
କୁଳିଅଣା: ଆଜି ସକାଳେ କୁଳିଅଣା ଥାନା ଅନ୍ତର୍ଗତ ଦିଗାରିଅ ସ୍ତିଆ ଗ୍ରାମର ଜଣେ ବୃଦ୍ଧ ବୁଢାବଳଙ୍ଗ ନଦୀ କୂଳକୁ ଶୌଚ ହେବାପାଇଁ ଯାଇଥିବା ବେଳେ ହାତୀଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି l ମୃତକ ହେଉଛନ୍ତି ବିଲୁ ଗିରି(୬୦) l ଏହାର ପ୍ରତିବାଦରେ ଆଜି ପୂର୍ବାହ୍ନରେ ୧୮ ନମ୍ବର ଜାତୀୟ ରାଜପଥ ବାଲିମୁଣ୍ଡୁଳି ଜେଜେ ଢ଼ାବା ସମ୍ମୁଖରେ ଉତ୍ୟକ୍ତ ଜନତା ରାଜପଥ ଅବରୋଧ କରିବା ଫଳରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି l ଆନ୍ଦୋଳନକାରୀଙ୍କ ଦାବି ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ ସହିତ ହାତୀପଲଙ୍କୁ ଅବିଳମ୍ବେ ଶିମିଳିପାଳ ଜାତୀୟ ଉଦ୍ୟାନରେ ଛଡା ଯାଉ, ଜ଼ିଲ୍ଲାପାଳ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରନ୍ତୁ l
ଶିମିଳିପାଳ ଜାତୀୟ ଉଦ୍ୟାନରୁ ପ୍ରଥମେ ୫ଟିକିଆ ହାତୀପଲ ଏ ଅଞ୍ଚଳରୁ ଆସିଥିଲେ
ଗତକାଲି ରାତିରେ ୪ଟିକିଆ ହାତୀପଲ ଫସଲ ଖାଇବା ଉଦ୍ଦେଶ୍ୟରେ ଏ ଅଞ୍ଚଳକୁ ଚାଲି ଆସିଥିଲେ l ଦେଉଳି ରେଞ୍ଜ କୁଳିଅଣା ବନପାଳ ବିଜୟ କୁମାର ସେଠୀଙ୍କ ସମେତ ଅନ୍ୟ ବନ କର୍ମଚାରୀମାନେ ଏହି ହାତୀପଲଙ୍କୁ ଘଉଡ଼ାଇବା ନିମନ୍ତେ ନିୟୋଜିତ ହୋଇଥିଲେ l ବିଗତ ଛଅ ମାସ ହେଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ପ୍ରଥମେ ୫ଟିକିଆ ହାତୀପଲ ଏ ଅଞ୍ଚଳରୁ ଆସିଥିଲେ l ତନ୍ମଧ୍ୟରୁ ଗୋଟିଏ ଦନ୍ତା ଶିମିଳିପାଳ ଫେରି ଯାଇଥିବା ବେଳେ ଆଉ ୪ଟି ହାତୀ ଫେରିବାର ନାମ ଧରୁନାହାନ୍ତି l ଏହି ୪ ଟିକିଆ ହାତୀପଲ ମଧ୍ୟରେ ଗୋଟିଏ ଦନ୍ତା, ଦୁଇଟି ମାଈହାତୀ ଓ ଗୋଟିଏ ହାତୀ ଶାବକ ଥିବା ଜଣାପଡିଛି l ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ପରେ ସେଠାରେ ଉତ୍ତେଜନା ଦେଖାଦେଇଛି l କୁଳିଅଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ପ୍ରତି ନଜର ରଖିଛି।
ସୌଜନ୍ୟ ସମ୍ବାଦ




