Breaking News

ଆଉଟସୋର୍ସିଂ କମ୍ପାନୀ ଶ୍ରମିକ ମାରଣା ନୀତି ଆପଣାଉଥିବାରୁ ଆନ୍ଦୋଳନ ପାଇଁ ଜିଲା ସଭାପତିଙ୍କ ଆହ୍ୱାନ

ଫୁଲବାଣୀରେ ଭାରତୀୟ ମଜଦୁର ସଂଘର ୬୯ତମ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ: ଭାରତୀୟ ମଜଦୁର ସଂଘ (ବିଏମ ଏସ)୬୯ତମ ପ୍ରତିଷ୍ଠା ଦିବସ ହାଟପଦା ମା’ ନାରାୟଣୀଙ୍କ ସଭାଗୃହରେ ଜିଲା ସଭାପତି ଅଶୋକ ପରିଡାଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ୧୯୫୫ ମସିହା ଜୁଲାଇ୨୩ତାରିଖରେ ଦନ୍ତପନ୍ତ ଠେଙ୍ଗଡେଙ୍କ ପୌରୋହିତ୍ୟରେ ଭୋପାଳ ଠାରେ ବିଏମଏସ ଲୋକମାନ୍ୟ ବାଲଗଙ୍ଗାଧର ତିଳକଙ୍କ ଜନ୍ମ ତିଥିରେ ପ୍ରତିଷ୍ଠା କରାଯାଇଥିଲା। ଶ୍ରମିକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜନୈତିକ ଦଳରୁ ଉର୍ଦ୍ଧ୍ବରେ ରହି ଏହି ସଂଗଠନ ସମଭାବାପନ୍ନ ବ୍ୟକ୍ତିଙ୍କୁ ନେଇ ଗଠନ କରାଯାଇଛି। ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ନୁହେଁ ଅନ୍ୟମାନଙ୍କ ଭଳି ସୁଖ ସ୍ୱାଛାନ୍ଦ୍ୟରେ ବଞ୍ଚିବା ଭଳି ମଜୁରୀ ଦେବାକୁ ବିଏମ ଏସ ଦାବୀ କରିବା ସହ ଆଉଟସୋର୍ସିଂ ଓ ଠିକାଦାର ପ୍ରଥା ଉଛେଦ ପାଇଁ ଲଢେ଼ଇ କରିଆସୁଛି।

୬୯ତମ ପ୍ରତିଷ୍ଠା ଦିବସରେ ବିଏମ ଏସର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ପାତ୍ର ବକ୍ତାଭାବେ ଯୋଗଦେଇ ବିଏମଏସର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କନ୍ଧମାଳ ଜିଲା ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମନୀତି ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂଘ ଚାଳକ ରମେଶ ସାହୁ, କନ୍ଧମାଳ ମିଡିଆ ଫୋରମର ସଭାପତି ସନ୍ତୋଷ କୁମାର ଦିଗାଲ, ସାଧାରଣ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଶ୍ରମିକ ମାନଙ୍କ ସମସ୍ୟା ସହିତ ଗଣମାଧ୍ୟମ ସବୁବେଳେ ରହିଛି ବୋଲି କହିଥିଲେ। କନ୍ଧମାଳ ଜିଲ୍ଲାରେ ଆଉଟ ସୋର୍ସିଂ କମ୍ପାନୀ ମାନେ ଶ୍ରମିକ ମାନଙ୍କୁ ଶୋଷଣ କରି ଶ୍ରମିକ ମାରଣା ନୀତି ଆପଣାଉଥିବାରୁ ଆନ୍ଦୋଳନ ପାଇଁ ଜିଲା ସଭାପତି ଆହ୍ୱାନ ଦେଇଥିଲେ। ସାଧାରଣ ଠିକା ଶ୍ରମିକ ନିଯୁକ୍ତି ପାଇଁ ଆଉଟସୋର୍ସିଂ ସଂସ୍ଥା ବ୍ୟାପକ ଅର୍ଥ କାରବାର କରୁଥିବା ଓ ବିନା କାରଣରେ ଛଟେଇ କରୁଥିବା ରୁ ଏହା ବିରୁଦ୍ଧରେ ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଥିଲା। ସରକାର ଶ୍ରମିକ ଶୋଷଣକୁ ପ୍ରୋତ୍ସାହିତ କରୁଥିବାରୁ ଠିକାଶ୍ରମିକ ଓ ଆଉଟସୋର୍ସିଂ ବ୍ୟବସ୍ଥା ଲୋପ ପାଇଁ ଲଢେ଼ଇ କରିବାକୁ ନିଷ୍ପତ୍ତି ବୈଠକରେ ନିଆଯାଇଥିଲା।ଏ ହି ଅବସରରେ ଶ୍ରମିକ ନେତା ବିନୋଦ ନାୟକ, ରବୀନ୍ଦ୍ର ବେହେରା ଓ ବ୍ରହ୍ମାନନ୍ଦ ବେହେରା ପ୍ରମୁଖଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ବରିଷ୍ଠ ନାଗରିକ, ସାମ୍ବାଦିକ, ଶ୍ରମିକ ଓ ସଫେଇ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଅଙ୍ଗନବାଡି, ଆଶା ପାଚିକା ମାନଙ୍କୁ ସରକାର ପ୍ରୋଜେକ୍ଟ ନାମରେ ଆଳ ଦେଖାଇ ଚାକିରୀ ନିୟମିତ ନକରି ଶୋଷଣ କରୁଥିବା ଆଲୋଚନା ହୋଇଥିଲା। ଶେଷରେ କାର୍ଯ୍ୟକାରୀ ସଭାପତି ଗୋପାଳ ବେହେରା ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.