Barang Additional Tehsildar: ଭିଜିଲାନ୍ସ ପଞ୍ଝାରେ ବାରଙ୍ଗ ଅତିରିକ୍ତ ତହସିଲଦାର: ଘରୁ ମିଳିଲା ନଗଦ ୭୨ ଲକ୍ଷ

କଟକ/ବାରଙ୍ଗ: ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି କଟକ ଜିଲ୍ଲା ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା। ଶ୍ରୀ ପଣ୍ଡାଙ୍କର ସଂପତ୍ତି ଭିଜିଲାନ୍‌ସକୁ ଚକିତ କରିଛି। ବର୍ତ୍ତମାନ ସୁଦ୍ଧା ଠାବ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଆହୁରି ତିନୋଟି ବ୍ୟାଙ୍କ ଲକର୍ ଏଯାଏଁ ଖୋଲାଯାଇ ନାହିଁ। ଭିଜିଲାନ୍ସ ଟିମ୍ କଟକ, ଭୁୁବନେଶ୍ବର, ଖୋର୍ଦ୍ଧାରେ ଚଢ଼ଉ ଜାରି ରଖିଛି। ଶ୍ରୀ ପଣ୍ଡାଙ୍କୁ ଧରିବାକୁ ଭିଜିଲାନ୍ସର ୪ଟି ଟିମ୍ ଗଠନ ହୋଇଥିଲା। ଭୁବନେଶ୍ବର ଭିଜିଲାନ୍ସ ସ୍ପେସାଲ୍‌ ଜଜ୍‌ଙ୍କ କୋର୍ଟରୁ ସର୍ଚ୍ଚ ଵାରେଣ୍ଟ ଜାରି ପରେ ଆଜି ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଭୁବନେଶ୍ବର ବଡ଼ଗଡ଼ ଥାନା ଗୋପାଳୁଣିନଗର ଅଞ୍ଚଳରେ ୪ ହଜାର ବର୍ଗଫୁଟର ତିନି ମହଲା କୋଠା, ବ୍ରିଟ୍‌ କଲୋନିରେ ତିନି ମହଲା କୋଠା, ଉତ୍ତରାରେ ୧୨୫୦ ବର୍ଗଫୁଟର ଫ୍ଲାଟ୍, ଖୋର୍ଦ୍ଧା ସାନପଲ୍ଲାରେ ୪୮୦୦ ବର୍ଗଫୁଟରେ ଦୁଇ ମହଲା କୋଠା, ଭୁବନେଶ୍ବରରେ ତିନିଟି ଓ ଖୋର୍ଦ୍ଧାରେ ଗୋଟିଏ ମୂଲ୍ୟବାନ ପ୍ଲଟ୍‌, ୫୦୦ ଗ୍ରାମର ସୁନା ଅଳଙ୍କାର, ଶାଶୂ ଓ ପତ୍ନୀଙ୍କ ନାଁରେ ତିନୋଟି ବ୍ୟାଙ୍କ ଲକର୍‌, ନଗଦ ୭୨ ଲକ୍ଷ ୨୦ ହଜାର ୯୨୦ ଟଙ୍କା, ୨୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା, ଗୋଟିଏ ଚାରିଚକିଆ ଗାଡ଼ି, ୪ଟି ଦୁଇଚକିଆ ଗାଡ଼ି(ମୋଟ ମୂଲ୍ୟ ୨୩ ଲକ୍ଷ ୪୧ ହଜାର ଟଙ୍କା) ଏବଂ ୧୬ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ଠାବ ହୋଇଛି।