ଓଟାୱା: କାନାଡାରୁ ଏକ ହୃଦୟବିଦାରକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। କେନେଥ୍ ଲ’ ନାମକ ଜଣେ ୬୦ ବର୍ଷୀୟ କାନାଡିଆନ୍ ନାଗରିକ ଅନ୍ଲାଇନରେ ମୃତ୍ୟୁ ପ୍ୟାକେଟ୍ ବଣ୍ଟନ କରିବାର ଭୟଙ୍କର କାର୍ଯ୍ୟ କରିଛନ୍ତି। ଏହି ବ୍ୟକ୍ତି ବିଶ୍ୱର ୪୦ରୁ ଅଧିକ ଦେଶକୁ ବିଷାକ୍ତ ରାସାୟନିକ ପଦାର୍ଥ ଯୁକ୍ତ ପ୍ୟାକେଟ୍ ପଠାଇ ଶତାଧିକ ଲୋକଙ୍କୁ ହତ୍ୟା କରିଛନ୍ତି। ଶୁକ୍ରବାର ଦିନ ଅଣ୍ଟାରିଓର ନ୍ୟୁମାର୍କେଟରେ କୋର୍ଟରେ ହାଜର ହେବା ପରେ ବ୍ୟକ୍ତି ଜଣକ ତାଙ୍କର ଜଘନ୍ୟ ଅପରାଧ ସ୍ୱୀକାର କରିଛନ୍ତି। ଅଭିଯୁକ୍ତ କେନେଥ୍ ଲ’ଙ୍କ ବିରୋଧରେ ମୁଖ୍ୟ ଅଭିଯୋଗ ହେଉଛି ଯେ ସେ ଲୋକମାନଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇଥିଲେ ଏବଂ ଏଥିରେ ସେମାନଙ୍କୁ ପୂର୍ଣ୍ଣ ସହାୟତା କରିଥିଲେ। ଏହି ସରକାରୀ ସ୍ୱୀକାରୋକ୍ତି ପରେ, କୋର୍ଟ ଆସନ୍ତା ସେପ୍ଟେମ୍ବରରେ ଦଣ୍ଡାଦେଶ କରିବେ।
ଅଧିକପଢ଼ନ୍ତୁ:ଝାରସୁଗୁଡ଼ା ପୁଲିସ ପକ୍ଷରୁ ପୁଣି ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନକୁ ଗୁଳିମାଡ଼
କୋର୍ଟ ଶୁଣାଣି ସମୟରେ, କେନେଥ୍ ଲ’ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବାର ସମସ୍ତ ୧୪ ଟି ଅଭିଯୋଗ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ବିଷାକ୍ତ ପ୍ୟାକେଟ୍ ଗୁଡ଼ିକ ମାଧ୍ୟମରେ ସେ ଅଣ୍ଟାରିଓରେ ୧୬ ରୁ ୩୬ ବର୍ଷ ବୟସର ୧୪ ଜଣଙ୍କୁ ହତ୍ୟା କରିଥିଲେ। ତଦନ୍ତକାରୀ ସଂସ୍ଥାଗୁଡ଼ିକର ସରକାରୀ ତଥ୍ୟ ଅନୁଯାୟୀ, କେନେଥ୍ ତାଙ୍କର ବିପଦପୂର୍ଣ୍ଣ ଆତ୍ମହତ୍ୟା କିଟ୍ ୪୦ ରୁ ଅଧିକ ଦେଶରେ ପହଞ୍ଚାଇଥିଲେ। ସେ କାନାଡା, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର, ଇଟାଲୀ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ଅନ୍ୟ ଦେଶଗୁଡ଼ିକୁ ମୋଟ ୧,୨୦୯ ଘାତକ ପ୍ୟାକେଟ୍ ପଠାଇଥିଲେ। ଏହି ବିଷାକ୍ତ ପ୍ୟାକେଟ୍ ବ୍ୟବହାର କରି ବିଶ୍ୱର ଶତାଧିକ ଲୋକ ସେମାନଙ୍କର ମୂଲ୍ୟବାନ ଜୀବନ ହରାଇଥିଲେ। ବ୍ରିଟେନର ଜାତୀୟ ଅପରାଧ ସଂସ୍ଥା ଦ୍ୱାରା କରାଯାଇଥିବା ଏକ ତଦନ୍ତରୁ ଏହି ଘାତକ ପ୍ୟାକେଟ୍ ବିଷୟରେ ସବୁଠାରୁ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ତଦନ୍ତରୁ ଜଣାପଡିଛି ଯେ କେନେଥ୍ଙ୍କ ଦ୍ୱାରା ପଠାଯାଇଥିବା ଏହି ବିଷାକ୍ତ ପ୍ୟାକେଟ୍ ଗୁଡ଼ିକୁ ବ୍ରିଟେନରେ ମୋଟ ୨୮୬ ଜଣ ଲୋକ ପାଇଥିଲେ। ଏମାନଙ୍କ ମଧ୍ୟରୁ ୧୧୨ ଜଣଙ୍କର ଏହି ବିପଜ୍ଜନକ ରାସାୟନିକ ପଦାର୍ଥ ବ୍ୟବହାର କରିବା ପରେ ମୃତ୍ୟୁ ହୋଇଥିଲା।
ବ୍ରିଟେନରେ ପୀଡିତଙ୍କ ପରିବାର ସାର୍ବଜନୀନ ତଦନ୍ତ ଦାବି କରିଛନ୍ତି
କେନେଥ୍ ବୃତ୍ତିରେ ଜଣେ ଇଞ୍ଜିନିୟର ଏବଂ ପୂର୍ବରୁ ଏକ ହୋଟେଲରେ ରୋଷେୟା ଭାବରେ କାର୍ଯ୍ୟ କରୁଥିଲେ। ସେ ଅନେକ ୱେବସାଇଟ୍ ପରିଚାଳନା କରୁଥିଲେ ଯାହା ମାଧ୍ୟମରେ ସେ ମିଥ୍ୟା ଭାବରେ ହଟ୍ ସସ୍ ଏବଂ ଅନ୍ୟାନ୍ୟ ଖାଦ୍ୟ ଉତ୍ପାଦ ବିକ୍ରି କରିବା ଦାବି କରୁଥିଲେ। ଏହି ସରଳ ଖାଦ୍ୟ ବ୍ୟବସାୟର ଆଳ ଦେଖାଇ ସେ ସାରା ବିଶ୍ୱରେ ଘାତକ ରାସାୟନିକ ପଦାର୍ଥ ବିକ୍ରି କରୁଥିଲେ। ଏହି ପ୍ୟାକେଟ୍ ଗୁଡ଼ିକରେ ଆତ୍ମହତ୍ୟା ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ମଧ୍ୟ ଥିଲା। ଏହି ମାମଲା ଅନଲାଇନ୍ ପ୍ଲାଟଫର୍ମରେ ଆତ୍ମହତ୍ୟା ପ୍ରୋତ୍ସାହନ କାର୍ଯ୍ୟକଳାପ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି । ବ୍ରିଟେନରେ ପୀଡିତଙ୍କ ପରିବାର ଏବେ ଏହି ଘଟଣାର ସମ୍ପୂର୍ଣ୍ଣ ସାର୍ବଜନୀନ ତଦନ୍ତ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ

