BJD in pieces, BJP waiting for benefits: ବିଜେଡି ଖଣ୍ଡଖଣ୍ଡ, ଫାଇଦା ଅପେକ୍ଷାରେ ବିଜେପି: ମହଙ୍ଗା ପଡ଼ିପାରେ ମୋକିମ୍ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ସାଧାରଣ ନିର୍ବାଚନରେ କଟକ ଜିଲ୍ଲାର ୯ ବିଧାନସଭା ଆସନରୁ ୫ଟିରେ ବିଜେଡି ହାରି ଯାଇଥିଲା। ଜିଲ୍ଲାରେ ଏବେ ବିଜେଡିର ୪ଜଣ ବିଧାୟକ ଅଛନ୍ତି। ବିଜେପିର ଦୁଇ ଜଣ, ବିଜେପିକୁ ସମର୍ଥନ ଦେଉଥିବା ୨ ସ୍ବାଧୀନ ବିଧାୟକ ଓ ଜଣେ କଂଗ୍ରେସ ବିଧାୟକଙ୍କୁ ନେଇ ଆଗକୁ ବଢ଼ୁଛି ରାଜନୀତି।

ଦୀପ୍ତିରଂଜନ ସାମଲ
କଟକ: ସାଧାରଣ ନିର୍ବାଚନରେ କଟକ ଜିଲ୍ଲାର ୯ ବିଧାନସଭା ଆସନରୁ ୫ଟିରେ ବିଜେଡି ହାରି ଯାଇଥିଲା। ଜିଲ୍ଲାରେ ଏବେ ବିଜେଡିର ୪ଜଣ ବିଧାୟକ ଅଛନ୍ତି। ବିଜେପିର ଦୁଇ ଜଣ, ବିଜେପିକୁ ସମର୍ଥନ ଦେଉଥିବା ୨ ସ୍ବାଧୀନ ବିଧାୟକ ଓ ଜଣେ କଂଗ୍ରେସ ବିଧାୟକଙ୍କୁ ନେଇ ଆଗକୁ ବଢ଼ୁଛି ରାଜନୀତି। ଲଗାତାର ଦୁଇଟି ନିର୍ବାଚନରେ ବାରବାଟୀ-କଟକ ଆସନର ଭୋଟର କଂଗ୍ରେସକୁ ଭରସା କରିଛନ୍ତି। ହେଲେ ନିକଟରେ ମହମ୍ମଦ ମୋକିମ୍ଙ୍କୁ କଂଗ୍ରେସରୁ ବହିଷ୍କାର କରାଯିବା ପରେ ଏବେ କର୍ମୀ କେଉଁ ଦିଗକୁ ଯିବେ ତାହା ଉପରେ ରାଜନୈତିକ ମହଲ ନଜର ରଖିଛନ୍ତି। ଅନ୍ୟଥା ଆଗକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ଲଢ଼େଇ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ େହବ ଏବଂ ବାଙ୍କୀ, ମାହାଙ୍ଗା, ସାଲେପୁର ଅଞ୍ଚଳରେ କଂଗ୍ରେସ ତାର ଶକ୍ତି ଦେଖାଇପାରେ। ୨୦୨୪ ସାଧାରଣ ନିର୍ବାଚନରେ ଚୌଦ୍ବାର-କଟକ, ସାଲେପୁର, ଆଠଗଡ଼ ଓ ବାଙ୍କୀରେ ବିଜେଡି ଜିତିଥିଲା। କଟକ ସଦର ଓ ନିଆଳି ଆସନ ବିଜେପି ଗଲା ଓ ବାରବାଟୀ କଟକରେ କଂଗ୍ରେସର ସୋଫିଆ ଫିରଦୋସ୍, ବଡ଼ମ୍ବାରେ ବିଜୟ ଦଳବେହେରା ଓ ମାହାଙ୍ଗାରେ ସାରଦା ପ୍ରଧାନ ସ୍ବାଧୀନ ଭାବେ ବିଜୟୀ ହେଲେ।
ବର୍ତ୍ତମାନ କିନ୍ତୁ ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ବିଜେଡି ଅଣନିଃଶ୍ବାସୀ ଅବସ୍ଥାରେ ରହିଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ ମେୟର ସୁବାସ ସିଂହଙ୍କ ସମର୍ଥକ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଚୌଦ୍ବାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ କଟକ ଜିଲ୍ଲାର ଦେବୀ ମିଶ୍ର, ପ୍ରତାପ ଜେନାଙ୍କ ଭଳି ବରିଷ୍ଠ ନେତାଙ୍କୁ ଖୋଲା ସମାଲୋଚନା କରୁଛନ୍ତି। ଯୁବ ବିଜେଡିର ଟିମ୍ ଚୟନ ବେଳେ ଅନ୍ୟ ଜିଲ୍ଲାର ପ୍ରତିନିଧିଙ୍କୁ କଟକରେ ସାମିଲ କରାଯିବା ଓ କିଛି ଜଣାଣୁଣା ଯୁବନେତା ଦଳ ଛାଡ଼ି ଅନ୍ୟ ଦଳରେ ମିଶିବା ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିଛି। ଏହାର ଫାଇଦା କିନ୍ତୁ ନେଇପାରିନି ବିଜେପି। ସଦର ଓ ନିଆଳି ବ୍ୟତୀତ ଅନ୍ୟ ନିର୍ବାଚନମଣ୍ଡଳୀରେ ଦଳ ସଂଗଠିତ ହୋଇପାରିନାହିଁ।
ସୌଜନ୍ୟ ସମ୍ବାଦ



