Bharat Tex: କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ
କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଆଜି ଭାରତର ପ୍ରମୁଖ ବିଶ୍ୱସ୍ତରୀୟ ବୟନ କାର୍ଯ୍ୟକ୍ରମ ‘ଭାରତ ଟେକ୍ସ ୨୦୨୬’ର ଶୁଭାରମ୍ଭ କରିଛନ୍ତି, ଯାହା ବିଶ୍ୱ ବୟନ ଅର୍ଥନୀତିରେ ଦେଶର ବଢୁଥିବା ନେତୃତ୍ୱକୁ ସୂଚାଉଛି। ଶିଳ୍ପ, ସରକାର ଏବଂ ବାଣିଜ୍ୟିକ ସଂସ୍ଥାର...

ନୂଆଦିଲ୍ଲୀ: କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଆଜି ଭାରତର ପ୍ରମୁଖ ବିଶ୍ୱସ୍ତରୀୟ ବୟନ କାର୍ଯ୍ୟକ୍ରମ ‘ଭାରତ ଟେକ୍ସ ୨୦୨୬’ର ଶୁଭାରମ୍ଭ କରିଛନ୍ତି, ଯାହା ବିଶ୍ୱ ବୟନ ଅର୍ଥନୀତିରେ ଦେଶର ବଢୁଥିବା ନେତୃତ୍ୱକୁ ସୂଚାଉଛି। ଶିଳ୍ପ, ସରକାର ଏବଂ ବାଣିଜ୍ୟିକ ସଂସ୍ଥାର ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି ଯେ, ଭାରତ ଟେକ୍ସକୁ ଏକକ ବୃହତ୍ତମ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଭାବରେ କଳ୍ପନା କରାଯାଇଛି, ଯାହା ଫାଇବର ଏବଂ ସୂତାଠାରୁ ଆରମ୍ଭ କରି କପଡ଼ା, ପୋଷାକ, ବୈଷୟିକ ବୟନ ଏବଂ ସ୍ଥାୟୀ ନବସୃଜନ ପର୍ଯ୍ୟନ୍ତ ସମଗ୍ର ବୟନ ଶୃଙ୍ଖଳାକୁ ଏକାଠି କରିବ।
ପୂର୍ବର ଦୁଇଟି ସଂସ୍କରଣର ଚମତ୍କାର ସଫଳତାକୁ ଭିତ୍ତି କରି ଏହି ସଂସ୍କରଣ କଳ୍ପନା କରାଯାଇଛି । ଏହା ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଏବଂ ପ୍ରଭାବଶାଳୀ ସଂସ୍କରଣ ହେବାକୁ ଯାଉଛି। ଏହା ୧୪-୧୭ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ସଂସ୍କରଣରେ ୩,୫୦୦ ରୁ ଅଧିକ ବ୍ୟବସାୟିକ ପ୍ରଦର୍ଶନକାରୀ, ୧୪୦ରୁ ଅଧିକ ଦେଶର ୭,୦୦୦ ରୁ ଅଧିକ ଅନ୍ତର୍ଜାତୀୟ କ୍ରେତା ଏବଂ ୧,୩୦,୦୦୦ ରୁ ଅଧିକ ବାଣିଜ୍ୟିକ ଦର୍ଶକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏହି କାର୍ଯ୍ୟକ୍ରମରେ ଫାଇବର ଏବଂ ସୂତା, କପଡ଼ା, ପୋଷାକ ଏବଂ ଫ୍ୟାଶନ, ହୋମ୍ ଟେକ୍ସଟାଇଲ୍, ବୈଷୟିକ ବୟନ, ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ବୁଦ୍ଧିମାନ ଉତ୍ପାଦନ ପ୍ରଯୁକ୍ତିବିଦ୍ୟା ସମେତ ସମଗ୍ର ବୟନ ପରିସଂସ୍ଥା ପ୍ରଦର୍ଶିତ ହେବ। ଏହି କାର୍ଯ୍ୟକ୍ରମ ଉତ୍ପାଦନ, ଡିଜାଇନ୍, ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ କ୍ଷେତ୍ରରେ ଭାରତର ସମନ୍ୱିତ ଶକ୍ତିକୁ ପ୍ରତିଫଳିତ କରେ।
ଏହାକୁ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଏବଂ ସାମଗ୍ରିକ ବୟନ କାର୍ଯ୍ୟକ୍ରମ ଭାବରେ ବର୍ଣ୍ଣନା କରି ସେ ବୟନ ଶିଳ୍ପର ଇପିସି ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର ନିରନ୍ତର ପ୍ରୟାସ ଓ ନିଷ୍ଠାକୁ ପ୍ରଶଂସା କରିଛନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଭାରତ ଟେକ୍ସ ଏକ ନିର୍ଭରଯୋଗ୍ୟ, ସ୍ଥାୟୀ ସୋର୍ସିଂ ସ୍ଥଳ ଏବଂ ବୃହତ ସ୍ତରର ବିନିଯୋଗ କେନ୍ଦ୍ର ଭାବରେ ଭାରତର ଆକର୍ଷଣକୁ ପୁନଃ ପ୍ରତିଷ୍ଠିତ କରିବ। ନବସୃଜନ, ସହଯୋଗ ଏବଂ ‘ମେକ୍ ଇନ୍ ଇଣ୍ଡିଆ’ ଭାବନାକୁ ଭିତ୍ତି କରି ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ୫ଏଫ ଦୂରଦୃଷ୍ଟିର ଏକ ପ୍ରତିଫଳନ ବୋଲି ସେ କହିଛନ୍ତି। ଅଫିସିଆଲ୍ ଶୁଭାରମ୍ଭ ସମାରୋହରେ ବୟନ ଶିଳ୍ପ ମନ୍ତ୍ରଣାଳୟର ସଚିବ ନୀଲମ ଶାମି ରାଓ, ଅତିରିକ୍ତ ସଚିବ ରୋହିତ କଂସଲ, ରପ୍ତାନି ପ୍ରୋତ୍ସାହନ ପରିଷଦର ବରିଷ୍ଠ ପ୍ରତିନିଧି ଏବଂ ଶିଳ୍ପ ଜଗତର ନେତୃବୃନ୍ଦ ଉପସ୍ଥିତ ଥିଲେ।
ଭାରତ ଟେକ୍ସ ୨୦୨୬ ଏହାର ୨୦୨୪ ଏବଂ ୨୦୨୫ର ପୂର୍ବ ସଂସ୍କରଣଗୁଡ଼ିକର ସଫଳତା ଉପରେ ପର୍ଯ୍ୟବସିତ ଏବଂ ଏହା ପ୍ରଦର୍ଶନୀ, ଜ୍ଞାନ ଆଦାନପ୍ରଦାନ ଅଧିବେଶନ, ରିଭର୍ସ ବାୟର-ସେଲର୍ ମିଟ୍ ଏବଂ ନୀତିଗତ ଆଲୋଚନାର ଏକ ଅନନ୍ୟ ସମାବେଶ ପ୍ରଦାନ କରିବ। ଏହାର ବିଶେଷ ଧ୍ୟାନ ସ୍ଥାୟୀ ଏବଂ ସର୍କୁଲାର ଟେକ୍ସଟାଇଲ୍, ବୈଷୟିକ ବୟନ, ଏମଏସଏମଇ ଅନ୍ତର୍ଭୁକ୍ତିକରଣ, ନବସୃଜନ ଏବଂ ବିଶ୍ୱ ବଜାରରେ ପ୍ରବେଶ ଉପରେ ରହିବ।
ଏହି କାର୍ଯ୍ୟକ୍ରମ ଭାରତୀୟ ଏମଏସଏମଇ, ପ୍ରଦର୍ଶନକାରୀ, ଷ୍ଟାର୍ଟଅପ୍, ଶିକ୍ଷାବିତ୍ ଏବଂ ଡିଜାଇନର୍ମାନଙ୍କୁ ସେମାନଙ୍କର ସଦ୍ୟତମ ବୟନ ନବସୃଜନ ପ୍ରଦର୍ଶନ କରିବା, ବିଶ୍ୱସ୍ତରୀୟ ନିର୍ମାତା ଏବଂ କ୍ରେତାଙ୍କ ସହ ଯୋଗାଯୋଗ କରିବା, ଉଚ୍ଚସ୍ତରୀୟ ଆଲୋଚନାରେ ଭାଗ ନେବା ଏବଂ ରଣନୈତିକ ଭାଗିଦାରୀ ସ୍ଥାପନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମରେ ବିନିଯୋଗ ଆକୃଷ୍ଟ କରିବା, ବାଣିଜ୍ୟ ବୃଦ୍ଧି ଏବଂ ଭାରତର ଉତ୍ପାଦନ ପରିସଂସ୍ଥା ତଥା ପାରମ୍ପରିକ ହସ୍ତତନ୍ତ କ୍ଷେତ୍ରକୁ ଦୀର୍ଘକାଳୀନ ସହାୟତା ପ୍ରଦାନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପ୍ରମୁଖ ନୀତିଗତ ପଦକ୍ଷେପ ଏବଂ ସଂସ୍କାରଗୁଡ଼ିକ ମଧ୍ୟ ପ୍ରଦର୍ଶିତ ହେବ।
ଭାରତ ଟେକ୍ସ ୨୦୨୬ର ଏକ ପ୍ରମୁଖ ଆକର୍ଷଣ ହେବ ‘ଗ୍ଲୋବାଲ୍ ଟେକ୍ସଟାଇଲ୍ ଡାୟଲଗ୍’, ଯେଉଁଥିରେ ଜ୍ଞାନ ଅଧିବେଶନ ମାଧ୍ୟମରେ ନୀତି ନିର୍ଦ୍ଧାରକ, ବିଶ୍ୱ ଶିଳ୍ପ ନେତା ଏବଂ ନବସୃଜନକାରୀମାନେ ବିଶ୍ୱ ବାଣିଜ୍ୟର ଗତିଶୀଳତା, ସ୍ଥାୟୀତ୍ୱ ଏବଂ ଇଏସଜି ମାନକ, ଇଣ୍ଡଷ୍ଟ୍ରି ୫.୦, ବୈଷୟିକ ବୟନ ଏବଂ ସ୍ଥିତିସ୍ଥାପକ ଯୋଗାଣ ଶୃଙ୍ଖଳା ଭଳି ଉଦୀୟମାନ ଧାରା ଉପରେ ଆଲୋଚନା କରିବେ, ଯାହା ଶିଳ୍ପ ଅଂଶୀଦାର ଏବଂ ଏମଏସଏମଇ ଗୁଡ଼ିକ ପାଇଁ ମୂଲ୍ୟବାନ ସୂଚନା ପ୍ରଦାନ କରିବ।
ଏହି କାର୍ଯ୍ୟକ୍ରମ ଏକ ଶିଳ୍ପ-ପରିଚାଳିତ ପଦକ୍ଷେପ ଏବଂ ଏହା ‘ଭାରତ ଟେକ୍ସ ଟ୍ରେଡ୍ ଫେଡେରେସନ୍’ (ବିଟିଟିଏଫ) ଦ୍ୱାରା ଆୟୋଜିତ ହେବ – ଯାହା ୧୧ଟି ବୟନ ସମ୍ବନ୍ଧୀୟ ରପ୍ତାନି ପ୍ରୋତ୍ସାହନ ପରିଷଦ (ଇପିସି ) ଏବଂ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାର ଏକ ସମ୍ମିଳିତ ଗୋଷ୍ଠୀ। ବିଟିଟିଏଫ ଅଧ୍ୟକ୍ଷ ଶ୍ରୀ ନରେନ ଗୋଏଙ୍କା ଏବଂ ସହ-ଅଧ୍ୟକ୍ଷ ଶ୍ରୀ ଭଦ୍ରେଶ ଦୋଦିଆ ମେଳାରେ ପ୍ରସ୍ତାବିତ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




