Breaking News

କନ୍ଧମାଳ ଜିଲାରେ ବ୍ୟାରେଜ ନିର୍ମାଣ କରାଗଲେ ବୃଦ୍ଧି ପାଇବ ଭୂପୃଷ୍ଠ ଜଳସ୍ତର, କୃଷି ପାଇଁ ଜଳସେଚନ ଓ ପାନୀୟ ଜଳ ଯୋଗାଣ ହୋଇପାରିବ

କନ୍ଧମାଳ ଜିଲାରେ ଜଳପ୍ରକଳ୍ପ ପାଇଁ ମିଳିତ ନାଗରିକ କମିଟି ପକ୍ଷରୁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଦାବୀପତ୍ର ପ୍ରଦାନ 

0

ଫୁଲବାଣୀ : କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଥିବାରୁ ମିଳିତ ନାଗରିକ କମିଟି ପକ୍ଷରୁ ଜିଲାରେ ଜଳ ସମସ୍ୟା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୫୦୦ମିଟର ଉଚ୍ଚତାରେ ଥିବା୭୪% ଅନୁସୂଚିତ ଜାତି ଓ ଜନଜାତି ବହୁଳ କନ୍ଧମାଳ ଜିଲାରେ ଖରାଦିନେ ପାନୀୟ ଜଳ ସମସ୍ୟା ଉତ୍କଟ ଆକାର ଧାରଣ କରୁଥିବା ମନ୍ତ୍ରୀଙ୍କୁ ଅବଗତ କରାଯାଇଛି।

ଫୁଲବାଣୀ ପୌର ପରିଷଦ ଦେଇ ବହି ଯାଊଥିବା ପିଲାସାଲକି ନଦୀର ପିଅନପଡା ଠାରେ ଏବଂ ଫୁଲବାଣୀ ସାହିଠାରେ ଦୁଇଟି ବ୍ୟାରେଜ ନିର୍ମାଣ ସହ ବଡସାଲୁଙ୍କି ନଦୀରେ କେରେଡି, ବିଶିପଡା, ତୁଡିପାଜୁ ଓ ପର୍ଯ୍ୟଟନ ସ୍ଥଳ ପୁତୁଡି ଠାରେ ପ୍ରାଥମିକ ପର୍ଯ୍ୟାୟରେ ବ୍ୟାରେଜ ନିର୍ମାଣ କରାଗଲେ ଭୂପୃଷ୍ଠ ଜଳସ୍ତର ବୃଦ୍ଧି ପାଇବ, କୃଷି ପାଇଁ ଜଳସେଚନ ଓ ପାନୀୟ ଜଳ ଯୋଗାଣ ହୋଇପାରିବ ବୋଲି ଲିଖିତ ଭାବେ ଦିଆଯାଇଛି। ଏହି ଦୁଇଟି ନଦୀରେ ୬ଟି ପ୍ରକଳ୍ପ ପାଇଁ ପ୍ରାୟ ୨୫-୩୦କୋଟି ବ୍ୟୟ ହେବ। ଏହା ବ୍ୟତୀତ ଜିଲାର ଆଠ ଦଶଟି ଜଳପ୍ରପାତ ସ୍ଥାନରେ ବା ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାରେଜ ପାଇଁ ଜଳସମ୍ପଦ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି।

ଜିଲାର ଅନ୍ୟ ୧୧ଗୋଟି ବ୍ଲକରେ ଥିବା ଛୋଟ ଛୋଟ ନଦୀରେ ତିନି ଚାରୋଟି ଲେଖାଏଁ ଆଡିବନ୍ଧ ବା ବ୍ୟାରେଜ ନିର୍ମାଣ କଲେ କନ୍ଧମାଳ ଜିଲାରେ ଜଳ ସମସ୍ୟା ଦୁର ହେବା ସହ ନଦୀ ଉପକଣ୍ଠରେ ଥିବା ଜମିକୁ ଜଳସେଚନ କରି ଚାଷୀମାନେ ଲାଭବାନ ହେବା ସହ ପାନୀୟ ଜଳ ସମସ୍ୟା ଦୁର ହୋଇପାରିବ।

କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ନଦୀରେ ବ୍ରିଜ ନଥିବା ହେତୁ ଲୋକମାନେ ଗଛରେ ତାର ବାନ୍ଧି ବିପଦସଂଙ୍କୁଳ ଅବସ୍ଥାରେ ନଦୀ ପାରି ହେଉଥିବାର ଦୟନୀୟ ଚିତ୍ର କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ବର୍ଷା ଦିନେ ଚର୍ଚ୍ଚାର ବିଷୟ ହେଉଥିବାରୁ ଉକ୍ତ ସ୍ଥାନ ଚିହ୍ନଟ କରି ବ୍ୟାରେଜ ଓ ବ୍ରିଜ ଉଭୟ ଅଗ୍ରାଧିକାର ଭିତିରେ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ନାଗରିକ କମିଟିର ଆବାହକ ଅଶୋକ ପରିଡା କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଭି ସୁବ୍ରମନ୍ୟୁମ, ମନୋଜ ଚୌଧୁରୀ, ଉମେଶ ପାତ୍ର, ଅରୁଣ ପଣ୍ଡା, ରମେଶ ମହାନ୍ତି, ଜଗନ୍ନାଥ ସାହୁ ,ଅନ୍ରଯ୍ୟାମୀ ସୁବୁଦ୍ଧି, ସୁଧିର ମହାରଣା, ସ୍ୱରୁପାନନ୍ଦ ପଟନାୟକ ପ୍ରମୁଖ ମନ୍ତ୍ରୀଙ୍କ ସହ ଆଲୋଚନାରେ ଉପସ୍ଥିତ ଥିଲେ। ଏହା ତାଙ୍କ ନିଜ ବିଭାଗ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଷ୍ଟି ଦେବାକୁ କହିଥିଲେ।

Leave A Reply

Your email address will not be published.