍ନତାତ୍ତ୍ୱିକ ଅବଶେଷ ପାଇବା ଏକ ବଡ଼ ଆହ୍ୱାନ। ପ୍ରାୟ ୨୫ ବର୍ଷ ତଳେ ମୋ ସମେତ ପ୍ରଦୀପ ମହାନ୍ତି ଓ ଜିତୁ ମିଶ୍ର ପ୍ରମୁଖ ଗୌରାଙ୍ଗପାଟଣାରେ ସର୍ବେକ୍ଷଣ କରୁଥିବା ସମୟରେ ଆମେ ଏଭଳି ଗୋଟିଏ ପାତ୍ରର ଭଗ୍ନାଂଶ ପାଇଥିଲୁ, ଯାହାର ବ୍ୟବହାର ପାରସ୍ୟ ଉପସାଗରରୁ ଦକ୍ଷିଣ ପୂର୍ବ ଏସିଆ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା।

ଏଭଳି ଦ୍ରବ୍ୟ ପ୍ରାୟ ଅଷ୍ଟମ ଶତାବ୍ଦୀର ମଧ୍ୟ-ଭାଗରୁ ଦଶମ ଶତାବ୍ଦୀର ମଧ୍ୟ-ଭାଗ ପର୍ଯ୍ୟନ୍ତ ପ୍ରଚଳନରେ ଥିଲା। ତେବେ ଏହାର ଯଥେଷ୍ଟ ପୂର୍ବରୁ ଅର୍ଥାତ୍‌ ପ୍ରାୟ ଖ୍ରୀଷ୍ଟପୂର୍ବ ଚତୁର୍ଥ-ତୃତୀୟ ଶତାବ୍ଦୀରୁ ଓଡ଼ିଶା ଓ ଦକ୍ଷିଣ-ପୂର୍ବ ଏସିଆର ସାଂସ୍କୃତିକ ସଂପର୍କ ବିଷୟ ବିଭିନ୍ନ ମାଟି ପାତ୍ର, କାଚ ଓ ମୂଲ୍ୟବାନ ପଥର ମାଳି ଇତ୍ୟାଦିରୁ ସୁସ୍ପଷ୍ଟ। ସେହିଭଳି ଚିଲିକାର ସର୍ବେକ୍ଷଣ ପରେ ମାଣିକପାଟଣା ଓ ଗୌରାଙ୍ଗପାଟଣା ଆଦି ବନ୍ଦର ଥିଲା ବୋଲି ଜଣାପଡ଼େ। ଓଡ଼ିଶାର ସାମୁଦ୍ରିକ ଓ ନୌ-ବାଣିଜ୍ୟ ବିଷୟରେ ବେଣୁଧର ପାତ୍ର ଏକ ସୁଚିନ୍ତିତ ପୁସ୍ତକ ରଚନା କରିଛନ୍ତି। ଏହା ଉପରେ କିଛି ଗବେଷକ ବିଶେଷ ଗବେଷଣା ମଧ୍ୟ କରିଛନ୍ତି।

ପ୍ରସ୍ତର କଳା ଓଡ଼ିଶା ପ୍ରତ୍ନତତ୍ତ୍ୱର ଅନ୍ୟ ଏକ ମୁଖ୍ୟ ଧାରା। ପ୍ରାୟ ପଚାଶ ବର୍ଷ ତଳେ ଫ୍ରାନ୍‌ସ ଓ ସ୍ପେନ୍ ଏ କ୍ଷେତ୍ରରେ ବେଶ୍ ଜଣାଶୁଣା ଥିଲେ। କିନ୍ତୁ ଗତ ଅର୍ଦ୍ଧଶତାବ୍ଦୀରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଭାରତର ଅନେକ ସ୍ଥାନରୁ ପ୍ରସ୍ତର କଳାର ଅବଶେଷ ମିଳିବା ପରେ ଏହି ଦେଶଗୁଡ଼ିକ ବିଶେଷ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି। ଏହି କ୍ଷେତ୍ରରେ ଓଡ଼ିଶାରେ ମଧ୍ୟ କିଛି ପ୍ରମାଣ ମିଳିଛି। ବିଶିଷ୍ଟ ଗବେଷକ ସଦାଶିବ ପ୍ରଧାନଙ୍କ ମତରେ ଆମ ରାଜ୍ୟରେ ୧୦୬ଟି ପ୍ରସ୍ତର ଆଶ୍ରୟ ସ୍ଥଳ (rock shelter) ଅଛି। ତନ୍ମଧ୍ୟରୁ ୪୯ଟିର ଅବଶେଷରେ ଖୋଦନ, ୧୮ଟିରେ ଉଭୟ ଖୋଦନ ଓ ଚାରୁକଳା ଏବଂ ୩୯ଟିରେ କେବଳ ଚାରୁକଳାର ପ୍ରମାଣ ରହିଛି। ଓଡ଼ିଶାର ୧୧ଟି ଜିଲ୍ଲାରେ ପ୍ରାୟ ୭୦୦୦ ଛବି ଅଛି; ଯହିଁରୁ ୨୪୨୫ଟିରେ ଚାରୁକଳା ଓ ୪୩୭୫ଟିରେ ଖୋଦନ ରହିଛି। ସୁନ୍ଦରଗଡ଼ ଓ ସମ୍ବଲପୁର ଅଞ୍ଚଳରୁ ଏହା ଅଧିକ ସଂଖ୍ୟାରେ ମିଳୁଛି। ଏହି ପ୍ରସ୍ତର କଳାଗୁଡ଼ିକ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବାରୁ ଏଗୁଡ଼ିକର ସଂରକ୍ଷଣ ଏକ ବିରାଟ ଆହ୍ୱାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ସେହି ଭଳି ଓଡ଼ିଶାରେ ଅନେକ ପ୍ରାଚୀନ ବୌଦ୍ଧ କୀର୍ତ୍ତି ମଧ୍ୟ ଆବିଷ୍କୃତ ହୋଇଛି। ଲାଙ୍ଗୁଡ଼ି, ଲଳିତଗିରି, ରତ୍ନଗିରି ଓ ଉଦୟଗିରି ଆଦି ଏଥିରେ ପ୍ରମୁଖ। ଏ ସବୁର ଉଦ୍ଧାର ପରେ ଓଡ଼ିଶାରେ ବୌଦ୍ଧ ଧର୍ମର ଇତିହାସ ଖ୍ରୀଷ୍ଟପୂର୍ବ ପ୍ରାୟ ତୃତୀୟ ଶତାବ୍ଦୀରୁ ନବମ-ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ଦୀର୍ଘ ସମୟ ଅବିରାମ ଭାବେ ଚାଲିଥିଲା ବୋଲି କହିଲେ ଭୁଲ୍‌ ହେବ ନାହିଁ। ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରୁ ଦଶମ ଶତାବ୍ଦୀ ମଧ୍ୟରେ ମନ୍ତ୍ର-ବୌଦ୍ଧଧର୍ମ ଭାରତ ମହାସାଗର ଅଞ୍ଚଳରେ ପ୍ରସାର ଲାଭ କରିଥିଲା। ଓଡ଼ିଶାର ବିଭିନ୍ନ ବୌଦ୍ଧ ଜିଲ୍ଲାରେ ଯଥା ମାଧବପୁର (ରତ୍ନଗିରି) ଓ ଚନ୍ଦ୍ରାଦିତ୍ୟ (ଲଳିତଗିରି)ରୁ ଶୁଭଙ୍କର ସିଂହଙ୍କ ଭଳି ବୌଦ୍ଧ ଭିକ୍ଷୁ ଦକ୍ଷିଣ-ପୂର୍ବ ଏସିଆ ଓ ଚୀନକୁ ଯାତ୍ରା କରି ମନ୍ତ୍ର-ବୌଦ୍ଧଧର୍ମର ପ୍ରସାର ଘଟାଇଥିଲେ ବୋଲି ବିଶ୍ବାସ କରାଯାଏ।

ଓଡ଼ିଶାର ପ୍ରତ୍ନତାତ୍ତ୍ବିକ ଖନନ ଏବଂ ଉଦ୍ଧାର କାର୍ଯ୍ୟରେ ଏ.ଏସ୍‌.ଆଇ. ବ୍ୟତୀତ ଅନ୍ୟାନ୍ୟ ଅନେକ ଅନୁଷ୍ଠାନ ଏବଂ ବିଶିଷ୍ଟ ଗବେଷକ ଏବଂ ପ୍ରତ୍ନତତ୍ତ୍ବବିତ୍‌ଙ୍କ ଅବଦାନ ରହିଛି। ଏମାନଙ୍କ ପ୍ରୟା‌ସ ବଳରେ ଓଡ଼ିଶାର ପ୍ରାଚୀନ ଐତିହ୍ୟର ଅନେକ ଅଂଶ ଲୋକଲୋଚନକୁ ଆସି ପାରିଛି। କିନ୍ତୁ ଏହା ମଧ୍ୟ ଏକ ବାସ୍ତବତା ଯେ ଅଧିକ ପ୍ରତ୍ନତାତ୍ତ୍ବିକ ଖନନ କରାଗଲେ ଓଡ଼ିଶାର ପ୍ରାଚୀନ ଐତିହ୍ୟ ବାବଦରେ ଆହୁରି ଅଧିକ ସୂଚନା ମିଳିପାରିବ।
(‘ଆମ ଓଡ଼ିଶା ବକ୍ତୃତାମାଳା’ କ୍ରମରେ ପ୍ରଦତ୍ତ ଅଭିଭାଷଣର ସମ୍ପାଦିତ ଅଂଶ)
ଲେଖକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି
ମୋ: ୮୮୯୫୬୧୫୬୩୬

Leave A Reply

Your email address will not be published.