Bomb Threat Odisha Chief Minister Order ଇମେଲରେ ବୋମା ଧମକ, ଘଟଣାର ତଦନ୍ତ କରି ଅପରାଧୀକୁ ଖୋଜି ବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଇମେଲରେ ବୋମା ଧମକ ମିଳିବା ପରେ ଘଟଣାର ତଦନ୍ତ କରିବାକୁ chief minister ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀକୁ ଖୋଜି ବାହାର କରିବାକୁ ସେ କହିଛନ୍ତି।

ଭୁବନେଶ୍ବର: ଇମେଲରେ ବୋମା ଧମକ ମିଳିବା ପରେ ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀକୁ ଖୋଜି ବାହାର କରିବାକୁ ସେ କହିଛନ୍ତି। ଏଣେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏନେଇ ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣା ସଂପର୍କରେ ସନ୍ଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁଲିସ ଡିଜି କଟକ ଉଚ୍ଚ ନ୍ୟାୟାଳୟରେ ପହଞ୍ଚି ସ୍ଥିତିର ତଦାରଖ କରୁଛନ୍ତି। ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଘଟଣା ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ପୁଲିସ ଡିଜି ୱାଇ.ବି ଖୁରାନିଆଙ୍କ ସହ ଘଟଣାର ସବିଶେଷ ବିବରଣୀ ହାସଲ କରିବା ସହ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରିଛନ୍ତି।
ତେଣେ ପୁଲିସ ଡିଜି ୱାଇ.ବି ଖୁରାନିଆ କହିଛନ୍ତି, ଧମକ ମିଳିବା ପରେ କୋର୍ଟ ପରିସରକୁ ସଂପୂର୍ଣ୍ଣ ଖାଲି କରିଦିଆଯାଇଛି। ଭୟଭୀତ ହେବାର କୌଣସି କାରଣ ନାହିଁ। ଯାଞ୍ଚ କରାଯାଉଛି, ପୁଲିସ ସବୁଠାରେ ଆଲର୍ଟ ରହିଛି।
ସମ୍ବଲପୁର, କଟକ ଓ ଦେବଗଡ଼ ଜିଲ୍ଲା କୋର୍ଟକୁ ଧମକ
ଦୁଇ ଦିନ ତଳେ ଦେଶର ବିଭିନ୍ନ ସ୍ଥାନକୁ ଉଡ଼ାଇଦେବାକୁ ଇମେଲରେ ଧମକ ମିଳିଥିବା ବେଳେ ଆଜି ଓଡ଼ିଶାର ତିନି କୋର୍ଟକୁ ଆସିଛି ବୋମା ଧମକ। ବୋମାରେ ଉଡ଼ାଇଦେବାକୁ ସମ୍ବଲପୁର, କଟକ ଓ ଦେବଗଡ଼ ଜିଲ୍ଲା କୋର୍ଟକୁ ଧମକ ଆସିଛି।ଅପରାହ୍ଣ ୨ଟା ୪୫ ମିନିଟ୍ ସୁଦ୍ଧା ଜାଗା ଖାଲି କରିବାକୁ ଏହି ଇମେଲରେ ଧମକ ଆସିଛି। ଏହି ଇମେଲ୍ ଆସିବା ପରେ ବୋମା ସ୍କ୍ବାର୍ଡ ଓ ସନ୍ଧାନୀ କୁକୁର ସହ ପୁଲିସ ବ୍ୟାପକ ଯାଞ୍ଚ କରୁଛି। ଏହି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଦେଇଛି।
ସମ୍ବଲପୁର ଜିଲ୍ଲା କୋର୍ଟ ପରିସରରେ ବୋମା ଥିବା ନେଇ କୋର୍ଟ ରେଜିଷ୍ଟରକୁ ମେଲ ଆସିଥିବା ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ।. ମେଲଟି ଦିନ ୧୧ଟା ସମୟରେ ଆସିଥିବା ଜଣା ପଡିଛି। କୋର୍ଟ ପରିସରରୁ ସମସ୍ତ ଓକିଲ, ଅଧିକାରୀ, କର୍ମଚାରୀମାନଙ୍କୁ ବାହାର କରି ବମ ସ୍କ୍ବାଡ଼, ସନ୍ଧାନୀ କୁକୁର, ସାଇବର ଅଧିକାରୀ ରହି ତଦନ୍ତ କରୁଛନ୍ତି। ଏଣେ ଏହାପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପରିସରକୁ ପୁଲିସ ଛାଉଣି କରାଯାଇଛି।
ସୌଜନ୍ୟ ସମ୍ବାଦ




