ଓଡିଶା

Bomb exploded: ବୋମା ଫୁଟିଲା: ମାରିବାକୁ ଆସିଥିଲା, ହାତ ହରାଇଲା

ବୁଧବାର ରାତି ପାଖାପାଖି ୮ଟା। ପୁରୁଣା ବିଏମ୍‌ସି ରାସ୍ତାରେ ହଠାତ୍‌ ପ୍ରଚଣ୍ଡ ବିସ୍ଫୋରଣ ହେଲା। ପ୍ରଚାର ହୋଇଗଲା ଯେ ବୋମାମାଡ଼ ହେଲା। ଗୋଷ୍ଠୀ ସଂଘର୍ଷ ଯୋଗୁ ବୋମାମାଡ଼ ହୋଇଛି। କଳ୍ପନା ଛକ ରଣକ୍ଷେତ୍ର ପାଲଟିଗଲାଣି।

ଭୁବନେଶ୍ବର: ବୁଧବାର ରାତି ପାଖାପାଖି ୮ଟା। ପୁରୁଣା ବିଏମ୍‌ସି ରାସ୍ତାରେ ହଠାତ୍‌ ପ୍ରଚଣ୍ଡ ବିସ୍ଫୋରଣ ହେଲା। ପ୍ରଚାର ହୋଇଗଲା ଯେ ବୋମାମାଡ଼ ହେଲା। ଗୋଷ୍ଠୀ ସଂଘର୍ଷ ଯୋଗୁ ବୋମାମାଡ଼ ହୋଇଛି। କଳ୍ପନା ଛକ ରଣକ୍ଷେତ୍ର ପାଲଟିଗଲାଣି। ବୋମାମାଡ଼ କଥା ଶୁଣୁଶୁଣୁ ଯିଏ ଯେମିତି ଅବସ୍ଥାରେ ଥିଲେ, ସେଠାରୁ ଧାଇଁବା ଆରମ୍ଭ କଲେ। ପରେ ଜଣାପଡ଼ିଲା କଳ୍ପନା ଛକରେ ବୋମା ଫୁଟିଛି ଏବଂ ଜଣେ ଯୁବକ ଗୁରୁତର ହୋଇଛନ୍ତି। ବୋମା ବିସ୍ଫୋରଣରେ ଯୁବକଙ୍କ ହାତ ପୂରା ନଷ୍ଟ ହୋଇଯାଇଛି। ବୋମାମାଡ଼ କରିବାକୁ ଆସିଥିବା ଯୁବକଜଣକର ହାତରେ ବୋମା ଫୁଟିଯାଇଛି। ଖବର ପାଇ ବଡ଼ଗଡ଼ ଥାନା ପୁଲିସ ସେଠାରେ ପହଞ୍ଚି ଆହତ କହ୍ନେଇ ନାୟକ ଓରଫ ରାଜାକୁ ଉଦ୍ଧାର କରି ହସ୍ପିଟାଲ୍‌ ପଠାଇଥିଲା।

ଖବର ମୁତାବକ କିଛିଦିନ ହେବ ଚିନ୍ତାମଣିଶ୍ବର ଅଞ୍ଚଳର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ଦିନକୁ ଦିନ ବିବାଦ ବଢ଼ିବାରୁ ଦୁଇ ଗୋଷ୍ଠୀ ବିଭିନ୍ନ ସମୟରେ ମୁହାଁମୁହିଁ ହେଉଥିଲେ ଏବଂ ସେମାନଙ୍କ ଭିତରେ ଛକାପଞ୍ଝା ଲାଗି ରହିଥିଲା। ବୁଧବାର ରାତି ପାଖାପାଖି ୮ଟା ସମୟରେ ଗୋଟିଏ ଗୋଷ୍ଠୀର ଯୁବକ କଳ୍ପନା ଛକ ନିକଟରେ ଖଟି କରୁଥିଲେ। ଏତିକି ବେଳେ ରାଜା ଗୋଷ୍ଠୀର କିଛି ଯୁବକ ସେଠାରେ ପହଞ୍ଚିଥିଲେ। ଖଟିରେ ଆରମ୍ଭ ହୋଇଯାଇଥିଲା କଥା କଟାକଟି ଏବଂ ପରେ ହାତାହାତି। ମୁଥ ମରାମରି ଓ ଠେଲାପେଲା ଯୋଗୁ ଖଟି ରଣକ୍ଷେତ୍ର ପାଲଟିଯାଇଥିଲା। ରାଜା ଗୋଷ୍ଠୀ ପ୍ରତିପକ୍ଷକୁ ମୁକାବିଲା କରି ପାରିନଥିଲା। ପ୍ରତିପକ୍ଷର ନିର୍ଘାତ ମାଡ଼ରେ ସେମାନେ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ଖବର ପାଇ ନିଜେ ରାଜା ବୋମା ଧରି ସେଠାରେ ପହଞ୍ଚି ଯାଇଥିଲା।

ରାଜା ବୋମା ଧରି ଆସିଥିବା ଜାଣି ପାରି ପ୍ରତିପକ୍ଷ ପ୍ରସ୍ତୁତ ହୋଇଯାଇଥିଲେ ଏବଂ ସେମାନେ ରାଜାକୁ ଘେରି ଯାଇଥିଲେ। ରାଜା ବୋମା ମାଡ଼ କରିବା ପୂର୍ବରୁ ଜଣେ ଯୁବକ ତାକୁ ଶକ୍ତ ଧକ୍କା ଦେବାରୁ ସେ ତଳେ ପଡ଼ିଯାଇଥିଲା। ଫଳରେ ତା’ ହାତରେ ଥିବା ବୋମାଟି ଫୁଟିଯାଇଥିଲା। ରାଜାର ଡାହାଣ ହାତ ପାପୁଲି ଛିନିଛତର ହୋଇଯାଇଥିଲା। ବୋମା ଫୁଟିବା ଦେଖି ଖଣ୍ଡଯୁଦ୍ଧରେ ଲିପ୍ତ ଯୁବକମାନେ ଛତ୍ରଭଙ୍ଗ ଦେଇଥିଲେ। ରାଜା ବିକଳରେ ଚିତ୍କାର କରି ତଳେ ଗଡ଼ୁଥିବା ବେଳେ ତାକୁ କେହି ବି ଉଦ୍ଧାର କରିବାକୁ ନଥିଲେ। ବଡ଼ଗଡ଼ ଥାନା ପୁଲିସର ଦୁଇଟି ଟିମ୍‌ ସେଠାରୁ ରାଜାକୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। କଳ୍ପନା ଛକ ଏହି ଖଟିରୁ ଫେରାର ହୋଇଯାଇଥିବା ଯୁବକମାନଙ୍କୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା ଏବଂ ଜଣେ ଅଭିଯୁକ୍ତକୁ କାବୁ କରିିଥବା ସୂଚନା ମିଳିଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button