ରାଜନୀତି

BJD-BJP clash: ବିଜେଡି-ବିଜେପିରେ ଛକାପଞ୍ଝା: ରାଜ୍ୟସଭା ଉତ୍କଣ୍ଠା ବଢ଼ୁଛି, ବିଜେପି ୩ ଆସନ ହାତେଇବା ସମ୍ଭାବନା

ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ସଂଖ୍ୟା ଗଣିତରେ ବିଜେପି ଦୁଇଟି ଓ ବିଜେଡି ଗୋଟିଏ ଆସନରେ ନିଶ୍ଚିତ ଜିତିବେ। ଚତୁର୍ଥ ଆସନ ପାଇଁ ଚର୍ଚ୍ଚା ଜୋର୍‌ଦାର ଚାଲିଥିଲେ ବି ବିଜେପି ଏହି ଆସନଟି ହାତେଇବାର ସମ୍ଭାବନା ସର୍ବାଧିକ ରହିଛି।

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ସଂଖ୍ୟା ଗଣିତରେ ବିଜେପି ଦୁଇଟି ଓ ବିଜେଡି ଗୋଟିଏ ଆସନରେ ନିଶ୍ଚିତ ଜିତିବେ। ଚତୁର୍ଥ ଆସନ ପାଇଁ ଚର୍ଚ୍ଚା ଜୋର୍‌ଦାର ଚାଲିଥିଲେ ବି ବିଜେପି ଏହି ଆସନଟି ହାତେଇବାର ସମ୍ଭାବନା ସର୍ବାଧିକ ରହିଛି। ତେବେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଦୁଇ ଦଳ ବିଜେପି ଓ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଚଳଚଞ୍ଚଳ ହୋଇଛି। ଆଶାୟୀଙ୍କ ତାଲିକା ଲମ୍ବା ଥିବାରୁ ପ୍ରାର୍ଥୀ ବାଛିବା ସହଜ ନୁହେଁ। ବିଜେପି ଆଶାୟୀଙ୍କ ନଜର ନୂଆଦିଲ୍ଲୀ ଉପରେ ଥିଲା ବେଳେ ବିଜେଡି ନେତାଙ୍କ ନଜର ନବୀନ ନିବାସ ଉପରେ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୫। ତାହା ଭିତରେ ଚାରି ଦିନ ଛୁଟି ଥିବାରୁ ନାମାଙ୍କନ ପତ୍ର ଦାଖଲ ପାଇଁ କେବଳ ଦୁଇ ଦିନ(ମାର୍ଚ୍ଚ ୨ ଓ ୫) ସମୟ ଅଛି।

ବିଜେପି ଶାସକ ଦଳରେ ଥିବାରୁ ଏଥିରୁ କିଏ ରାଜ୍ୟସଭାକୁ ଯିବେ, ତାହାକୁ ନେଇ ସର୍ବାଧିକ ଚର୍ଚ୍ଚା। ଦୁଇଟି ଆସନରେ ବିଜେପି ଜିତିବାରେ କିଛି ସମସ୍ୟା ନାହିଁ। କିନ୍ତୁ ତୃତୀୟ ଆସନଟି ବି ବିଜେପି ସପକ୍ଷରେ ଯିବାର ସମ୍ଭାବନା ଅଧିକ ଥିବାରୁ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ସୁଜିତ କୁମାର ଓ ମମତା ମହନ୍ତ ବିଜେଡିର ରାଜ୍ୟସଭା ସଦସ୍ୟ ଥିଲା ବେଳେ ଇସ୍ତଫା ଦେଇ ପୁନର୍ବାର ବିଜେପି ପ୍ରାର୍ଥୀ ଭାବେ ଜିତିଥିଲେ। ଉଭୟଙ୍କର କାର୍ଯ୍ୟକାଳ ଏବେ ଶେଷ ହେଉଛି।  ବିଜେପିର ଆଭ୍ୟନ୍ତରୀଣ ମହଲର ସୂଚନା ଅନୁଯାୟୀ ସୁଜିତ କୁମାରଙ୍କୁ ଆଉ ଥରେ ଦଳ ପ୍ରାର୍ଥୀ କରିପାରେ। ବିଜେପିର କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ଏ ନେଇ ପରୋକ୍ଷରେ ଇଙ୍ଗିତ ଦେଇଥିବା ବହୁ ନେତା ଖୋଲାଖୋଲି କହୁଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ବସନ୍ତ ପଣ୍ଡା ଓ ସମୀର ମହାନ୍ତିଙ୍କ ନାମ ଚର୍ଚ୍ଚାର ଆଗରେ ରହିଛି। ବସନ୍ତ ପଣ୍ଡାଙ୍କ ପୁଅଙ୍କୁ ବିଜେପି ନୂଆପଡ଼ାରେ ଟିକେଟ ଦେଇ ନଥିବାରୁ ତାଙ୍କୁ ରାଜ୍ୟସଭା ପଠାଇବାକୁ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି। ଅବଶ୍ୟ ଶ୍ରୀ ପଣ୍ଡା ଏ ସମ୍ପର୍କରେ ନିଜେ ମୁହଁ ଖୋଲିନାହାନ୍ତି। ରାଜ୍ୟ ବାହାରୁ ଜଣେ ଦଳୀୟ ନେତାଙ୍କୁ ପ୍ରାର୍ଥୀ କରାଯିବା ନେଇ ଦଳ ଭିତରେ ଆଲୋଚନା ଚାଲିଛି। ନିକଟରେ ଦଳର କୋର୍ କମିଟି ବୈଠକ ବସିଥିଲା। ଏହି ବୈଠକରେ ରାଜ୍ୟସଭା ପ୍ରାର୍ଥୀଙ୍କ ଉପରେ ଆଲୋଚନା ହେବ ବୋଲି ସମସ୍ତେ ଆକଳନ କରୁଥିଲେ। କିନ୍ତୁ ସେପରି କିଛି ହୋଇ ନଥିଲା। ରାଜ୍ୟସଭା ପ୍ରସଙ୍ଗ ହିଁ ସେଥିରେ ଉଠି ନଥିଲା। ବିଜେପିର ପ୍ରାର୍ଥିତ୍ବ ସମ୍ପର୍କରେ ଓଡ଼ିଶା ନେତୃତ୍ବ ନିଷ୍ପତ୍ତି ନେବାର କୌଣସି ଅବକାଶ ନାହିଁ। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ କେନ୍ଦ୍ରୀୟ ନେତୃତ୍ବ ହିଁ ନେବେ।
ବିଜେପି ୩ ଆସନ ହାତେଇବା ସମ୍ଭାବନା
ଆଜି ବିଜେଡି ବୈଠକ
ପ୍ରାର୍ଥୀ ଦେବେ ବୋଲି ପୁଣି କହିଲେ ଭକ୍ତ
ବିଜେଡିରେ କିଏ ପ୍ରାର୍ଥୀ ହେବେ, ତାହାର କୌଣସି ସୁରାକ ଦଳୀୟ ବିଧାୟକମାନେ ପାଉ ନାହାନ୍ତି। ଗତକାଲି ରାଜନୈତିକ ବ୍ୟାପାର କମିଟି ବୈଠକରେ ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ନିଷ୍ପତ୍ତି ଛାଡ଼ିଦିଆଯାଇଥିଲା। ବିଜେଡିରେ ସବୁବେଳେ ପ୍ରାର୍ଥିତ୍ବ ସମ୍ପର୍କରେ ନବୀନ ହିଁ ନିଷ୍ପତ୍ତି ନିଅନ୍ତି। ଏଥିରେ କେବେ କୌଣସି ନେତାଙ୍କ ସହ ଆଲୋଚନା କରିଥିବାର ନଜିର ନାହିଁ। ଗତ କିଛି ବର୍ଷ ହେଲା ନବୀନ ଓ ତାଙ୍କ ଘନିଷ୍ଠ ଅଧିକାରୀ ଭି କେ ପାଣ୍ଡିଆନ ହିଁ ସବୁ ନିଷ୍ପତ୍ତି ନେଉଥିଲେ। କ୍ଷମତାରେ ଥିଲା ବେଳେ ନବୀନ ନିଜ ଦଳର ନେତାଙ୍କୁ ଲୋଡ଼ୁ ନଥିଲେ କି ବର୍ତ୍ତମାନ ବି ଲୋଡ଼ୁ ନାହାନ୍ତି। ବିଜେଡିର ଆଭ୍ୟନ୍ତରୀଣ ଚର୍ଚ୍ଚାରେ ସଂତୃପ୍ତ ମିଶ୍ରଙ୍କ ନାମ ଆଗରେ ରହିଛି। ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା ଓ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ମଧ୍ୟ ଆଲୋଚନା ଚାଲିଛି।

ଆଜି ନବୀନ ନିବାସରେ ବିଜେଡିର ବିଧାୟକମାନଙ୍କୁ ଡକାଯାଇଥିଲା। ଯେହେତୁ ମୁଣ୍ଡ ଉପରେ ରାଜ୍ୟସଭା ନିର୍ବାଚନ ଅଛି, ତେଣୁ ବିଧାୟକଙ୍କ ବୈଠକରେ ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋଚନା ହେବ ବୋଲି ସମସ୍ତେ ଭାବି ନେଇଥିଲେ। ସାରା ରାଜ୍ୟର ନଜର ଥିଲା ନବୀନ ନିବାସ ଉପରେ। କିନ୍ତୁ ବୈଠକ ହିଁ ହେଲା ନାହିଁ। ୩୦/୩୫ ବିଧାୟକ ନବୀନ ନିବାସରେ ପହଞ୍ଚିଥିଲେ ବି ନବୀନଙ୍କୁ ଦେଖା କରିପାରି ନଥିଲେ। ଦୁଇ ତିନି ଜଣ ବିଧାୟକ ନବୀନଙ୍କୁ ବ୍ୟକ୍ତିଗତ ଭାବେ ଭେଟିଥିଲେ। ଅନ୍ୟମାନେ ଚା, ବିସ୍କୁଟ୍ ଖାଇ ଫେରିଥିଲେ। ଆସନ୍ତାକାଲି ୧୧ଟା ୩୦ରେ ନବୀନ ନିବାସରେ ପୁଣି ବୈଠକ ଡକାଯାଇଛି। ଆଜି ନବୀନ ନିବାସରୁ ବାହାରିଲା ପରେ ବିଧାୟକ ଅରୁଣ କୁମାର ସାହୁ ରାଜ୍ୟସଭା ପ୍ରସଙ୍ଗରେ କହିଥିଲେ, ଗତକାଲି ପିଏସି ବୈଠକରେ ସଭାପତିଙ୍କ ଉପରେ ସବୁ ନିଷ୍ପତ୍ତି ଛାଡ଼ି ଦିଆଯାଇଛି। ତେଣୁ ସଭାପତି ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ।
ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ପୁନର୍ବାର ଦୋହରାଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ଯଦିଓ ଦଳ ପାଖରେ ସଂଖ୍ୟା ନାହିଁ, ତଥାପି ବିଜେଡି ସହାୟତାରେ ରାଜ୍ୟ ହିତରେ ଜଣେ ପ୍ରାର୍ଥୀଙ୍କୁ ଛିଡ଼ା କରିବା ଲାଗି ପିସିସି ସଭାପତି ଭକ୍ତଚରଣ ଦାସ ଘୋଷଣା କରିଛନ୍ତି। କିନ୍ତୁ ଏ ଯାଏ ନବୀନଙ୍କୁ ଭେଟି ପାରି ନଥିବା ପିସିସି ସଭାପତି କିପରି ବିଜେଡି ଠାରୁ ସହଯୋଗ ପାଇବେ, ତାହା ବୁଝାପଡ଼ୁ ନାହିଁ। ହାଇକମାଣ୍ଡଙ୍କ ସହ ଆଲୋଚନା କରିବା ଲାଗି ଶ୍ରୀ ଦାସ ଆଜି ନୂଆଦିଲ୍ଲୀ ଯାଇଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ନିର୍ବାଚନରେ ଘୋଡ଼ା ବେପାର ବନ୍ଦ ହେବା ଉଚିତ। ବିଜେଡି ସମଦୂରତା ରକ୍ଷା କରିବାରେ କିଛି ଅସୁବିଧା ନାହିଁ। ମାତ୍ର ପ୍ରସଙ୍ଗଭିତ୍ତିକ ରାଜନୀତି ହୋଇପାରିବ। ଜଣେ ବିଶିଷ୍ଟ ବ୍ୟକ୍ତିତ୍ବ ସ୍ବାଧୀନ ଭାବେ ଯଦି ବିଜେଡି-କଂଗ୍ରେସ ସମର୍ଥରେ ରାଜ୍ୟସଭାକୁ ନିର୍ବାଚିତ ହେବେ, ତେବେ ସେ ରାଜ୍ୟର ସ୍ବାର୍ଥ କଥା ଉଠାଇବେ। ଅପର ପକ୍ଷରେ କଂଗ୍ରେସର ତାଲିକାରେ ୫ଜଣଙ୍କ ନାମ ପ୍ରଫେସର ପ୍ରଭାତ ପଟ୍ଟନାୟକ, ଆଇନଜୀବୀ ପି.କେ ରାୟ, ଲଳିତ ମାନସିଂହ, ଡା.ସୁବ୍ରତ ଆଚାର୍ଯ୍ୟ ଓ ଡା.ଦତ୍ତେଶ୍ବର ହେତା ରହିଥିବା କୁହାଯାଉଛି। ବିଜେଡି ସମର୍ଥନ କରିବାର ସମ୍ଭାବନା ନଥିବାରୁ ନିଶ୍ଚିତ ପରାଜୟ ଜାଣି ଏହି ବ୍ୟକ୍ତିମାନେ କିପରି ପ୍ରାର୍ଥୀ ହେବାକୁ ରାଜି ହେବେ, ସେ ନେଇ ସନ୍ଦେହ ରହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button