ଓଡିଶା
Andhra Pradesh: ଆନ୍ଧ୍ରପ୍ରଦେଶ ଉପରେ ଭରସା: ଭଦ୍ରକର ଚାହିଦା ମେଣ୍ଟାଇ ପାରୁନି ଉତ୍ପାଦିତ ମାଛ
ଭଦ୍ରକରେ ଆବଶ୍ୟକ ପରିମାଣର ମାଛ ମିଳୁନି। ଜିଲ୍ଲା ପାଇଁ ବାର୍ଷିକ ୧.୫ ଲକ୍ଷ କ୍ବିଣ୍ଟାଲ୍ ଆବଶ୍ୟକ ଥିବା ବେଳେ ୭୫ ହଜାର କ୍ବିଣ୍ଟାଲ୍ ମାଛ ଉତ୍ପାଦନ ହେଉଛି। ଫଳରେ ଅଭାବ ଦୂର ପାଇଁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି।

ହରିହର ନାୟକ
ଭଦ୍ରକ: ଭଦ୍ରକରେ ଆବଶ୍ୟକ ପରିମାଣର ମାଛ ମିଳୁନି। ଜିଲ୍ଲା ପାଇଁ ବାର୍ଷିକ ୧.୫ ଲକ୍ଷ କ୍ବିଣ୍ଟାଲ୍ ଆବଶ୍ୟକ ଥିବା ବେଳେ ୭୫ ହଜାର କ୍ବିଣ୍ଟାଲ୍ ମାଛ ଉତ୍ପାଦନ ହେଉଛି। ଫଳରେ ଅଭାବ ଦୂର ପାଇଁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ସୂଚନା ଅନୁସାରେ, ଭଦ୍ରକରେ ଅନେକ ସ୍ବୟଂସହାୟିକା ଗୋଷ୍ଠୀ ମାଛଚାଷ କରୁଛନ୍ତି। ଜିଲ୍ଲାର ୨୭୪୫ଟି ପୋଖରୀରେ ମାଛଚାଷ ହେଉଛି। ତିହିଡ଼ି ବ୍ଲକ୍ରେ ୩୩୪ଟି, ଚାନ୍ଦବାଲି ବ୍ଲକ୍ରେ ୬୦୬ଟି, ଭଣ୍ଡାରିପୋଖରୀ ବ୍ଲକ୍ରେ ୩୧୨ଟି, ଧାମନଗର ବ୍ଲକ୍ରେ ୧୩୦ଟି, ବାସୁଦେବପୁର ବ୍ଲକ୍ରେ ୭୦୧ଟି, ବନ୍ତ ବ୍ଲକ୍ରେ ୩୨୫ଟି ଓ ଭଦ୍ରକ ବ୍ଲକ୍ରେ ୩୫୦ଟି ପୋଖରୀରେ ମାଛଚାଷ ଚାଲିଛି। ସେହିପରି ଜିଲ୍ଲାରେ ୨୭୨୩ଟି ପୋଖରୀରେ ମିସନ୍ ଶକ୍ତି ମହିଳାମାନେ ମାଛଚାଷ କରୁଛନ୍ତି। ଜିଲ୍ଲାର ୪୩୦ଟି ପ୍ରାକୃତିକ ଜଳଉତ୍ସରୁ ମଧ୍ୟ ମଧୁର ଜଳ ମାଛ ଉତ୍ପାଦନ କରାଯାଉଛି। ଜିଲ୍ଲାରେ ମୋଟ ୫୯୩୩ଟି ଘେରି (କୃତ୍ରିମ ପୋଖରୀ) ରହିଛି, ଯେଉଁଠି ଚିଙ୍ଗୁଡ଼ି ଚାଷ ହେଉଛି। ସେଥିମଧ୍ୟରୁ ଚାନ୍ଦବାଲିରେ ୩୦୮୪ଟି, ବାସୁଦେବପୁରରେ ୨୬୩୯ଟି ଓ ତିହିଡ଼ିରେ ୨୧୦ଟି ଘେରି ଥିବା ଜଣାପଡ଼ିଛି। ଅନ୍ୟପଟେ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ୍ରେ ୧୧ଟି ମତ୍ସ୍ୟ ଅବତରଣ କେନ୍ଦ୍ର ଥିବାବେଳେ ବାର୍ଷିକ ଲକ୍ଷଲକ୍ଷ କ୍ବିଣ୍ଟାଲ୍ ସାମୁଦ୍ରିକ ମାଛ ମଧ୍ୟ ମିଳୁଛି।
ଆବଶ୍ୟକ ୧.୫ ଲକ୍ଷ କ୍ବିଣ୍ଟାଲ୍, ମିଳୁଛି ୭୫ ହଜାର କ୍ବିଣ୍ଟାଲ୍
ଆନ୍ଧ୍ରପ୍ରଦେଶ ଉପରେ ଭରସା
ଆନ୍ଧ୍ରପ୍ରଦେଶ ଉପରେ ଭରସା
ତେବେ ଉତ୍ପାଦନ ହେଉଥିବା ମାଛ, ଜିଲ୍ଲାର ଆବଶ୍ୟକତା ପୂରଣ କରିପାରୁନି। ଜିଲ୍ଲା ପାଇଁ ବାର୍ଷିକ ୧.୫ ଲକ୍ଷ କ୍ବିଣ୍ଟାଲ୍ ମାଛ ଆବଶ୍ୟକ ଥିବାବେଳେ ଏହାର ୫୦ ପ୍ରତିଶତ ମାଛ ଉତ୍ପାଦନ ହେଉଛି। ଫଳରେ ଭଦ୍ରକ ବଜାର ଆନ୍ଧ୍ରପ୍ରଦେଶ ମାଛ ଉପରେ ନିର୍ଭର କରୁଛି। ତିହିଡ଼ି, ଦୋଳସାହି, କମାରିଆ, ପୀରହାଟ, ମତୋ, ଧାମରା, ଚାନ୍ଦବାଲି, ଭଦ୍ରକ, ଧାମନଗର, ଭଣ୍ଡାରିପୋଖରୀ, ବାସୁଦେବପୁର ଆଦି ମାଛହାଟରେ ଆନ୍ଧ୍ର ବେପାରୀମାନେ ହାକିମାତି ଚଳାଇଛନ୍ତି। ଉଲ୍ଲେଖ ଥାଉକି, ଭଦ୍ରକ ଜିଲ୍ଲାରେ ପ୍ରାୟ ୧.୩୩ ଲକ୍ଷ ମତ୍ସ୍ୟଜୀବୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଚାନ୍ଦବାଲିରେ ୫୧୮୦୩ ଜଣ, ତିହିଡ଼ିରେ ୧୩୪୮୫ ଜଣ, ଭଦ୍ରକରେ ୫୪୪୯ ଜଣ, ବନ୍ତରେ ୫୦୫୩ ଜଣ, ବାସୁଦେବପୁରରେ ୪୬,୭୫୦ ଜଣ, ଧାମନଗରରେ ୫,୪୯୪ ଜଣ ଏବଂ ଭଣ୍ଡାରିପୋଖରୀରେ ୫,୭୭୫ ଜଣ ମତ୍ସ୍ୟଜୀବୀ ଥିବା ଜଣାପଡ଼ିଛି। ସେହିପରି ଜିଲ୍ଲାର ଧାମରା, ଚନ୍ଦନୀପାଳ, ବଇଁଚା, କଇଥଖୋଲା, କରଣପଲ୍ଲୀ, କରଞ୍ଜମାଳ ଓ କାଳିନାଳି ମତ୍ସ୍ୟ ଅବତରଣ କେନ୍ଦ୍ରରେ ୫୯୨ଟି ମାଛଧରା ବୋଟ୍ ଏବଂ ଚୁଡ଼ାମଣି, କସିଆ, ବିଦେଇପୁର ଓ କାଂଶବାଶ ମତ୍ସ୍ୟ ଅବତରଣ କେନ୍ଦ୍ରରେ ୩୪୮ଟି ମାଛଧରା ବୋଟ୍ ରହିଛି। ଏଭଳି ସ୍ଥିତିରେ ଜିଲ୍ଲାରେ ମାଛ ଉତ୍ପାଦନ ବୃଦ୍ଧି ପାଇଁ ଜିଲ୍ଲା ମତ୍ସ୍ୟ ବିଭାଗ ବିହିତ ପଦକ୍ଷେପ ନେବା ଉଚିତ। ମାଛଚାଷୀଙ୍କୁ କିପରି ସରକାରୀ ପ୍ରୋତ୍ସାହନ ମିଳିବ ଏବଂ ଚାଷ ବୃଦ୍ଧି ପାଇବ, ସେନେଇ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ହେବା ଦରକାର ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ସୌଜନ୍ୟ ସମ୍ବାଦ




