Bank of Baroda Report: ବ୍ୟାଙ୍କ ଅଫ୍ ବରୋଦାର ରିପୋର୍ଟ: ନୂଆ ନିବେଶରେ ଓଡ଼ିଶା ଦ୍ବିତୀୟ
୨୦୨୫-୨୬ ଆର୍ଥିକବର୍ଷର ପ୍ରଥମ ୯ ମାସରେ ନୂଆ ନିବେଶ ଘୋଷଣା କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ଦେଶରେ ଘୋଷଣା ହୋଇଥିବା ମୋଟ ୨୬.୬୨ ଲକ୍ଷ କୋଟିରୁ ନିବେଶ ମଧ୍ୟରୁ ୧୩.୧ ପ୍ରତିଶତ ନିବେଶ ଓଡ଼ିଶାରେ ହୋଇଛି।

ଭୁବନେଶ୍ବର: ୨୦୨୫-୨୬ ଆର୍ଥିକବର୍ଷର ପ୍ରଥମ ୯ ମାସରେ ନୂଆ ନିବେଶ ଘୋଷଣା କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ଦେଶରେ ଘୋଷଣା ହୋଇଥିବା ମୋଟ ୨୬.୬୨ ଲକ୍ଷ କୋଟିରୁ ନିବେଶ ମଧ୍ୟରୁ ୧୩.୧ ପ୍ରତିଶତ ନିବେଶ ଓଡ଼ିଶାରେ ହୋଇଛି। ଆନ୍ଧ୍ରପ୍ରଦେଶ ସର୍ବାଧିକ ୨୫.୩ ପ୍ରତିଶତ ପାଇ ପ୍ରଥମ ସ୍ଥାନରେ ରହିଛି। ଓଡ଼ିଶା ପଛକୁ ମହାରାଷ୍ଟ୍ର ୧୨.୮ ପ୍ରତିଶତ ନୂଆ ନିବେଶ ସହିତ ତୃତୀୟ ସ୍ଥାନରେ ରହିଛି। ସେହିଭଳି ଏମାନଙ୍କ ପଛକୁ ୯.୫ ପ୍ରତିଶତ ନୂଆ ନିବେଶ ସହିତ ତେଲେଙ୍ଗାନା ଚତୁର୍ଥ, ୭.୧ ପ୍ରତିଶତ ନୂଆ ନିବେଶ ସହ ଗୁଜରାଟ ପଞ୍ଜମ ସ୍ଥାନରେ ରହିଛି। ଏମାନଙ୍କ ବ୍ୟତୀତ ୪.୯ ପ୍ରତିଶତ ନିବେଶ ସହିତ ତାମିଲନାଡ଼ୁ ଷଷ୍ଠ, ୪.୩ ପ୍ରତିଶତ ନିବେଶ ସହ ରାଜସ୍ଥାନ ସପ୍ତମ, ୩.୯ ପ୍ରତିଶତ ନିବେଶ ସହିତ ଛତିଶଗଡ଼ ଅଷ୍ଟମ, ୩.୨ ପ୍ରତିଶତ ନିବେଶ ସହିତ ମଧ୍ୟପ୍ରଦେଶ ନବମ ଏବଂ ୨.୭ ପ୍ରତିଶତ ନିବେଶ ଅଂଶ ସହିତ ଉତ୍ତରପ୍ରଦେଶ ଦଶମ ସ୍ଥାନରେ ରହିଛି।
ତଥ୍ୟକୁ ଦେଖିଲେ ଜଣାଯାଏ ଯେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ମହାରାଷ୍ଟ୍ରରେ ମୋଟ ୫୦ ପ୍ରତିଶତରୁ ଅଧିକ ନୂଆ ନିବେଶ ଘୋଷଣା ହୋଇଛି। ଶୀର୍ଷ ୫ଟି ସ୍ଥାନରେ ଥିବା ରାଜ୍ୟଗୁଡ଼ିକରେ ପ୍ରାୟ ୬୮ ପ୍ରତିଶତ ନୂଆ ନିବେଶ ଘୋଷଣା ହୋଇଥିବାବେଳେ ଶୀର୍ଷ ୧୦ଟି ସ୍ଥାନରେ ଥିବା ରାଜ୍ୟଗୁଡ଼ିକରେ ପ୍ରାୟ ୮୭ ପ୍ରତିଶତ ନୂଆ ନିବେଶ ଘୋଷଣା ହୋଇଛି।ଚଳିତ ଆର୍ଥିକବର୍ଷ ୨୦୨୫-୨୬ରେ ନିବେଶ ବୃଦ୍ଧି ପାଇଛି। ଆର୍ଥିକବର୍ଷର ପ୍ରଥମ ୯ ମାସ ଅର୍ଥାତ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଦେଶରେ ୨୬.୬୨ ଲକ୍ଷ କୋଟି ଟଙ୍କାର ନୂଆ ନିବେଶ ଘୋଷଣା ହୋଇଛି। ଗତ ଆର୍ଥିକବର୍ଷର ୨୩.୮୮ ଲକ୍ଷ କୋଟି ଟଙ୍କା ତୁଳନାରେ ଏହା ଅଧିକ।
Indian Railways: ମୁମ୍ବାଇରୁ ଅହମଦାବାଦକୁ ବୁଲେଟ୍ ଟ୍ରେନରେ ୧ ଘଣ୍ଟା ୫୮ ମିନିଟ୍ ସମୟ ଲାଗିବ: କେନ୍ଦ୍ରମନ୍ତ୍ରୀ
ସେଣ୍ଟର ଫର୍ ମନିଟରିଂ ଅଫ୍ ଇଣ୍ଡିଆନ୍ ଇକୋନୋମି (ସିଏମ୍ଆଇଇ)ର ତଥ୍ୟକୁ ଆଧାର କରି ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ମୋଟ ନୂଆ ନିବେଶରୁ ସର୍ବାଧିକ ୨୨.୬ ପ୍ରତିଶତ ନିବେଶ ବିଦ୍ୟୁତ୍ କ୍ଷେତ୍ରରେ ଘୋଷଣା ହୋଇଛି। ଏହା ପଛକୁ ରସାୟନ ଓ ରାସାୟନିକ ପଦାର୍ଥ କ୍ଷେତ୍ରରେ ୨୧.୮%, ଧାତବ ଏବଂ ଧାତବ ସାମଗ୍ରୀରେ ୧୭.୩%, ସୂଚନା ପ୍ରଯୁକ୍ତିରେ ୧୦.୯% ଏବଂ ପରିବହନ ସେବାରେ ୭.୯% ନିବେଶ ଘୋଷଣା ହୋଇଛି। ଅର୍ଥାତ୍ ୯ ମାସରେ ଘୋଷଣା ହୋଇଥିବା ମୋଟ ନିବେଶ ମଧ୍ୟରୁ ଉପରୋକ୍ତ ୫ଟି କ୍ଷେତ୍ରର ଅଂଶ ପ୍ରାୟ ୮୦ ପ୍ରତିଶତ ରହିଛି। ବିଦ୍ୟୁତ କ୍ଷେତ୍ର ପାଇଁ ଯେଉଁ ୨୨.୬ ପ୍ରତିଶତ ନିବେଶ ଘୋଷଣା ହୋଇଛି ସେଥିରେ ଅକ୍ଷୟ ଶକ୍ତି କ୍ଷେତ୍ରର ଯୋଗଦାନ ଅଧିକ ରହିଥିବା ରିପୋର୍ଟରେ କୁହାଯାଇଛି।
ସୌଜନ୍ୟ ସମ୍ବାଦ




