Breaking News

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ କୁମାର ଷଡଙ୍ଗୀ

କଟକ : ଓଡିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅରୁଣ କୁମାର ଷଡଙ୍ଗୀ  ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ୟ୍ୟାଳୟଠାରେ ପୂର୍ବତନ ଡିଜିପି  ସୁନୀଲ କୁମାର ବଂସଲଙ୍କ ଠାରୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଉପସ୍ଥିତ ବରିଷ୍ଠ ଅଧିକାରୀ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ ଜଣାଇଥିଲେ । ଏହାପରେ ଡିଜିପି ଶ୍ରୀ ଷଡଙ୍ଗୀ  ଶହିଦ ସ୍ମୃତି ସ୍ତମ୍ଭ ଠାରେ ମାଲ୍ୟାର୍ପଣ  କରିଥିଲେ ।ଏହାପରେ ସେ ଦାୟିତ୍ଵ ଗ୍ରହଣ କରିଥିଲେ । 
ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଡିଜିପି ଶ୍ରୀ ଷଡଙ୍ଗୀ କହିଥିଲେ ଯେ  ଓଡିଶା ପୋଲିସର ସ୍ଵତନ୍ତ୍ର ଗରିମା ଏବଂ ଗୌରବ ରହିଛି । ଗତ କିଛି ବର୍ଷ ଧରି ରାଜ୍ୟ ପୋଲିସକୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି ବୋଲି କହିଥିଲେ । ପୋଲିସକୁ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ରହିଛି ବୋଲି ସେ କହିବା ସହ  ରାଜ୍ୟ ସରକାରଙ୍କ ସହଯୋଗରେ ଆଗାମୀ ଦିନରେ ପୋଲିସ ଅଧିକ ଶକ୍ତିଶାଳୀ ହେବ । ଏହି ଅତିରିକ୍ତ ଦାୟିତ୍ଵର ସମୟ ସୀମା ମଧ୍ୟରେ ସମସ୍ତଙ୍କ  ସହଯୋଗରେ ନିଜର ଦାୟିତ୍ଵ ନିର୍ବାହ କରିବେ ବୋଲି ମତବ୍ୟକ୍ତ କରିଥିଲେ ।  ଅପରାଧ ନିରାକରଣ, ଅପରାଧ ଅନୁସନ୍ଧାନ ଏବଂ ଆଇନ ଶୃଙ୍ଖଳା କ୍ଷେତ୍ରରେ ଯେମିତି କୌଣସି ଉଦାସୀନତା ଦେଖାନଯିବ ସେଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବି ବୋଲି ପ୍ରତିକ୍ରିୟା ରଖିଥିଲେ । ସାଧାରଣ ଲୋକଙ୍କୁ ଗୁଣାତ୍ମକ ପୋଲିସ ସେବା ଯୋଗାଇଦେବା ସହ ସମାଜକୁ ଅପରାଧ ମୁକ୍ତ,ଅପରାଧ ଦମନ, ଏବଂ ସଶକ୍ତ ସମାଜ ଗଠନ ଉପରେ ଗୁରୁତ୍ଵାରୋପ କରିଥିଲେ ।
ସୂଚନାଯୋଗ୍ୟଯେ ୧୯୯୦ ବ୍ୟାଚର ଆଇପିଏସ୍ ଅଧିକାରୀ ଶ୍ରୀ ଷଡଙ୍ଗୀ ବଲାଙ୍ଗୀର ଜିଲ୍ଲାର ମୂଳବାସିନ୍ଦା ଅଟନ୍ତି । ତାଙ୍କ ଚାକିରି କାଳ ମଧ୍ୟରେ ସେ ରାୟଗଡ଼ା, ଜଗତସିଂହପୁର, ବ୍ରହ୍ମପୁର, କଟକ (ରେଲୱେ), ଏଟିସି (ଏନଫୋର୍ସମେଣ୍ଟ), କୋରାପୁଟ, ଖୋର୍ଦ୍ଧା, ରାଉରକେଲା, କ୍ରାଇମବ୍ରାଞ୍ଚର ଆରକ୍ଷୀ ଅଧିକ୍ଷକ ଭାବେ କାର୍ୟ୍ୟ କରିଛନ୍ତି । ପରେ ଡିଆଇଜିଭାବେ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ (ତାଳଚେର),ଅପରେସନ(ଭୁବନେଶ୍ବର),ଆଇନଓ ଶୃଙ୍ଖଳା,କଟକ ଠାରେ କାର୍ୟ୍ୟ କରିଥିଲେ । ସେହିପରି ଆଇଜିପି (ଆଇନ ଓ ଶୃଙ୍ଖଳା), କଟକ ସମେତ ବିପିଏସପିଏ, ଭୁବନେଶ୍ବରର  ଅତିରିକ୍ତ ଦାୟିତ୍ଵ ତୁଲାଇ ଥିଲେ । ବିପିଏସପିଏ ର ଆଇଜିପି (ଟ୍ରେନିଂ), ଆଇଜିପି (ଅପରେସନ), (ଗୁଇନ୍ଦା), ଭିଜିଲାନ୍ସ  ଭାବେ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହି ସଫଳତାର ସହ କାର୍ୟ୍ୟ କରିଥିଲେ । ଏହାପରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଗୁଇନ୍ଦା) ଏବଂ ନିର୍ଦ୍ଦେଶକ (ବିପିଏସପିଏ), ଭୁବନେଶ୍ବରରେ କାର୍ୟ୍ୟ କରୁଥିଲେ । ଏହାପରେ ତାଙ୍କର ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ହୋଇଥିଲା । ଏବେମଧ୍ୟ ସେଠାରେ ସେ ନିର୍ଦ୍ଦେଶକ (ବିପିଏସପିଏ) ଭାବେ କାର୍ୟ୍ୟରତ ଅଛନ୍ତି । ଦାୟିତ୍ୱ ଗ୍ରହଣ ସମୟରେ ରାଜ୍ୟ ପୋଲିସ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ପୋଲିସ ମୁଖ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Comments are closed.