ଅପରାଧବିଶେଷ

Avoid Valentine’s Day Fraud: ଅର୍ଥ ସୂତ୍ର: ଭାଲେଣ୍ଟାଇନ୍‌ସ ଠକେଇରୁ ବଞ୍ଚନ୍ତୁ

ସଂପ୍ରତି ଭାରତରେ ଭାଲେଣ୍ଟାଇନ୍‌ସ ସପ୍ତାହକୁ ପ୍ରେମର ପର୍ବ ଭାବେ ପାଳନ କରିବା ଯୁବ ବର୍ଗ ପାଇଁ ଏକ ସଉକରେ ପରିଣତ ହୋଇଛି। ତେବେ ଏହି ସମୟରେ ଉପହାର ବା ଗିଫ୍‌ଟ କିଣାକିଣି ବଢ଼ିଯାଇଥାଏ।

ସଂପ୍ରତି ଭାରତରେ ଭାଲେଣ୍ଟାଇନ୍‌ସ ସପ୍ତାହକୁ ପ୍ରେମର ପର୍ବ ଭାବେ ପାଳନ କରିବା ଯୁବ ବର୍ଗ ପାଇଁ ଏକ ସଉକରେ ପରିଣତ ହୋଇଛି। ତେବେ ଏହି ସମୟରେ ଉପହାର ବା ଗିଫ୍‌ଟ କିଣାକିଣି ବଢ଼ିଯାଇଥାଏ। ସେହିପରି ଚାଟିଂ, ଡେଟିଂ ଆଦି ଅନ୍‌ଲାଇନ୍‌ କାର୍ଯ୍ୟକଳାପ ମଧ୍ୟ ବଢ଼ିଯାଏ। ଅନ୍‌ଲାଇନ୍‌ ବଜାରରୁ କିଣାକିଣି ସବୁଠାରୁ ସହଜ ହୋଇଥିବାରୁ ଏହି ସମୟରେ ଅନ୍‌ଲାଇନ୍‌ କାରବାର ବି ହଠାତ୍‌ ବଢ଼ିଯାଏ। ଏହା ସହିତ ତାଳ ଦେଇ ସକ୍ରିୟ ହୋଇଉଠନ୍ତି ଅନ୍‌ଲାଇନ୍‌ ଠକ। ଭାଲେଣ୍ଟାଇନ୍‌ସ ଡେ’ ଭିତ୍ତିକ ଅଳଙ୍କାର, ଚକୋଲେଟ୍‌ ବା ଅତର ଭଳି ସାମଗ୍ରୀ ବିକ୍ରି କରୁଥିବା ନାନା ଛଦ୍ମ ୱେବ୍‌ସାଇଟ୍‌ ଖୋଲି ଠକମାନେ ସାମଗ୍ରୀ ବାବଦକୁ ଟଙ୍କା ନେଇଯାଆନ୍ତି କିନ୍ତୁ ଜିନିଷ କେବେ ଆସେ ନାହିଁ।

ସାମାଜିକ ଗଣମାଧ୍ୟମ ଓ ଡେଟିଂ ଆପ୍‌ରେ ଠକମାନେ ପ୍ରେମ ନିବେଦନ କରି ଖୁବ୍ କମ୍ ସମୟରେ ଘନିଷ୍ଠ ବ୍ୟକ୍ତି ପରି ବ୍ୟବହାର କରନ୍ତି ଏବଂ ସମସ୍ୟାରେ ପଡ଼ିଥିବା ଆଳରେ ଟଙ୍କା ମାଗନ୍ତି। ତେଣୁ ଯାହାକୁ ବ୍ୟକ୍ତିଗତ ଭାବେ ଭେଟିନାହାନ୍ତି ତାଙ୍କୁ କୌଣସି ପରିସ୍ଥିତିରେ ଟଙ୍କା ଦିଅନ୍ତୁ ନାହିଁ। ଠକମାନେ ଆପଣଙ୍କ ବନ୍ଧୁପରିଜନ ବୋଲି କହି ଆପଣଙ୍କୁ ସାହାଯ୍ୟ ମାଗିଲେ, ସେହି ବ୍ୟକ୍ତିଙ୍କୁ ଫୋନ୍‌ ମାଧ୍ୟମରେ ପ୍ରଥମେ ଯୋଗାଯୋଗ କରନ୍ତୁ। ସେହିପରି ଭାଲେଣ୍ଟାଇନ୍‌ସ ଡେ ଉପଲକ୍ଷେ ଆପଣଙ୍କୁ ଉପହାର ମିଳିଛି ବୋଲି ମେସେଜ୍‌ ଆସିପାରେ, ଯେଉଁଥିରେ ଉପହାର ହାସଲ ଲାଗି ଲିଙ୍କ୍‌ ଖୋଲିବାକୁ ନିର୍ଦେଶ ଥାଏ। ଏଭଳି ଲିଙ୍କ୍‌ରେ ନିଜର ବ୍ୟାଙ୍କ୍‌ ତଥ୍ୟ ପ୍ରଦାନ କଲେ ଠକେଇର ଶିକାର ହେବା ସୁନିଶ୍ଚିତ।

ସୋସିଆଲ ମିଡିଆରେ ଡିନର୍‌ କିମ୍ବା ଲୋଭନୀୟ ଅଫର୍‌ ମିଳିବା କହି ଠକମାନେ ଯୁବକଯୁବତୀମାନଙ୍କୁ ଠକିବା ପାଇଁ ଏହି ସମୟରେ ଉଦ୍ୟମ କରିଥାନ୍ତି। ତେଣୁ ଏଭଳି ପୋଷ୍ଟକୁ ଗୁରୁତ୍ବ ଦେବା ଉଚିତ ନୁହେଁ। ତେଣୁ ଭାଲେଣ୍ଟାଇନ୍‌ସ ସପ୍ତାହକାଳୀନ ଠକେଇରୁ ବର୍ତ୍ତିବା ପାଇଁ ଅଜଣା ବ୍ୟକ୍ତିଙ୍କ ପାଖରୁ ଆସୁଥିବା ସୂଚନାକୁ ସତର୍କତାର ସହ ବିଚାର କରନ୍ତୁ,  ଉତ୍ସକୁ ପରୀକ୍ଷା କରନ୍ତୁ ଏବଂ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button