Balochistan: ୧୯୦ ବଲୁତ ବିଦ୍ରୋହୀ ନିହତ; ବିଦ୍ରୋହୀଙ୍କୁ ସମର୍ଥନ ଅଭିଯୋଗକୁ ଖଣ୍ଡନ କଲା ଭାରତ
ପାକିସ୍ତାନୀ ସଶସ୍ତ୍ର ବାହିନୀ ବଲୁଚିସ୍ତାନ ପ୍ରଦେଶରେ ଅନେକ ଆକ୍ରମଣ ପଛରେ ଥିବା ବିଚ୍ଛିନ୍ନତାବାଦୀଙ୍କୁ ଖୋଜିବା ଜାରି ରଖିଛି। ଏହା ପଛରେ ଭାରତର ହାତ ଥିବା ଇସଲାମାବାଦ ଅଭିଯୋଗ କରିଛି। ନୂଆଦିଲ୍ଲୀ ଏହି ଅଭିଯୋଗକୁ ଖଣ୍ଡନ କରିଛି।

ନୂଆଦିଲ୍ଲୀ: ପାକିସ୍ତାନୀ ସଶସ୍ତ୍ର ବାହିନୀ ବଲୁଚିସ୍ତାନ ପ୍ରଦେଶରେ ଅନେକ ଆକ୍ରମଣ ପଛରେ ଥିବା ବିଚ୍ଛିନ୍ନତାବାଦୀଙ୍କୁ ଖୋଜିବା ଜାରି ରଖିଛି। ଏହା ପଛରେ ଭାରତର ହାତ ଥିବା ଇସଲାମାବାଦ ଅଭିଯୋଗ କରିଛି। ନୂଆଦିଲ୍ଲୀ ଏହି ଅଭିଯୋଗକୁ ଖଣ୍ଡନ କରିଛି। ପାକିସ୍ତାନୀ ସେନା ଓ ବିଦ୍ରୋହୀଙ୍କ ଭିତରେ ଗୁଳିବିନିମୟରେ ଦୁଇ ଦିନ ମଧ୍ୟରେ ବଲୋଚ ବିଦ୍ରୋହୀ, ସାଧାରଣ ନାଗରିକ ଓ ସୁରକ୍ଷା ବାହିନୀଙ୍କ ସମେତ ୧୯୦ରୁ ଅଧିକ ଲୋକ ନିହତ ହୋଇଛନ୍ତି।
ବଲୁଚିସ୍ତାନ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ବିଦ୍ରୋହୀମାନେ ବ୍ୟାଙ୍କ, ଜେଲ୍, ପୁଲିସ୍ ଷ୍ଟେସନ୍ ଓ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରି ଅତି କମ୍ରେ ୩୧ ଜଣ ସାଧାରଣ ନାଗରିକ ଓ ୧୭ ଜଣ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିବାର ଗୋଟିଏ ଦିନ ପରେ ସୈନ୍ୟମାନେ କମ୍ବିଂ ଅପରେସନ ଚଳାଇଛନ୍ତି। ଏଥିରେ ଅତି କମ୍ରେ ୧୪୫ ଜଣ ଆକ୍ରମଣକାରୀ ମଧ୍ୟ ନିହତ ହୋଇଛନ୍ତି ବୋଲି ସେ କହିଛନ୍ତି। ଗତ ଦୁଇ ଦିନ ଧରି ସମଗ୍ର ପ୍ରଦେଶରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ସଡ଼କ ଯାତାୟାତ ବ୍ୟାହତ ହୋଇଛି ଓ ରେଳ ସେବା ସ୍ଥଗିତ ରହିଛି।
ଭାରତ ବିଭାଜନ କରିବା ପରେ ପାକିସ୍ତାନ ସୃଷ୍ଟି ହେବା ଦିନଠାରୁ ବଲୋଚ ବିଚ୍ଛିନ୍ନତାବାଦୀଙ୍କ ବିଦ୍ରୋହ ଅନେକ ଦଶନ୍ଧି ଧରି ଚାଲିଆସୁଛି। ବଲୋଚ ଗୋଷ୍ଠୀ ଦାବି କରନ୍ତି ଯେ ପାକିସ୍ତାନରେ ସେମାନଙ୍କ ସଂସ୍କୃତି, ଭାଷା ଓ ଜାତିକୁ ସମ୍ମାନ ଦିଆଯାଏ ନାହିଁ। ଏହି ଗୋଷ୍ଠୀଗୁଡ଼ିକ ଆଫଗାନିସ୍ତାନ ଓ ଇରାନ ସୀମାବର୍ତ୍ତୀ ଖଣିଜ ସମୃଦ୍ଧ ପ୍ରଦେଶରେ ସୁରକ୍ଷା ବାହିନୀ ଓ ବେଳେବେଳେ ବିଦେଶୀ ନାଗରିକଙ୍କ ଉପରେ ସଶସ୍ତ୍ର ଆକ୍ରମଣ କରନ୍ତି। ପାକିସ୍ତାନର ସବୁଠାରୁ ଗରିବ ପ୍ରଦେଶ ତଥା ଭୂଭାଗ ଦୃଷ୍ଟିରୁ ବୃହତ୍ ବଲୁଚିସ୍ତାନ ଶିକ୍ଷା, ନିଯୁକ୍ତି ଓ ଅର୍ଥନୈତିକ ବିକାଶ ସମେତ ପ୍ରାୟ ପ୍ରତ୍ୟେକ ସୂଚକାଙ୍କରେ ଦେଶର ଅନ୍ୟ ଅଞ୍ଚଳଠାରୁ ପଛରେ ରହିଛି। ଆମେରିକା ଦ୍ବାରା ଆତଙ୍କବାଦୀ ସଂଗଠନ ଭାବରେ ନାମିତ ଏହି ଗୋଷ୍ଠୀ କହିଛି ଯେ ବନ୍ଧୁକ ଆକ୍ରମଣ ଓ ଆତ୍ମଘାତୀ ବିସ୍ଫୋରଣରେ ଏହା ସାମରିକ ପ୍ରତିଷ୍ଠାନ ତଥା ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରିଛି।
ଶନିବାର ବିଳମ୍ବିତ ରାତିରେ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ କ୍ୱେଟା ଯାଇଥିବା ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ମୋହସିନ୍ ନକଭି ଦାବି କରିଛନ୍ତି ଯେ ଆକ୍ରମଣକାରୀଙ୍କୁ ଭାରତ ସମର୍ଥନ କରୁଛି। ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ମଧ୍ୟ ସମାନ ଦାବି କରିଛନ୍ତି। ଏହାର ଜବାବରେ ଭାରତ କହିଛି: ପାକିସ୍ତାନ ଦ୍ୱାରା କରାଯାଇଥିବା ଭିତ୍ତିହୀନ ଅଭିଯୋଗକୁ ଆମେ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ, ଯାହା ନିଜର ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବା ପାଇଁ ଏକ ସାଧାରଣ କୌଶଳ ବ୍ୟତୀତ ଆଉ କିଛି ନୁହେଁ। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ ଆହୁରି କୁହାଯାଇଛି ଯେ, ପ୍ରତ୍ୟେକ ଥର ହିଂସାତ୍ମକ ଘଟଣା ସମୟରେ ବୃଥା ଦାବି କରିବା ପରିବର୍ତ୍ତେ, ଏହି ଅଞ୍ଚଳରେ ଏହାର ଲୋକଙ୍କ ଦୀର୍ଘ ଦିନର ଦାବିକୁ ସମାଧାନ କରିବା ଉପରେ ଧ୍ୟାନ ଦେବା ଭଲ ହେବ। ଏହାର ଦମନ, ବର୍ବରତା ଓ ମାନବିକ ଅଧିକାର ଉଲ୍ଲଂଘନର ରେକର୍ଡ ଜଣାଶୁଣା।
ବଲୋଚ ବିଚ୍ଛିନ୍ନତାବାଦୀମାନେ ପାକିସ୍ତାନ ସରକାର ସ୍ଥାନୀୟ ଜନସଂଖ୍ୟାକୁ ଉପକୃତ ନ କରି ପ୍ରଦେଶର ପ୍ରାକୃତିକ ଗ୍ୟାସ୍ ଓ ଖଣିଜ ସମ୍ପଦର ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି। ବିଏଲ୍ଏ ନିକଟ ଅତୀତରେ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ପାକିସ୍ତାନୀ ତଥା ବିଦେଶୀ ସଂସ୍ଥା ଉପରେ ଆକ୍ରମଣକୁ ତୀବ୍ର କରିଛି। ଗତବର୍ଷ ବିଚ୍ଛିନ୍ନତାବାଦୀମାନେ ୪୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ରେଳ ଉପରେ ଆକ୍ରମଣ କରିଥିଲେ।
ସୌଜନ୍ୟ ସମ୍ବାଦ




