ମହାନଗର

Bhubaneswar: ଭୁବନେଶ୍ବର ପାଲଟିବ ସହରୀ ଉଷ୍ମଦ୍ବୀପ!

ରାଜଧାନୀରେ ଆରମ୍ଭ ହୋଇଗଲା ତାତିର ରାଜୁତି। ଏବେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପବନ ସହ ଝଡ଼ବର୍ଷ ଲାଗିରହିବ। ରାଜଧାନୀରେ ଖରା ଟାଣ ହେଉଥିଲେ ବି ସାମୁଦ୍ରିକ ବାୟୁ ପ୍ରଭାବରେ ମନୋରମ ପରିବେଶ ରହିଛି। Surya Kanta jena profile image by Surya Kanta jena

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଗଲା ତାତିର ରାଜୁତି। ଏବେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପବନ ସହ ଝଡ଼ବର୍ଷ ଲାଗିରହିବ। ରାଜଧାନୀରେ ଖରା ଟାଣ ହେଉଥିଲେ ବି ସାମୁଦ୍ରିକ ବାୟୁ ପ୍ରଭାବରେ ମନୋରମ ପରିବେଶ ରହିଛି। ୨ ଦିନ ପରେ ପୁଣି କ୍ରମାଗତ ଭାବେ ରାଜଧାନୀ ଓ ରାଜ୍ୟର ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜଧାନୀରେ ଏଲ୍‌ପିଜି ଗ୍ୟାସ୍‌ ସଙ୍କଟ ଯୋଗୁଁ ଅନେକ ଛୋଟ ଛୋଟ ହୋଟେଲ ଓ ଜଳଖିଆ ଦୋକାନୀ କାଠଚୁଲି ଓ କୋଇଲା ଚୁଲିରେ ରୋଷେଇ କରୁଛନ୍ତି। ଯାହାକି ଏବେ ରାଜଧାନୀ ପାଇଁ ଏକ ସଙ୍କଟ ପାଲଟିବ ବୋଲି ପାଣିପାଗ ବିଜ୍ଞାନୀମାନେ ଚିନ୍ତାପ୍ରକଟ କଲେଣି। ଗ୍ରୀଷ୍ମ ଆସିଲେ ସହରୀକରଣ ଓ ଆର୍ଦ୍ରଭୂମିର ଅଭାବ ଭୁବନେଶ୍ବର ପାଇଁ କାଳ ହୁଏ। ଏଥର ପୁଣି ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟା ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରଯାଇଛି। ଏପରିସ୍ଥଳେ କାଠଚୁଲିର ବ୍ୟବହାର ସହରିଆଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ହେବ କୁହାଯାଉଛି।

ପାଣିପାଗ ବିଶେଷଜ୍ଞ କହିଛନ୍ତି, ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ପାଲଟିଯାଏ। ଗତ ୧୨ ତାରିଖରେ ରାଜଧାନୀବାସୀ ଏହାର ଝଲକ ଦେଖିସାରିଛନ୍ତି। ସେଦିନ ରାଜଧାନୀର ଦିନ ତାପମାତ୍ରା ୩୮.୬ ଡିଗ୍ରି ରେକର୍ଡ ହୋଇଥିଲା। ଅନ୍ୟପଟେ କଟକର ଦିନ ତାପମାତ୍ରା ଭୁବନେଶ୍ବରଠାରୁ ୩ ଡିଗ୍ରି କମ୍‌ ଅର୍ଥାତ୍‌ ୩୫.୬ ଡିଗ୍ରି ରହିଥିଲା। ଏହି ତଥ୍ୟକୁ ବି‌ଶ୍ଲେଷଣ କଲେ ଜଣାପଡ଼ୁଛି, ଭୁବନେଶ୍ବର ଧୀରେ ଧୀରେ ଏକ ଉଷ୍ମଦ୍ୱୀପ ଭାବେ ମୁଣ୍ଡ ଟେକିଲାଣି। ସମାନ ଦ୍ରାଘିମା ଏବଂ ଅତି ନିକଟବର୍ତ୍ତୀ ଅକ୍ଷାଂଶରେ ଥିବା କଟକ ସହରର ସର୍ବୋଚ୍ଚ ତାପମାତ୍ରା ଭୁବନେଶ୍ୱର ସହ ସମାନ ରହିବ କଥା। କିନ୍ତୁ ସେଥିରେ ବିଲକ୍ଷଣ ଦେଖାଯାଉଛି। ସବୁବେଳେ କଟକର ଦିନ ତାପମାତ୍ରା ଭୁବନେଶ୍ବରଠାରୁ ୩ରୁ ୪ ଡିଗ୍ରି କମ୍‌ ରହୁଛି।

ଉଷ୍ମଦ୍ୱୀପ ଏମିତି ଏକ ସହରୀକରଣ କ୍ଷେତ୍ର, ସମାନ ସୂର୍ଯ୍ୟକିରଣ ସତ୍ତ୍ବେ ଯାହା ନିଜ ପାର୍ଶ୍ୱବର୍ତ୍ତୀ ଅଞ୍ଚଳଠାରୁ ଅଧିକ ଉତ୍ତପ୍ତ ରହେ। ଏହାର ମୁଖ୍ୟ କାରଣ ହେଉଛି ସୁଉଚ୍ଚ କଂକ୍ରିଟ୍‌ ଅଟ୍ଟାଳିକା, ପିଚୁ ସଡ଼କ, କଂକ୍ରିଟ୍‌ ଜଙ୍ଗଲ, ଗଛକଟା ତଥା ଆର୍ଦ୍ରଭୂମି ନଷ୍ଟ। ପାଣିପା‌ଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜଧାନୀ ଭୁବନେଶ୍ବରର ଭୁଲ୍‌ ଟାଉନ୍‌ ପ୍ଲାନିଂ ଓ ଆର୍ଦ୍ରଭୂମିର ଅଭାବ ଏହାକୁ ଧୀରଧୀରେ ସହରୀ ଉଷ୍ମଦ୍ବୀପରେ ପରିଣତ କରୁଛି। ବାସ୍ତବରେ ଭୁବନେଶ୍ବର ସମୁଦ୍ରଠାରୁ ମାତ୍ର ୬୦ କିମି ଦୂରତା ମଧ୍ୟରେ ରହୁଛି। ଫଳରେ ରାଜଧାନୀକୁ ଅପରାହ୍ଣ ୩ଟା ଆଡ଼କୁ ସାମୁଦ୍ରିକ ପବନ ବହେ। ଯାହାକି ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରୁଥିଲା। ହେଲେ ସାମୁଦ୍ରିକ ପବନ ଆସିବା ଦିଗରେ ଉଚ୍ଚ ଉଚ୍ଚ ଅଟ୍ଟାଳିକା ନିର୍ମିତ ହୋଇଯିବା ଫଳରେ ସହର ଭିତରର ଉଷ୍ମବାୟୁ ବାହାରକୁ ବାହାରିପାରେ ନାହିଁ। ଫଳରେ ରାଜଧାନୀ ଖରାଦିନେ ସହରୀ ଉଷ୍ମଦ୍ବୀପରେ ପରିଣତ ହୋଇଯାଏ। ଆଉ ‌ଏବେ ଅତ୍ୟଧିକ ପରିମାଣରେ କାଠଚୁଲିର ବ୍ୟବହାର ଏହି ସମସ୍ୟାକୁ ଆହୁରି ବଢ଼ାଇଦେବ ବୋଲି ସେ କହିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button