Breaking News

ସଙ୍କଟ ସମୟର ସାଥୀ, ଏକତା ଦେଖାଇଲା ଓଡ଼ିଶା

ବିପଦ ବେଳେ କେମିତି କରାଯାଏ ଏକାଠି ମୁକାବିଲା, ଉଦାହରଣ ପାଲଟି ବିଶ୍ୱ ଦରବାରକୁ ଦେଖାଇଲା ଓଡ଼ିଶା

0

ଭୁବନେଶ୍ବର: କରମଣ୍ଡଳ ଦୁର୍ଘଟଣା ଦେଶକୁ ଦୋହଲାଇଛି ଆଉ କନ୍ଦାଇଛି । କରୁଣ କାହାଣୀ ଭିତରେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥିଲା ଯାହା ଓଡ଼ିଶାର ଏକତାକୁ ବିଶ୍ୱ ଦରବାରରେ ବାଃ ବାଃ ମିଳୁଛି । ବିପଦବେଳେ ଗୋଟେ ରାଜ୍ୟ କେମିତି ଏକତା ଦେଖାଏ ତାହା ଟ୍ରେନ୍ ଆକ୍ସିଡେଣ୍ଟ ପରେ ଦେଖିବାକୁ ମିଳିଥିଲା । ବାହାନଗା ବାଲେଶ୍ୱରରୁ ଭୁବନେଶ୍ୱର, କଟକରୁ କଳାହାଣ୍ଡି, ପୂରା ଓଡ଼ିଶା ରାତି ଅନିଦ୍ରା ହୋଇ ସହାୟତା ପାଇଁ ଆଗେଇ ଆସିଥିବାର ଚିତ୍ର ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ସନ୍ଧ୍ୟାରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଘଡ଼ିକୁ ଘଡ଼ି କଡ଼ ଲେଉଟାଇବାରେ ଲାଗିଥାଏ । ଆହତଙ୍କ ସଂଖ୍ୟା ଧିରେ ଧିରେ ବଢୁଥିବାବେଳେ, ମୃତକଙ୍କ ସଂଖ୍ୟା ଏକାଧିକ ହେବାରେ ଲାଗିଲା । ରାତି ଯେତେ ବଢୁଥାଏ ସ୍ଥିତି ସେତେ ସାଂଘାତିକ୍ ହେବାରେ ଲାଗିଥାଏ । ଆଖପାଖ ଅଞ୍ଚଳର ଲୋକେ ଲୌହ ଦାନବର ରକ୍ତ ଭୋଜି ଖବର ଶୁଣି ଘଟଣାସ୍ଥଳକୁ ଧାଇଁଗଲେ ଆଉ ସେଠାରେ ପହଞ୍ଚି ବା ପରେ ଚାରିଆଡୁ ଶୁଭୁଥାଏ ଆର୍ତ୍ତଚିକ୍ରାର । କିଏ ଟ୍ରେନ୍ ତଳେ ଚାପି ହୋଇଛି ତ କିଏ ଟ୍ରାକରେ କଟିଯାଇଥିବା ଅଧା ଶରୀରରେ ପଡ଼ିଛି । ସଙ୍କଟମୋଚକ ହୋଇ ସ୍ଥାନୀୟ ଲୋକେ ଉଦ୍ଧାର କାର୍ୟ୍ୟରେ ଲାଗିପଡ଼ିଲେ ।

ଏପଟେ କରମଣ୍ଡଳ କାହାଣୀ ଖଣ୍ଡମଣ୍ଡଳକୁ ବ୍ୟାପିବାରେ ଲାଗିଲା, ଆଉ ପରେ ଭଦ୍ରକରୁ ଭୁବନେଶ୍ୱର, ବାଲେଶ୍ୱରରୁ ବରଗଡ଼, ସବୁ ରକ୍ତଦାନ କେନ୍ଦ୍ରରେ ଲୋକ ଲଗାଇଲେ ଲମ୍ବା ଲାଇନ୍ । ଜୀବନ-ମୃତ୍ୟୁର ଦୋ-ଛକିରେ ଥିବା ପ୍ରାଣରେ ପ୍ରାଣବାୟୁ ଭରି ଦେବାପାଇଁ ଅହରାତ୍ର ଦେଖିବାକୁ ମିଳିଲା ଆମ୍ବୁଲାନ୍ସ ସେବା । ସ୍ଥାନୀୟ ଲୋକଙ୍କଠୁ ଆରମ୍ଭ କରି ଯିଏ ଯେମିତି ପାରିଲା ସହାୟତାର ହାତ ରାତାରାତି ବଢ଼ାଇଲା ।

ଅନେକ ଲୋକ ସୋସିଆଲ ମିଡ଼ିଆରେ ଖବରକୁ ଚାରିଆଡେ ପହଞ୍ଚାଇଲେ । କିଏ ପ୍ରାର୍ଥନା ତ କିଏ ପ୍ରିୟ ପରିଜନଙ୍କ ପାଖରେ କରମଣ୍ଡର ଦୁର୍ଘଟଣା ହୋଇଥିବା ଜଣାଇଲେ । ପ୍ରଶାସନ ସହ ମିଶି କାନ୍ଧରେ କାନ୍ଧ ମିଳାଇ ମୃତ୍ୟୁର ଫାଶରୁ ଅନେକ ଜୀବନ ଏହିମାନଙ୍କ ପାଇଁ ବଞ୍ଚିଗଲା । ହଁ ମୃତ୍ୟୁ ସଂଖ୍ୟା ବଢୁଥାଏ, ଏପରିକି ଆହତଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଥାଏ ହେଲେ ଆଶା ଛାଡ଼ିନଥିଲା ଓଡ଼ିଶା । ଓଡ୍ରାଫ୍-ଏନଡିଆରଏଫ୍ ସହ ମିଶି ଉଦ୍ଧାର ଅପରେସନରେ ହାତମୁଠାକୁ ଟାଣ କରିଥିଲେ । ରକ୍ତ ଜୁଡୁବୁଡୁ ଶରୀରକୁ କାନ୍ଧରେ ବୁହାଇନେଇ କିଏ ଆମ୍ବୁଲାନ୍ସକୁ ଯାଉଥାଏ ତ କିଏ ହସ୍ପିଟାଲକୁ । ସ୍ୱାର୍ଥପର ଦୁନିଆରେ ସଙ୍କଟବେଳର ସଙ୍କଟମୋଚକ ସାଜି ସତେ ଯେମିତି ଯମ ଫାଶ ଆଗରେ କବଚ ସାଜିଥିଲା ଓଡ଼ିଶା ।

ମଣିଷପଣିଆ ଦେଖାଇ ମାନବିକତାକୁ ଜିତିଥିବା ସମସ୍ତ ରିୟଲ ହିରୋଙ୍କୁ ପରିଚିତ କରିନପାରିଲେ ବି ତାଙ୍କୁ କେଇ ପଦ ଶବ୍ଦରେ ଆସନ୍ତୁ ସମ୍ବର୍ଦ୍ଧିତ କରିବା ।

କରମଣ୍ଡଳ ପକାଇଲା ଚହଳ
ଲୌହ ଦାନବ ଖେଳିଲା ରକ୍ତର ଖେଳ
ଖବର ବ୍ୟାପିଲା ଯେବେ ଖଣ୍ଡମଣ୍ଡଳ
ଓଡ଼ିଶା ଦେଖାଇଲା ଏକତାର ବଳ
ଯାନ୍ତ୍ରିକ ରାକ୍ଷସ ରକ୍ତ ପିଉଥାଏ
କିଏ ଖାଦ୍ୟ, କିଏ ପାଣି ପିଆଉଥାଏ
ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ
ଲମ୍ବା ଲାଇନରେ ଲୋକେ କଲେ ରକ୍ତଦାନ
ବିଧାତା ନେଉଥିଲା ବଡ଼ ପରୀକ୍ଷା
ଏକାଠି ହୋଇ ଓଡ଼ିଶା କଲା ଜୀବନ ରକ୍ଷା

Leave A Reply

Your email address will not be published.