ମହାନଗର

Bhubaneswar-Puri: ସୁଦୃଢ଼ ହେବ ଭୁବନେଶ୍ବର-ପୁରୀ ରେଳ ଲାଇନ୍‌, ୧୩୦ କିମି ବେଗରେ ଦୌଡ଼ିବ ଟ୍ରେନ୍‌

ଭୁବନେଶ୍ବରରୁ ପୁରୀକୁ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡ଼ିବ ଟ୍ରେନ୍‌। ଆଖି ପିଛୁଳାକେ ଭୁବନେଶ୍ବରରୁ ଯାଇ ପୁରୀରେ ପହଞ୍ଚିଯିବେ ଯାତ୍ରୀ। ତାହାକୁ ନଜରରେ ରଖି ପୂର୍ବତଟ....

ଭୁବନେଶ୍ବର: ଭୁବନେଶ୍ବରରୁ ପୁରୀକୁ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡ଼ିବ ଟ୍ରେନ୍‌। ଆଖି ପିଛୁଳାକେ ଭୁବନେଶ୍ବରରୁ ଯାଇ ପୁରୀରେ ପହଞ୍ଚିଯିବେ ଯାତ୍ରୀ। ତାହାକୁ ନଜରରେ ରଖି ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ୍‌-ପୁରୀ ରେଳ ସେକ୍ସନରେ ଡବଲ୍ ଡିଷ୍ଟାଣ୍ଟ ସିଗ୍ନାଲିଙ୍ଗ(ଡିଡିଏସ୍‌) କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଭୁବନେଶ୍ବରରୁ ଖୋର୍ଦ୍ଧାରୋଡ୍‌ ପର୍ଯ୍ୟନ୍ତ ୨୦ କିମି ରେଳ ଲାଇନ୍‌କୁ ଇତି ମଧ୍ୟରେ ଅଟୋ ସିଗନାଲିଂ ହୋଇସାରିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମଞ୍ଜୁରିପ୍ରାପ୍ତ ଏହି ପ୍ରକଳ୍ପ ଯାତ୍ରୀ ସୁରକ୍ଷା ବୃଦ୍ଧି, କାର୍ଯ୍ୟକ୍ଷମ ଦକ୍ଷତା ଉନ୍ନତ ଓ ଗୁରୁତ୍ୱପୂର୍ଣ୍ଣ ରେଳ କରିଡରରେ ଅଧିକ ଅନୁମୋଦିତ ଟ୍ରେନ୍‌ ଗତି ସକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୬ ଜାନୁଆରି ସୁଦ୍ଧା କାର୍ଯ୍ୟ ଶେଷ ପରେ ଟ୍ରେନ୍‌ଗୁଡ଼ିକ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ସୁରକ୍ଷିତ ଭାବେ ଚାଲିପାରିବ। ଏହା ଦ୍ବାରା ଟ୍ରେନ୍‌ ଯାତ୍ରା ସମୟ ହ୍ରାସ ପାଇବ। ସମୟାନୁବର୍ତ୍ତିତାରେ ଉନ୍ନତି ଆସିବା ସହ ଯାତ୍ରୀଙ୍କ ସୁବିଧା ମଧ୍ୟ ବୃଦ୍ଧି ପାଇବ।

ପ୍ରକଳ୍ପର ସିଗ୍ନାଲିଙ୍ଗ ଓ ଟେଲିକମ୍ୟୁନିକେସନ୍(ଏସ୍‌ ଆଣ୍ଡ୍‌ ଟି) ଉପାଦାନ ଅନ୍ତର୍ଗତ ଏହି ସେକ୍ସନରେ ୮ଟି ଷ୍ଟେସନ, ୧୦ଟି ଲେଭଲ୍ କ୍ରସିଂ ଗେଟ୍ ଓ ଗୋଟିଏ ମଧ୍ୟବର୍ତ୍ତୀ ବ୍ଲକ୍‌ ହଟ୍‌ରେ କୌଣସି ପରିବର୍ତ୍ତନ ନ କରି ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ସିଷ୍ଟମ୍ ଇଣ୍ଟିଗ୍ରେସନ୍‌ର ଅଂଶ ଭାବେ ପ୍ରମୁଖ ସିଗ୍ନାଲିଂ ପରିବର୍ତ୍ତନ ହୋଇଛି। ହରିପୁର, ସକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଡେଲାଙ୍ଗ, ମାଳତୀପାଟପୁର ଓ ପୁରୀ ଷ୍ଟେସନରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ(ଇଏଲ୍‌) ପରିବର୍ତ୍ତନ, ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ରୁଟ୍‌ ରିଲେ ଇଣ୍ଟରଲକିଂ(ଆରଆରଆଇ) ପରିବର୍ତ୍ତନ, ମୋଟାରି ଷ୍ଟେସନରେ ପ୍ୟାନେଲ୍‌ ଇଣ୍ଟରଲକିଂ(ପିଆଇ) ପରିବର୍ତ୍ତନ ହୋଇଛି। ଉନ୍ନତ ସିଗ୍‌ନାଲିଂ ଆର୍କିଟେକଚରକୁ ନିରାପଦ ଓ ନିର୍ବିଘ୍ନ ଭାବେ ଅନ୍ତର୍ଭୁକ୍ତ କରିବାକୁ ସମସ୍ତ ସିଷ୍ଟମ୍‌ ଇଣ୍ଟିଗ୍ରେସନ୍‌ ଯୋଜନା(ଏସ୍‌ଆଇପି) ଅନୁମୋଦନ କରାଯାଇଛି। ୨୦୨୪ ନଭେମ୍ବରରେ ଟେଣ୍ଡର୍‌ ପରଠାରୁ ପ୍ରକଳ୍ପରେ ଯଥେଷ୍ଟ ଅଗ୍ରଗତି ରେକର୍ଡ କରାଯାଇଛି। ସେକ୍ସନରେ କେପି-୫, କେପି-୯ ଓ କେପି-୧୧ରେ ତିନୋଟି ଲେଭଲ୍ କ୍ରସିଂ ଗେଟ୍‌ ସହିତ ଖୋର୍ଦ୍ଧା ରୋଡ୍, ହରିପୁର ଗ୍ରାମ, ମୋଟାରି ଓ ଡେଲାଙ୍ଗ ଷ୍ଟେସନରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।ଡିଡିଏସ୍‌ ପ୍ରଣାଳୀ ଦ୍ବାରା ଲୋକୋମୋଟିଭ୍‌ ପାଇଲଟ୍‌ମାନଙ୍କୁ ଆଗୁଆ ସିଗନାଲ ସୂଚନା ପାଇବେ। ସିଗନାଲ ଦିଗଗୁଡ଼ିକର ଉନ୍ନତ ପୂର୍ବାନୁମାନ, ସୁଗମ ଗତି ନିୟନ୍ତ୍ରଣ ଓ ସୁରକ୍ଷିତ ହାଇ-ସ୍ପିଡ୍‌ ଟ୍ରେନ୍‌ ପରିଚାଳନା ଦିଗରେ ସହାୟକ ହେବ। ଅଧିକ ଅନୁମୋଦିତ ଗତି ରେଳ ଯାତ୍ରାକୁ ସୁଦୃଢ଼ କରାଇବ। ଉନ୍ନତ ଗତି ନିୟନ୍ତ୍ରଣ ଉତ୍ତମ ସମୟାନୁବର୍ତ୍ତୀତା ଓ ଅଧିକ ନିର୍ଭରଯୋଗ୍ୟ ଟ୍ରେନ ସେବାରେ ଅବଦାନ ରଖିବ। ହଠାତ୍ ଗତିରେ ପରିବର୍ତ୍ତନ ତଥା ବେଗ ହ୍ରାସ ଯୋଗୁଁ ଉପୁଜୁଥିବା ସମସ୍ୟାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ। ଫଳରେ ଯାତ୍ରୀମାନେ ଅଧିକ ସୁଗମ ଓ ଆରାମଦାୟକ ଯାତ୍ରା କରିବେ। ବିଶେଷକରି ବୟସ୍କ ଯାତ୍ରୀ, ପିଲା ଓ ଦୂରଗାମୀ ଯାତ୍ରୀମାନେ ଉପକୃତ ହେବେ। ଲେଭଲ୍‌ କ୍ରସିଂଗୁଡ଼ିକରେ ଆଧୁନିକ ସିଗ୍‌ନାଲିଂ ସୁରକ୍ଷିତ ସଡ଼କ କ୍ରସିଂ ସୁନିଶ୍ଚିତ କରିବ ଏବଂ ସଡ଼କ ବ୍ୟବହାରକାରୀଙ୍କ ପାଇଁ ଅପେକ୍ଷା ସମୟ ହ୍ରାସ କରିବ। ଭୁବନେଶ୍ବର-ଖୋର୍ଦ୍ଧାରୋଡ୍‌-ପୁରୀ ସେକ୍ସନ୍‌ ଏକ ପ୍ରମୁଖ ତୀର୍ଥଯାତ୍ରୀ ଓ ପର୍ଯ୍ୟଟନ୍‌ କରିଡର ହୋଇଥିବାରୁ ଡିଡିଏସ୍‌ ପ୍ରଣାଳୀ ସୁରକ୍ଷିତ, ଦ୍ରୁତ ଓ ନିର୍ଭରଯୋଗ୍ୟ ରେଳ ସେବା ସୁନିଶ୍ଚିତ କରିବ। ବିଶେଷକରି ରଥଯାତ୍ରା ଓ ପ୍ରମୁଖ ପର୍ବପର୍ବାଣୀ ଭଳି ଯାତ୍ରୀ ଭିଡ଼ ସମୟରେ ଅନେକ ସହାୟକ ହେବ।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button