ଜିଲ୍ଲା

Bansadhara bound : ବଂଶଧାରାର ଭାଗ୍ୟ ଚୁକ୍ତିରେ ସୀମିତ

ଓଡ଼ିଶାର ପ୍ରମୁଖ ନଦୀ ମଧ୍ୟରେ ବଂଶଧାରା ଅନ୍ୟତମ। କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାର ଚାଷୀଙ୍କ ପାଇଁ ଲାଇଫ୍‌ ଲାଇନ୍‌ ସଦୃଶ। କିନ୍ତୁ ଜଳ ସଂରକ୍ଷଣ ଓ ନଦୀ ସଂଯୋଗୀକରଣ.....

ରାୟଗଡ଼ା: ଓଡ଼ିଶାର ପ୍ରମୁଖ ନଦୀ ମଧ୍ୟରେ ବଂଶଧାରା ଅନ୍ୟତମ। କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାର ଚାଷୀଙ୍କ ପାଇଁ ଲାଇଫ୍‌ ଲାଇନ୍‌ ସଦୃଶ। କିନ୍ତୁ ଜଳ ସଂରକ୍ଷଣ ଓ ନଦୀ ସଂଯୋଗୀକରଣ ପ୍ରସ୍ତାବକୁ ଓଡ଼ିଶା ସରକାର ଗୁରୁତ୍ବ  ଦେଇନଥିବାରୁ ବର୍ଷାଋତୁକୁ ଛାଡ଼ିଲେ ଅନ୍ୟ ସମୟରେ ଶୁଖିଲା ପଡ଼ୁଛି ବଂଶଧାରା। ସବୁ ପାଣି ଆନ୍ଧ୍ରକୁ ବହି ଯାଉଥିବାରୁ ୩ଟି ପ୍ରକଳ୍ପ କରି ଏହାର ଫାଇଦା ଉଠାଉଛି ଆନ୍ଧ୍ର।

ଏକ ଦଶନ୍ଧି ପୂର୍ବରୁ ବର୍ଷାଦିନରେ ପ୍ରାୟତଃ ବଂଶଧାରାରେ ବନ୍ୟା ପରସ୍ଥିତି ସୃଷ୍ଟି ହେଉଥିଲା। ଏବେ କେବଳ ଲଘୁଚାପ ହେଲେ ହିଁ ବଂଶଧାରା ଫୁଲୁଛି। ଅନ୍ୟଦିନେ ଶୁଷ୍କ ରହୁଥିବାରୁ ନଦୀଶଯ୍ୟାରୁ ବାଲି ବୋହି ନେଉଛନ୍ତି ମାଫିଆ। ଅତ୍ୟଧିକ ବାଲି ଉତ୍ତୋଳନ ନଦୀ ଓ ପରିବେଶ ପାଇଁ ବିପଦ। ତଥାପି  କାହାରି ନିଘା ନାହିଁ। ଟେଣ୍ଡର ମାଧ୍ୟମରେ କିଛି ସ୍ଥାନରୁ ବାଲି ଉଠାଇବା ପାଇଁ ଲଘୁ ଖଣିଜ ସମ୍ପଦ ବିଭାଗ ଅନୁମତି ଦେଇଥିବା ବେଳେ ମାଫିଆ ଗୁଡ଼ାରି, ରାମନାଗୁଡ଼ା, ଗୁଣପୁର ବ୍ଲକର ବିଭିନ୍ନ ଅଞ୍ଚଳରୁ ରାତିଅଧିଆ ବାଲି ଚୋରାଚାଲାଣ କରୁଛନ୍ତି। କିଛିଦିନ ତଳେ ରାୟଗଡ଼ା ଗସ୍ତରେ ଆସିଥିବା ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବୁଦ୍ଧିଜୀବୀଙ୍କ ସହ ଆଲୋଚନା ସମୟରେ ବଂଶଧାରା ସଂପର୍କରେ ଅବଗତ ହେବା ପରେ ନଦୀ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

ବଂଶଧାରା ଜଳ ବିବାଦ ପରେ ୫୦:୫୦ ଅନୁପାତରେ ଆନ୍ଧ୍ର ଓ ଓଡ଼ିଶା ପାଣି ବ୍ୟବହାର ପାଇଁ ଚୁକ୍ତି ହୋଇଛି। ଚୁକ୍ତି ଅନୁଯାୟୀ ଆନ୍ଧ୍ର ବଂଶଧାରା ନଦୀ ଉପରେ ୩ଟି ବ୍ୟାରେଜ ନିର୍ମାଣ କରି ଜଳ ବ୍ୟବହାର କରୁଛି। ୧୯୭୨ରେ ହୀରମଣ୍ଡଳମ୍‌ଠାରେ ଗୋଟା ବ୍ୟାରେଜ, ୧୯୮୦ରେ ନେରେଡ଼ିରେ ଦ୍ବିତୀୟ ଏବଂ ୨୦୦୩ରେ ୯୫୦ କୋଟି ବ୍ୟୟରେ କାଟ୍ରାଗାଡ଼ାରେ ତୃତୀୟ ପ୍ରକଳ୍ପ ନିର୍ମାଣ କରିଛି। ଅଥଚ ଗତ ୬ ଦଶନ୍ଧି ମଧ୍ୟରେ ଓଡ଼ିଶାର ପାଣିଡଙ୍ଗର ବ୍ୟାରେଜ ଶିଳାନ୍ୟାସରେ ହିଁ ସୀମିତ ରହିଛି। ବଂଶଧାରା ଜଳ ବିବାଦକୁ ନେଇ ୨୦୦୬ ଫେବ୍ରୁଆରିରେ ଓଡ଼ିଶା ସରକାର ସୁପ୍ରିମକୋର୍ଟର ଆଶ୍ରୟ ନେଇଥିଲେ। କେନ୍ଦ୍ରୀୟ ଟ୍ରିବୁନାଲ୍‌ ଗଠନ ସହ କାଟ୍ରାଗାଡ଼ା ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ କରିବାକୁ ଆବେଦନ କରିଥିଲେ। ଆନ୍ଧ୍ରର କାଟ୍ରାଗାଡ଼ା ପ୍ରକଳ୍ପକୁ ବିଫଳ କରିବାକୁ ଯୋଜନା କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଂଶଧାରା-ଋଷିକୁଲ୍ୟା ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଯୋଜନା କରିଥିଲେ। ଏହା ଦ୍ୱାରା ଆନ୍ଧ୍ରକୁ କମ ଜଳ ପ୍ରବାହିତ ହେବ। ନଦୀ ସଂଯୋଗୀକରଣ ଦ୍ବାରା ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ଶହଶହ ହେକ୍ଟର ଜମି ଜଳସେଚିତ ହେବା ସହ ପାନୀୟଜଳ ସମସ୍ୟା ଦୂର ହେବ। ଏଥି ସହ ନଦୀ ସଂଯୋଗୀକରଣ ବଂଶଧାରାରେ ବନ୍ୟା ନିୟନ୍ତ୍ରଣରେ ସହାୟକ ହେବ। ଏହି ପ୍ରକଳ୍ପ ଏଯାବତ୍‌ ପ୍ରସ୍ତାବରେ ହିଁ ସୀମିତ ରହିଛି। ବଂଶଧାର ଅବବାହିକା ସୁରକ୍ଷା ସମିତିର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଦାଶ କହିଛନ୍ତି, ରାଜ୍ୟ ସରକାର ତୁରନ୍ତ ଉପରମୁଣ୍ଡରେ ଆନିକଟ ନିର୍ମାଣ କରି ଜଳସେଚନ ପାଇଁ ଜଳ ବ୍ୟବହାର କରିବା ଉଚିତ। ଏଥି ସହ ଜଳବିଦ୍ୟୁତ୍‌ ପ୍ରକଳ୍ପ ମଧ୍ୟ ବଂଶଧାରାରେ ନିର୍ମାଣ ହୋଇପାରିବ।
ସୁପ୍ରିମକୋର୍ଟରେ ବଂଶଧାରା ଜଳବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ହୋଇ ନଥିବାରୁ ସମୟକ୍ରମେ ଏହାର ଫାଇଦା ଉଠାଇ ଚାଲିଛି ଆନ୍ଧ୍ର। ବଂଶଧାରା ନଦୀର କ୍ୟାଚମେଣ୍ଟ ଏରିଆ ୧୦ ହଜାର ୮୩୦ ବର୍ଗ କିମି ରହିଥିବା ବେଳେ ଓଡ଼ିଶାରେ ସିଂହଭାଗ ୮୦୧୫ ବର୍ଗ କିମି ରହିଛି। ଆନ୍ଧ୍ରରେ ମାତ୍ର ୨୮୧୫ ବର୍ଗ କିମି ରହିବା ସତ୍ତ୍ବେ ୩ଟି ପ୍ରକଳ୍ପ କରିବାରେ ସକ୍ଷମ ହୋଇଛି ଆନ୍ଧ୍ର।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button