ଓଡିଶାରାଜନୀତି

BJD: ସୁବାସିନୀଙ୍କୁ ଟାର୍ଗେଟ୍ କଲା ବିଜେଡି: ବାସଭବନ ସମ୍ମୁଖରେ ମହିଳା ଶାଖାର ଆନ୍ଦୋଳନ

କ୍ରସ୍‌ଭୋଟିଂ କରିଥିବା ବିଧାୟକମାନଙ୍କୁ ବିଜେଡି ଲଗାତାର ଭାବେ ଟାର୍ଗେଟ୍ କରିଚାଲିଛି। ଗତକାଲି ଦୁଇ ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ବାଳଙ୍କ ଘର ସାମନାରେ ଦଳର ଯୁବ ଓ ଛାତ୍ର ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଭୁବନେଶ୍ବର: କ୍ରସ୍‌ଭୋଟିଂ କରିଥିବା ବିଧାୟକମାନଙ୍କୁ ବିଜେଡି ଲଗାତାର ଭାବେ ଟାର୍ଗେଟ୍ କରିଚାଲିଛି। ଗତକାଲି ଦୁଇ ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ବାଳଙ୍କ ଘର ସାମନାରେ ଦଳର ଯୁବ ଓ ଛାତ୍ର ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜି ସୁବାସିନୀ ଜେନାଙ୍କ ବିଜେବିନଗରସ୍ଥିତ ବାସଭବନ ସାମନାରେ ମହିଳା ଶାଖା ପକ୍ଷରୁ ପ୍ରତିବାଦ ସଭା କରାଯାଇଥିଲା। ଅପରପକ୍ଷରେ ସୁବାସିନୀ ଦଳର ନିଷ୍ପତ୍ତି ମାନିଛନ୍ତି ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ହୋଇଛି।

ପ୍ରତିବାଦ କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଆରୋପ ଲଗାଇଥିଲେ, ସୁବାସିନୀ ଜେନା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ଦଳରୁ ଟିକେଟ୍‌ ପାଇ ନିର୍ବାଚିତ ହୋଇଥିଲେ। ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶ ଯାହା ରହିବ, ତାହାକୁ ମାନିବେ ବୋଲି ସେ କହୁଥିଲେ। କିନ୍ତୁ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ଦୁର୍ଭାଗ୍ୟଜନକ। ସେ ଦଳର ସଭାପତିଙ୍କ ସହ ବିଶ୍ବାସଘାତ କରିଛନ୍ତି। ଘୋଡ଼ା ବେପାରରେ ସାମିଲ ହୋଇ ଅର୍ଥ ଲୋଭରେ ଦଳବିରୋଧୀ କାର୍ଯ୍ୟ କରିଛନ୍ତି ବୋଲି ସ୍ନେହାଙ୍ଗିନୀ ଅଭିଯୋଗ କରିଛନ୍ତି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁରଙ୍କ ସମେତ ବହୁ ଦଳୀୟ କର୍ପୋରେଟର ଓ ମହିଳା ଶାଖା କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।

ବାସଭବନ ସମ୍ମୁଖରେ ମହିଳା ଶାଖାର ଆନ୍ଦୋଳନ
ଅର୍ଥ ଲୋଭରେ ଦିଲୀପଙ୍କୁ ଭୋଟ ଦେଇଥିବା ଆରୋପ
ସଭାପତିଙ୍କ ନିର୍ଦ୍ଦେଶରେ ଭୋଟ ଦେଇଛି: ସୁବାସିନୀ

ଅପରପକ୍ଷରେ ସୁବାସିନୀ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟସଭା ନିର୍ବାଚନ ପରେ ସେ ଆଜି ଅପରାହ୍ଣରେ ପ୍ରଥମ ଥର ବିଧାନସଭା ଆସିଥିଲେ। ଗଣମାଧ୍ୟମକୁ ସେ କହିଥିଲେ, ମୁଁ ଆମ ଦଳର ସଭାପତିଙ୍କ ନିର୍ଦ୍ଦେଶରେ ଭୋଟ ଦେଇଛି। ଗୋଟିଏ ଭୋଟ ସଂତୃପ୍ତ ମିଶ୍ରଙ୍କୁ ଓ ଆଉ ଗୋଟିଏ ଦିଲୀପ ରାୟଙ୍କୁ ଦେଇଛି। ଦିଲୀପ ରାୟଙ୍କୁ ବିବେକାନୁମୋଦିତ ଭୋଟ ଦେଇଛି। ମୋ ନିର୍ବାଚନମଣ୍ଡଳୀ ବସ୍ତାରେ କଂଗ୍ରେସ ପ୍ରାର୍ଥୀଙ୍କ ସହିତ ମୋର ଲଢ଼େଇ। ତେଣୁ ମୁଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇ ନାହିଁ। ସୁବାସିନୀ ଦୁଇ ଜଣଙ୍କୁ ଭୋଟ୍ ଦେଇଥିବା ସ୍ବୀକାର କରିଥିଲେ ବି କାହାକୁ ପ୍ରଥମ ପସନ୍ଦର ଭୋଟ ଦେଇଛନ୍ତି, ତାହା କହି ନଥିଲେ। ମିଳିଥିବା ସୂଚନା ଅନୁଯାୟୀ ସେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ଦ୍ବିତୀୟ ପସନ୍ଦ ଭୋଟ ଦେଇଛନ୍ତି। ପ୍ରଥମ ପସନ୍ଦ ଭୋଟ୍ ଦିଲୀପ ରାୟଙ୍କୁ ହିଁ ଦେଇଛନ୍ତି। ପ୍ରଥମ ପସନ୍ଦ ଭୋଟ ଦଳର ନିଷ୍ପତ୍ତି ବିରୋଧରେ ଯାଇଥିବାରୁ ସେ କ୍ରସ୍ ଭୋଟିଂ କରିଛନ୍ତି ବୋଲି ବିଜେଡିର ଏଜେଣ୍ଟ୍ ପ୍ରତାପ କେଶରୀ ଦେବ ଗଣମାଧ୍ୟମରେ କହିସାରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button