ଓଡିଶାମହାନଗର

BMC: ବେଆଇନ ହୋର୍ଡିଂକୁ ପ୍ରଶ୍ରୟ ଦେଉଛି ବିଏମ୍‌ସି

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଲାଗିଥିବା ହୋର୍ଡିଂ ବିବାଦ ଥମିବାକୁ ନାଁ ଧରୁନି। ଆଇଗିଣିଆ ଅଞ୍ଚଳରେ ହୋର୍ଡିଂ ପଡ଼ି ୨ଜଣଙ୍କ ମୃତ୍ୟୁ ପରେ ଭୁବନେଶ୍ବର ମହାନଗର ନିଗମ....

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଲାଗିଥିବା ହୋର୍ଡିଂ ବିବାଦ ଥମିବାକୁ ନାଁ ଧରୁନି। ଆଇଗିଣିଆ ଅଞ୍ଚଳରେ ହୋର୍ଡିଂ ପଡ଼ି ୨ଜଣଙ୍କ ମୃତ୍ୟୁ ପରେ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ବେପରୁଆ ଓ ମନମୁଖୀ ମନୋଭାବ ପଦାରେ ପଡ଼ିଛି। ମାସ ମାସ ଧରି ଏତେ ବଡ଼ ଏକ ବେଆଇନ୍‌ ହୋର୍ଡିଂ ଲାଗି ରହିଥିଲେ ବି କେମିତି ଅଧିକାରୀଙ୍କ ନଜରକୁ ଏହା ଆସିଲାନି, ତାହା ସନ୍ଦେହ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ମାସ ମାସ ଧରି ଭୁବନେଶ୍ବର ମହାନଗର ନିଗମ ଶହ ଶହ ବେଆଇନ ହୋର୍ଡିଂକୁ ପ୍ରଶ୍ରୟ ଦେଇ ଆସିବା ଆହୁରି ବିବାଦ ଠିଆ କରିଛି। ୬ ମାସ ତଳେ ଯେଉଁ ହୋର୍ଡିଂ ବେଆଇନ୍‌ ଘୋଷିତ ହୋଇଥିଲା, ତାହା ଅଦ୍ୟାବଧି ଉଚ୍ଛେଦ ହୋଇନି।

୬ ମାସ ତଳେ ଅର୍ଥାତ ଗତ ସେପ୍ଟେମ୍ବର ମାସରେ ଏଭଳି ଏକ ବିବାଦୀୟଘଟଣାକ୍ରମରେ ସାଇବର ସ୍ବିଫ୍ଟ ରିପୋର୍ଟ ଅନୁସାରେ ଖୋଳତାଡ଼ ଓ ପ୍ରତ୍ୟକ୍ଷ ସ୍ଥିତି ଅନୁଧ୍ୟାନ ପରେ ୧୧୫୯ଟି ବେଆଇନ୍‌ ହୋର୍ଡିଂ ଚିହ୍ନଟ ହୋଇଥିଲା। ଯାହାର ଟଙ୍କା ହୋର୍ଡିଂ ଲଗାଉଥିବା ଏଜେନ୍ସିମାନେ ଦେଉନଥିଲେ। ଏଣୁ ବିଏମ୍‌ସିଠାରୁ ଟେଣ୍ଡର ନେଇଥିବା ଏଜେନ୍ସିମାନଙ୍କ ସହ ୫ ଦିନିଆ ସ୍ବତନ୍ତ୍ର ବୈଠକ ଡକାଯାଇଥିଲା। ବୈଠକରେ ୧୧୫୯ଟି ହୋର୍ଡିଂରୁ ୫୫୦ଟି ସେମାନଙ୍କର ବୋଲି ବିଜ୍ଞାପନ ଏଜେନ୍ସିମାନେ ଦାବି କରିଥିଲେ। କିନ୍ତୁ ଆଉ ୬୦୯ଟି ହୋର୍ଡିଂର କେହି ଦାବିଦାର ନଥିଲେ। ଏଣୁ ଏସବୁ ତୁରନ୍ତ ହଟାଇବାକୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଆରମ୍ଭରୁ ଉଚ୍ଛେଦ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଗଲା।

କିନ୍ତୁ ଏବେ ଆଉ ଏହି ବେଆଇନ୍‌ ହୋର୍ଡିଂରେ ହାତ ମାରୁନି ବିଏମ୍‌ସି। ଯାହା ଆଇଗିଣିଆ ଭଳି ଅଘଟଣ ଘଟାଇବାର ଆଶଙ୍କା ସୃଷ୍ଟି କରିଛି। ଏପରିକି ୬୦୯ଟି ବେଆଇନ୍‌ ହୋର୍ଡିଂ ବାବଦ ଯେଉଁ ଟଙ୍କା ବିଜ୍ଞାପନ ଏଜେନ୍ସିଙ୍କୁ ମୁଣ୍ଡରେ ଲଦା ଯାଇଥିଲା, ଯେହେତୁ, ସେ ହୋର୍ଡିଂ ସେମାନଙ୍କର ନୁହେଁ, ତେଣୁ ତାକୁ ବି ଛାଡ଼ କରି ଦିଆଗଲା। ତଥାପି ଅଦ୍ୟାବଧି ଏହାର ଉଚ୍ଛେଦ ପ୍ରକ୍ରିୟା ଶେଷ ହୋଇନି।  ଏପରିକି ଭୁବନେଶ୍ବର ମହାନଗର ନିଗମ ୬ ମାସ ତଳୁ ସ୍ବତନ୍ତ୍ର ଟିମ୍‌ ଗଠନ କରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ବେଆଇନ୍‌ ହୋର୍ଡିଂ ହଟାଇବା ପାଇଁ ଏବେ ଟେଣ୍ଡର ଡକାଯାଇଛି ବୋଲି କମିସନର୍‌ ଚଞ୍ଚଳ ରାଣା କହିଛନ୍ତି। ବିଏମ୍‌ସି ଡେପୁଟି କମିସନର୍‌ ଅଜୟ କୁମାର ମହାନ୍ତି କହିଛନ୍ତି, ଯେଉଁ ୬୦୯ଟି ହୋର୍ଡିଂର କେହି ଦାବିଦାର ନ ଥିଲେ, ଖୋଳତାଡ଼ ପରେ ସେଥିରୁ ପ୍ରାୟ ୩୦୦ଟି ବିଭିନ୍ନସରକାରୀ ବିଭାଗର ବୋଲି ଜଣାପଡ଼ିଥିଲା। ଏଣୁ ଏହାକୁ ଛାଡ଼ି ବାକି ହୋର୍ଡିଂ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button