ଓଡିଶାବିଶେଷ

Cervical cancer: ଭୟଙ୍କର ରୂପ ନେଉଛି ଜରାୟୁ କର୍କଟ: ବାଜିରେ ଲାଗିଛି ଲକ୍ଷ ଲକ୍ଷ ମହିଳାଙ୍କ ଜୀବନ

କର୍କଟ ସାରା ବିଶ୍ବରେ ନିଜ କଳେବର ବଢ଼ାଇ ଚାଲିଛି। ବିଶ୍ବସ୍ତରରେ ଜରାୟୁ କର୍କଟର ସ୍ଥିତି ଉଦ୍‌ବେଗଜନକ। ସାରା ବିଶ୍ବରେ ସ୍ତନ କର୍କଟ, ଖାଦ୍ୟନଳୀ କର୍କଟ, ଫୁସ୍‌ଫୁସ୍‌ କର୍କଟ ପରେ ଜରାୟୁ କର୍କଟ ଚତୁର୍ଥ ସ୍ଥାନରେ ରହିଛି।

ସସ୍ମିତା ସାହୁ
ଭୁବନେଶ୍ବର: କର୍କଟ ସାରା ବିଶ୍ବରେ ନିଜ କଳେବର ବଢ଼ାଇ ଚାଲିଛି। ବିଶ୍ବସ୍ତରରେ ଜରାୟୁ କର୍କଟର ସ୍ଥିତି ଉଦ୍‌ବେଗଜନକ। ସାରା ବିଶ୍ବରେ ସ୍ତନ କର୍କଟ, ଖାଦ୍ୟନଳୀ କର୍କଟ, ଫୁସ୍‌ଫୁସ୍‌ କର୍କଟ ପରେ ଜରାୟୁ କର୍କଟ ଚତୁର୍ଥ ସ୍ଥାନରେ ରହିଛି। ଉଦ୍‌ବେଗଜନକ ତଥ୍ୟଟି ହେଉଛି, ଭାରତର ସ୍ଥିତି ଏହା ଠାରୁ ଆହୁରି ଗମ୍ଭୀର। ମହିଳାଙ୍କ ମଧ୍ୟରେ ଦେଖାଯାଉଥିବା କର୍କଟ ମଧ୍ୟରେ ସ୍ତନ କର୍କଟ ପ୍ରଥମରେ ରହିଥିବା ବେଳେ ଦ୍ବିତୀୟ ଅତି ସାଧାରଣ କର୍କଟ ହେଉଛି ଜରାୟୁ କର୍କଟ। ପାଶ୍ଚାତ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ ଅଧିକ ଜରାୟୁ କର୍କଟ ଦେଖାଯାଉଥିବା ବେଳେ ଏହାର ଟିକା ଉପଲବ୍ଧ ଥାଇ ସୁଦ୍ଧା ଏହାକୁ ବାଧ୍ୟତାମୂଳକ ଓ ନିଶୁକ୍ଳ କରିବାରେ ବିଫଳ ହୋଇଛନ୍ତି କେନ୍ଦ୍ର ସରକାର। କୌଣସି ସରକାରୀ ଡାକ୍ତରଖାନାରେ ଏ ଯାଏଁ ଏହି ଟିକା ଉପଲବ୍ଧ ହୋଇ ପାରିନାହିଁ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି କେରଳ ଭଳି ରାଜ୍ୟ ଏହି କର୍କଟ ସହ ଲଢ଼ିବାକୁ ଏଚ୍‌ପିଭି ଟିକାକୁ ନିଶୁଳ୍କ କରି ପାରିଛନ୍ତି, ତେବେ ଓଡ଼ିଶାରେ ଏହା ହୋଇପାରୁନାହିଁ କାହିଁକି?

ହ୍ୟୁମାନ୍‌ ପାପିଲୋମା ଭୂତାଣୁ ଯୋଗୁଁ ଜରାୟୁ କର୍କଟ ହେଉଥିବା ବେଳେ ଭାରତରେ ବାଲ୍ୟ ବା ଶୀଘ୍ର ବିବାହ ଭଳି ସାମାଜିକ ଚଳଣି, ଅସୁରକ୍ଷିତ ଯୌନ ସମ୍ପର୍କ, ପୁରୁଷପ୍ରଧାନ ସାମାଜିକ ବ୍ୟବସ୍ଥା, ଏକାଧିକ ସାଥୀଙ୍କ ସହ ଯୌନସମ୍ବନ୍ଧ, ବଂଶଗତ ଓ ସର୍ବୋପରି ସଚେତନତା ଅଭାବରୁ ଦିନକୁ ଦିନ ଜରାୟୁ କର୍କଟ ଭୟଙ୍କର ରୂପ ନେଉଛି। ଏଥିପାଇଁ ଅନେକ ମହିଳା ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ସଚେତନତା ଓ ଟିକାକରଣରେ ବିଫଳତା ଯୋଗୁଁ ବର୍ଷକୁ ଲକ୍ଷ ଲକ୍ଷ ମହିଳାଙ୍କ ଜୀବନ ମୃତ୍ୟୁମୁଖକୁ ଠେଲି ହୋଇଯାଉଛି। ଭାରତରେ ବଢ଼ୁଥିବା ଜରାୟୁ କର୍କଟର ଭୟାବହତାକୁ ନଜରରେ ରଖି ୨୦୨୪ ମସିହାରେ ୯ରୁ ୧୪ ବର୍ଷର ନାବାଳିକାଙ୍କୁ ଜରାୟୁ କର୍କଟ ନିରୋଧୀ ଟିକା ‘ଏଚ୍‌ପିଭି’ ଦିଆଯିବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ଏହି ଘୋଷଣାକୁ ୨ ବର୍ଷରୁ ଅଧିକ ସମୟ‌ ହୋଇଯାଇଥିଲେ ମଧ୍ୟ ଏହି ଟିକା ଏ ଯାବତ୍‌ ନିଶୁକ୍ଳ ବା ରିହାତି ଦରରେ ସରକାରୀ ଡାକ୍ତରଖାନାରେ ଉପଲବ୍ଧ କରାଯାଇନାହିଁ।

ସରକାରୀ ଡାକ୍ତରଖାନାରେ ମିଳୁନି ଟିକା
‘ଜାତୀୟ ଟିକାକରଣ କାର୍ଯ୍ୟକ୍ରମ’ରେ ସାମିଲ ହେଲାନି ଏଚ୍‌ପିଭି ଟିକା

ମହିଳାଙ୍କ ଜୀବନ ନେବାରେ ଜରାୟୁ କର୍କଟ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୨୨-୨୩ ବର୍ଷର ତଥ୍ୟ ଅନୁଯାୟୀ, ସେହି ବର୍ଷ ଦେଶରେ ୧ ଲକ୍ଷ ୨୭ ହଜାରରୁ ଅଧିକ ଜରାୟୁ କର୍କଟ ରୋଗୀ ଚିହ୍ନଟ ହୋଇଥିବା ବେଳେ ୭୯୯୦୬ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଯାହାକି ବିଶ୍ବସ୍ତରର ଜରାୟୁ କର୍କଟ ମୃତ୍ୟୁର ଏକ-ଚତୁର୍ଥାଂଶ ଅଟେ। ଏହି ତଥ୍ୟ କହୁଛି, ଜରାୟୁ କର୍କଟକୁ ନେଇ ଦେଶ ତଥା ରାଜ୍ୟର ସ୍ଥିତି କେ‌ତେ ସଙ୍ଗିନ।
ଗୋଷ୍ଠୀସ୍ତରରେ କେତେସଂଖ୍ୟକ ମହିଳାଙ୍କଠାରେ ଏଚ୍‌ପିଭି ରହିଛି, ତାହା ଜାଣିବା ଲାଗି ୨୦୨୨ ମସିହା ଆଡ଼କୁ କଟକ-ଭୁବନେଶ୍ବରରେ ତୃତୀୟ ପକ୍ଷ ଦ୍ବାରା ସର୍ଭେ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ୫ ହଜାର ମହିଳାଙ୍କୁ ଏଥିରେ ସାମିଲ ପାଇଁ ଲକ୍ଷ୍ୟ ରହିଥିଲା। ସର୍ଭେ ଅନୁସାରେ, କଟକରେ ୧୨% ମହିଳାଙ୍କଠାରେ ଏଚ୍‌ପିଭି ଚିହ୍ନଟ ହୋଇଥିଲା। ଚିହ୍ନଟ ୨ ଶହ ଜଣ ମହିଳାଙ୍କଠାରେ ଏଚ୍‌ପିଭି ଚିହ୍ନଟ ହୋଇଥିବା ବେଳେ ତହିଁରୁ କେବଳ ୯ ଜଣ ଜରାୟୁ କର୍କଟରେ ଆକ୍ରାନ୍ତ ହୋଇଥିଲେ। ମାତ୍ର ଭୁବନେଶ୍ବରରେ ଏହି ସର୍ଭେ ବିଫଳ ହୋଇଥିଲା। ଏଚ୍‌ପିଭି ମୁଖ୍ୟତଃ ଯୌନ ସଂପର୍କରୁ ସୃଷ୍ଟି ହେଉଥିବାରୁ ଏହାର ପରୀକ୍ଷା ପାଇଁ ରାଜଧାନୀରେ ମହିଳାମାନେ ରାଜି ହୋଇ ନ ଥିଲେ। ଫଳରେ ସମ୍ପୂର୍ଣ୍ଣ ସର୍ଭେ ବିଫଳ ହୋଇଯାଇଥିଲା।

ଅପରପକ୍ଷେ ୪ ବର୍ଷ ତଳେ ରାଜ୍ୟ ସରକାର ୧୦ଟି ଆକାଂକ୍ଷୀ ଜିଲ୍ଲାରେ ଏଚ୍‌ପିଭି ଟିକା ପ୍ରଦାନ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏଥିରେ ନୂଆପଡ଼ା, ରାୟଗଡ଼ାନବରଙ୍ଗପୁରକନ୍ଧମାଳମାଲକାନଗିରିବଲାଙ୍ଗୀରଢେଙ୍କାନାଳ, କୋରାପୁଟ, ଗଜପତି ଓ କଳାହାଣ୍ଡିଜିଲ୍ଲା ଥିବା ବେଳେ ୯-୧୪ ବର୍ଷର ବାଳିକାଙ୍କୁ ଏହି ଟିକା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଯେହେତୁ କେନ୍ଦ୍ର ସରକାର ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଏଚ୍‌ପିଭି ଟିକାକରଣ କରିବା ଲାଗି ଲକ୍ଷ୍ୟ ରହିଛନ୍ତି, ତେଣୁ ରାଜ୍ୟ ସରକାର କେବଳ ଏହାକୁ କାର୍ଯ୍ୟକାରୀ କରିବେ ବୋଲି ନିଷ୍ପତ୍ତି ହେଲା। ଏଚ୍‌ପିଭି ଟିକା ପ୍ରସ୍ତୁତ କରୁଥିବା ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଟିକା ପ୍ରସ୍ତୁତି କରିବ ବୋଲି ଆଲୋଚନା ବି ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ହସ୍ତଗତ ହୋଇନାହିଁ।

ଟିକା ଦ୍ବାରା ହିଁ ଜରାୟୁ କର୍କଟର ମୂଳୋତ୍ପାଟନ ହୋଇପାରିବ ଏ ସଂପର୍କରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ସସ୍ମିତା ବେହୁରିଆ କହିଛନ୍ତି, ଭାରତୀୟ ସାମାଜିକ ବ୍ୟବସ୍ଥା ଯୋଗୁଁ ତଥା ସଚେତନତା ଅଭାବରୁ ରାଜ୍ୟରେ, ଦେଶରେ ଜରାୟୁ କର୍କଟ ସଙ୍ଗିନ ସ୍ଥିତିରେ ରହିଛି। ତେବେ ଆଶ୍ବସ୍ତିର କଥା ହେଉଛି, ଏହି କର୍କଟ ସହ ଲଢ଼ିବାକୁ ଆମ ପାଖରେ ଫଳପ୍ରଦ ଏଚ୍‌ପିଭି ଟିକା ରହିଛି। ୯ରୁ ୧୪ ବର୍ଷ ବୟସ ମଧ୍ୟରେ ଏହି ଟିକା ଦେଲେ ଏହାର ୨ଟି ଡୋଜ୍‌ ଦେବାକୁ ପଡ଼ିଥାଏ। ଏହି ଟିକା ୪୫ ବର୍ଷ ବୟସ ପର୍ଯ୍ୟନ୍ତ ଦେଇହେବ। କିନ୍ତୁ ୧୫ ବର୍ଷ ବୟସରୁ ଅଧିକ ହୋଇଥିଲେ ୩ଟି ଡୋଜ୍‌ ଦେବାକୁ ହୁଏ। ତେବେ ଏହି ଏଚ୍‌ପିଭିି ଟିକାକୁ ‘ଜାତୀୟ ଟିକାକରଣ କାର୍ଯ୍ୟକ୍ରମ’ରେ ସାମିଲ କରାଇବା ଏବେ ସମୟର ଆହ୍ବାନ ପାଲଟିଛି ବୋଲି ଡାକ୍ତର ବେହୁରିଆ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button