Bangladesh President: ମହମ୍ମଦ ୟୁନୁସ୍ଙ୍କ ନାଁରେ ବାଂଲାଦେଶ ରାଷ୍ଟ୍ରପତି ଶାହାବୁଦ୍ଦିନଙ୍କ ସାଂଘାତିକ ଅଭିଯୋଗ
ବାଂଲାଦେଶରେ ନୂଆ ସରକାର ଗଠନ ହେବା ଓ ଅନ୍ତରୀଣ ସରକାର ଭାଙ୍ଗିବା ପରେ ଶାହାବୁଦ୍ଦିନ ମହମଦ ୟୁନୁସ୍ଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅଗଷ୍ଟ ୨୦୨୪ରେ ଶେଖ୍ ହସିନାଙ୍କ ସରକାରର ପତ୍ତନ ପରେ ୟୁନୁସ୍ ଅନ୍ତରୀଣ ପ୍ରଶାସନର ମୁଖ୍ୟ ଥିଲେ।

ଢାକା: ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ପ୍ରାୟ ଦେଢ ବର୍ଷ ପରେ ନିଜକୁ ମୁକ୍ତ ମନେକରୁଛନ୍ତି। ବାଂଲାଦେଶରେ ନୂଆ ସରକାର ଗଠନ ହେବା ଓ ଅନ୍ତରୀଣ ସରକାର ଭାଙ୍ଗିବା ପରେ ଶାହାବୁଦ୍ଦିନ ମହମଦ ୟୁନୁସ୍ଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବାଂଲାଦେଶର ଦୈନିକ ଖବରକାଗଜ ‘କଲାର କାନ୍ଥୋ’କୁ ଏକ ସାକ୍ଷାତକାର ଦେଇ ଅନ୍ତରୀଣ ପ୍ରଶାସନ ମୁଖ୍ୟ ମହମ୍ମଦ ୟୁନୁସ କେମିତି ତାଙ୍କ ପ୍ରାଧାନ୍ୟ ହ୍ରାସ କରିବାକୁ ତାଙ୍କୁ ଅନ୍ଧାରରେ ରଖୁଥିଲେ ତାହା କହିଛନ୍ତି ।
ଅଗଷ୍ଟ ୨୦୨୪ରେ ଶେଖ୍ ହସିନାଙ୍କ ସରକାରର ପତ୍ତନ ପରେ ୟୁନୁସ୍ ଅନ୍ତରୀଣ ପ୍ରଶାସନର ମୁଖ୍ୟ ଥିଲେ। ସେତେବେଳେ ଶାହାବୁଦ୍ଦିନ ସାମ୍ବିଧାନିକ ପଦବିରେ ଥିବା ଏକମାତ୍ର ବ୍ୟକ୍ତି ହୋଇଥିଲେ ମଧ୍ୟ ୟୁନୁସ୍ ତାଙ୍କୁ ହଟେଇବାକୁ ଆଗ୍ରହ ରଖିଥିଲେ। ତାଙ୍କ ବିଦେଶ ଯାତ୍ରା ସେମାନେ ବନ୍ଦ କରିଦେଇଥିଲେ। ସଂସଦୀୟ ନିର୍ବାଚନର କିଛି ଦିନ ପୂର୍ବରୁ ବାଂଲାଦେଶ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଥିଲେ ମଧ୍ୟ ୟୁନୁସ୍ ଏ ସମ୍ପର୍କରେ ତାଙ୍କୁ କିଛି ଜଣାଇ ନଥିଲେ। ଶାହାବୁଦ୍ଦିନ ୮ ଅଗଷ୍ଟ, ୨୦୨୪ରେ ୟୁନୁସଙ୍କୁ ଶପଥ ପାଠ କରାଇଥିଲେ ଏବଂ ୟୁନୁସ ୧୬ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ବାସ୍ତବରେ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।
ସେଦିନ ରାତିର କଥା ମନେପକାଇଲେ ଶାହାବୁଦ୍ଦିନ
ଅକ୍ଟୋବର ୨୨, ୨୦୨୪ର ରାତି କଥା ମନେପକାଇ ଶାହାବୁଦ୍ଦିନ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ବାସଭବନ ବଙ୍ଗଭବନକୁ ହିଂସ୍ରକ ଭିଡ଼ ଘେରି ଯାଇଥିଲେ ଓ ତାଙ୍କ ବହିଷ୍କାର ଦାବି କରିଥିଲେ। ସେହିଦିନ ରାତି ତାଙ୍କ ପାଇଁ ସବୁଠୁ ଭୟଙ୍କର ଥିଲା। ୟୁନୁସଙ୍କ ସମର୍ଥିତ ଲୋକ ତାଙ୍କୁ ହଟେଇବାକୁ ଚାହୁଥିଲେ। କିନ୍ତୁ ସେହି ସମୟରେ ତାଙ୍କୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି)ର ଓ ତିନି ସେନାର ସମର୍ଥନ ମିଳିଥିଲା। ସେ ବିଏନ୍ପି ମୁଖ୍ୟ ତଥା ବର୍ତ୍ତମାନର ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କର ମଧ୍ୟ ପ୍ରଶଂସା କରିଛନ୍ତି। ବିଏନ୍ପି ବ୍ୟତୀତ ସେନାର ତିନି ଶାଖା ପକ୍ଷରୁ ତାଙ୍କୁ ନିସନ୍ଦେହ ସମର୍ଥନ ମିଳିଥିଲା।
ଶାହାବୁଦ୍ଦିନ କହିଛନ୍ତି ମୁଖ୍ୟ ପରାମର୍ଶଦାତା ସମ୍ବିଧାନର କୌଣସି ବ୍ୟବସ୍ଥାକୁ ମାନୁନଥିଲେ। ବାଂଲା ରାଷ୍ଟ୍ରପତି ଅଭିଯୋଗ କରିଛନ୍ତି ଯେ, ୟୁନୁସ୍ କୌଣସି ସଂସ୍ଥାଗତ ସମନ୍ୱୟ ରକ୍ଷା କରୁନଥିଲେ କିମ୍ବା ବିଦେଶ ଗସ୍ତ, ଚୁକ୍ତିନାମା ଏବଂ ନୀତିଗତ କାର୍ଯ୍ୟ ସମେତ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରୀୟ ନିଷ୍ପତ୍ତି ବିଷୟରେ ତାଙ୍କୁ ଅବଗତ କରୁନଥିଲେ। ଅପରପକ୍ଷେ ତାଙ୍କୁ ରାଜନୈତିକ ଏବଂ ପ୍ରଶାସନିକ ଭାବରେ ଅଲଗା କରିବା ପାଇଁ ବାରମ୍ବାର ପ୍ରୟାସ କରୁଥିଲେ ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି। ବାଂଲାଦେଶ ରାଷ୍ଟ୍ରପତି କହିଛନ୍ତି ଯେ, ସମ୍ବିଧାନ ନିୟମ ଅନୁଯାୟୀ ମୁଖ୍ୟ ପରାମର୍ଶଦାତା ବିଦେଶ ଗସ୍ତରେ ଗଲେ ସେଠାରୁ ଫେରି ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେବା କଥା, ସେଠାରେ କେଉଁ ବିଷୟରେ ଆଲୋଚନା କଲେ ତାହା ଜଣାଇବା କଥା। କିନ୍ତୁ ୟୁନୁସ୍ ୧୪ ରୁ ୧୫ ଥର ବିଦେଶ ଗସ୍ତରେ ଯାଇଥିଲେ ମଧ୍ୟ ତାଙ୍କୁ କୌଣସି ସୂଚନା ପ୍ରଦାନ କରିନଥିଲେ।
ସୌଜନ୍ୟ ସମ୍ବାଦ




