ଓଡିଶା

canal restoration: କେନାଲ୍‌ ପୁନରୁଦ୍ଧାରକୁ ନେଇ ପୁଲିସ-ଗ୍ରାମବାସୀ ଖଣ୍ଡଯୁଦ୍ଧ: ଅପରେସନ୍‌ କ୍ଲିନ୍‌ରେ ୧୦ ଆହତ, ୬୭ ଗିରଫ

କେନାଲ ଖୋଳାକୁ ନେଇ ଆଜି ବ୍ରହ୍ମଗିରି ବ୍ଲକ୍‌ କୁସୁବେଣ୍ଟି ପଞ୍ଚାୟତ ହରିଦାସ ଗାଁରେ ପୁଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ତଯୁଦ୍ଧ ହୋଇଛି। ପାଣି ଭିତରେ ପୁଲିସ ଓ ମହିଳାଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାରେ ଉଭୟ ପକ୍ଷରୁ ୧୦ଜଣ ଆହତ ହୋଇଛନ୍ତି।

ବ୍ରହ୍ମଗିରି: କେନାଲ ଖୋଳାକୁ ନେଇ ଆଜି ବ୍ରହ୍ମଗିରି ବ୍ଲକ୍‌ କୁସୁବେଣ୍ଟି ପଞ୍ଚାୟତ ହରିଦାସ ଗାଁରେ ପୁଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ତଯୁଦ୍ଧ ହୋଇଛି। ପାଣି ଭିତରେ ପୁଲିସ ଓ ମହିଳାଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାରେ ଉଭୟ ପକ୍ଷରୁ ୧୦ଜଣ ଆହତ ହୋଇଛନ୍ତି। ପୁଲିସ ୬୭ଜଣଙ୍କୁ ଗିରଫ କରିଛି। ଖବର ଅନୁସାରେ, କୁସୁବେଣ୍ଟି ଗାଁଠାରୁ ହରିଦାସ ଗାଁ ଦେଇ ଜାଡ଼ିନାଳ ଚିଲିକାରେ ମିଶିଛି। ୨୦୨୩ ମସିହାରେ ଏହି ନାଳର ପୁନରୁଦ୍ଧାର ପାଇଁ ସରକାର ୭କୋଟି ଟଙ୍କା ମଞ୍ଜୁର କରିଥିଲେ। ଏବେ ଏହି ନାଳର ପୁନରୁଦ୍ଧାର କାମ ଆରମ୍ଭ ହୋଇଛି। ହରିଦାସ ଗାଁ ପାଖ ନାଳରେ ଏକ ମାଟିବନ୍ଧ ରହିଛି। ଏହି ନାଳରେ ହୋଇଥିବା ମାଟିବନ୍ଧକୁ ଉଚ୍ଛେଦ କରି ଆଗକୁ ଖୋଳିଲେ ହରିଦାସ ଗାଁ ଲୋକେ ଧାନ ଚାଷ କରି ପାରିବେ ନାହିଁ। ଗାଁର ଅନେକ କ୍ଷତି ହେବ ବୋଲି ଅଭିଯୋଗ କରି ସେମାନେ କେନାଲ ଖୋଳାକୁ ବିରୋଧ କରି ଆସୁଥିଲେ। ଅନ୍ୟପକ୍ଷରେ ନାଳ ଖୋଳା ନ ହେବାରୁ ଉପର ମୁଣ୍ତରେ ଥିବା କୁସୁବେଣ୍ଟି ଗାଁ ଜଳମଗ୍ନ ହେଉଥିବା ନେଇ ପ୍ରଶାସନ ପାଖରେ ଅଭିଯୋଗ ହୋଇ ଆସୁଥିଲା। ଏହି ବିବାଦ ପ୍ରଶାସନ ପାଖରେ ପହ‌ଞ୍ଚିବା ପରେ ଉଭୟ ଗାଁକୁ ନେଇ ପ୍ରଶାସନ ବାରମ୍ବାର ବୈଠକ କରିଥିଲେ। କିନ୍ତୁ ଏଥିରୁ କୌଣସି ସୁଫଳ ମିଳି ନ ଥିଲା।

ଗତକାଲି ପ୍ରଶାସନ ବିବାଦୀୟ ସ୍ଥାନରେ ବିଏନ୍‌ଏସ୍‌ ୧୬୩ ଧାରା ଜାରି କରି ନାଲି ପତାକା ପୋତି ଆସିଥିଲା। ଆଜି ସକାଳୁ ଉପଜିଲ୍ଲାପାଳ ରାଜକିଶୋର ଜେନାଙ୍କ ନେତୃତ୍ବରେ ଅତିରିକ୍ତ ଏସ୍‌ପି ସୁଶୀଲ ମିଶ୍ର ଏବଂ ୧୦ ପ୍ଲାଟୁନ୍‌ ପୁଲିସ ଫୋର୍ସ, ୮ଜଣ ଡିଏସ୍‌ପି, ଏସ୍‌ଡିପିଓ, ୪ ଜଣ ମାଜିଷ୍ଟ୍ରେଟ୍‌, ଫୋର୍ସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ, ୧୨ଜଣ ଇନ୍ସପେକ୍ଟର, ୫୦ଜଣ ଅଧିକାରୀ ଘଟଣାସ୍ଥଳରେ ପହ‌ଞ୍ଚିଥିଲେ।  ଡ୍ରୋନ୍‌ କ୍ୟାମେରା ସହିତ ସ୍ଥଳ ଭାଗରେ ୩ଟି କ୍ୟାମେରା ଲଗାଇ ପ୍ରଶାସନ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଥିଲା। ସକାଳ ସାଢ଼େ ଦଶଟା ବେଳେ ଆରମ୍ଭ ହୋଇଥିଲା ଅପରେସନ କ୍ଲିନ୍‌। ଅନ୍ୟପକ୍ଷରେ ଖବର ପାଇ ହରିଦାସ ଗାଁର ଶତାଧିକ ମହିଳା ବିବାଦୀୟ କେନାଲ ବନ୍ଧ ଉପରେ ବସି ରହିଥିବା ବେଳେ ସେ ସ୍ଥାନକୁ ଯିବା ରାସ୍ତାରେ ଶତାଧିକ ପୁରୁଷ ବସି ରହି ନାରାବାଜି କରିଥିଲେ। ରାସ୍ତା ଉପରେ ବସିଥିବା ଲୋକଙ୍କୁ ଫୋର୍ସ ଉଠାଇବା ଆରମ୍ଭ କରିବା ପରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ଅବରୋଧ କରିଥିବା ମହିଳା ପାଣି ଭିତରକୁ ପଶିଯିବାରୁ ପୁଲିସ ମଧ୍ୟ ପାଣି ଭିତରେ ପଶିଥିଲା। ପାଣି ଭିତରେ ଧସ୍ତାଧସ୍ତି ସାଙ୍ଗକୁ ମାରପିଟ୍‌ ଆରମ୍ଭ ହୋଇ ଯାଇଥିଲା। ଏହି ଗଣ୍ଡଗୋଳ ଭିତରେ ବନ୍ଧ କାଟି ଆଗକୁ ଭଲ୍‌ବୋ ଜେସିବି ବଢ଼ିଥିଲା। ତଥାପି ଉତ୍ତେଜନା କମି ନ ଥିଲା। ରାସ୍ତା ଉପରେ ଜୋର୍‌ଦାର ପ୍ରତିବାଦ ଚାଲିଥିଲା। ପୁଲିସ ୬୭ଜଣଙ୍କୁ ଗିରଫ କରି ବ୍ରହ୍ମଗିରି ଥାନାକୁ ଆଣିଛି।

ଧସ୍ତାଧସ୍ତିରେ ହରିଦାସ ଗାଁର ବିଦୁଲତା ସାହୁଙ୍କ ସହିତ ୫ଜଣ ଆହତ ହୋଇଥିଲେ। ଅନ୍ୟପଟେ ପୁଲିସ କାଦୁଅ ଲଟପଟ ହୋଇ ଯାଇଥିଲା। ପାଣି ଭିତରେ ଧସ୍ତାଧସ୍ତିରେ ୩ଜଣ ମହିଳା ପୁଲିସ ଆହତ ହୋଇଥିଲେ। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏବେ ବି ଘଟଣାସ୍ଥଳରେ ଦୁଇ ପ୍ଲାଟୁନ‌୍ ପୁଲିସ ଫୋର୍ସ ମୁତୟନ ରହିଛନ୍ତି। ଉପଜିଲ୍ଲାପାଳ ରାଜକିଶୋର ଜେନା କହିଛନ୍ତି, ହରିଦାସ ଗାଁ ଦେଇ ଚିଲିକାକୁ ଜାଡ଼ିନାଳ ଯାଇଛି। ଏହି ନାଳକୁ ହରିଦାସ ଗାଁ ଲୋକେ ଅବରୋଧ କରି ରଖିଛନ୍ତି। ନାଳଟି ସରକାରୀ ଜାଗା ଉପରେ ରହିଛି। ବାରମ୍ବାର ବୈଠକ ହୋଇଛି। ଯଦି କୌଣସି ଆପତ୍ତି ରହିଛି ତେବେ ନିୟମ ଅନୁଯାୟୀ ଜଣାଇବାକୁ କୁହାଯାଇଥିଲା। ଗତକାଲିଠାରୁ ବିବାଦୀୟ ସ୍ଥାନରେ ୧୬୩ ବିଏନ୍‌ଏସ୍‌ ଧାରା ଲାଗୁ କରାଯାଇଥିଲା। ଏହାକୁ ନ ମାନି ଲୋକେ ଅବରୋଧ କରି ବସି ରହିଥିଲେ। ତେଣୁ ପ୍ରଶାସନ ବାଧ୍ୟ ହୋଇ ୫୨ ପୁରୁଷ ଓ ୧୫ଜଣ ମହିଳାଙ୍କୁ ଗିରଫ କରିଛି। ନାଳ ଅବରୋଧ ହଟାଯାଇ କେନାଲ୍‌ର ପୁନରୁଦ୍ଧାର କାମ ଆଗକୁ ବଢ଼ିଥିବା ସେ କହିଛନ୍ତି। ଅତିରିକ୍ତ ଏସ୍‌ପି ସୁଶୀଲ ମିଶ୍ର କହିଛନ୍ତି, ସରକାରୀ କାମରେ ବାଧା ଦେବା ସହିତ ପୁଲିସକୁ ଆକ୍ରମଣ କରାଯାଇଛି। ପୁଲିସ ପ୍ରଶାସନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସେ କହିଛନ୍ତି।

ଅନ୍ୟପଟେ ହରିଦାସ ଗାଁର ଅନେକ ମହିଳା କହିଛନ୍ତି, ପୁଲିସ ସେମାନଙ୍କୁ ମାଡ଼ ମାରି ଜବରଦସ୍ତ ଟେକି ନେଇଛି। ଅଶାଳୀନ ବ୍ୟବହାର କରିଥିବା ମହିଳାମାନେ ଅଭିଯୋଗ କରିଥିବା କହିଛନ୍ତି। ସଂଧ୍ୟାରେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା ଆହତମାନଙ୍କୁ ଡାକ୍ତରଖାନାରେ ଭେଟିଥିବା ବେଳେ ଘଟଣା ସମ୍ପର୍କରେ ବ୍ରହ୍ମଗିରି ଥାନାରେ ପହ‌ଞ୍ଚି ପୁଲିସ ସହିତ ଆଲୋଚନା କରିଥିବା ଜଣାପଡ଼ିଛି। ସଂଧ୍ୟା ୭ଟା ସୁଦ୍ଧା ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।

 

ସୌଜନ୍ୟ ସମ୍ବାଦ

 

Related Articles

Leave a Reply

Your email address will not be published. Required fields are marked *

Back to top button