Breaking News

ଶରଧାବାଲିରେ ପହଞ୍ଚିଲା ୩ ରଥ, ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ଭିଡ

ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ଆସନ୍ତାକାଲି ଜନ୍ମବେଦୀକୁ ଯିବେ ଶ୍ରୀଜିଉ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶରଧାବାଲିରେ ପହଞ୍ଚିଛି ତିନି ରଥ। ଅଧବାଟରେ ଅଟକିଥିବା ଉଭୟ ଦର୍ପଦଳନ ଓ ନନ୍ଦିଘୋଷ ରଥ ଆଜି ଶରଧାବାଲିରେ ପହଞ୍ଚିଛି । ତିନି ରଥରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶରଧାବାଲିରେ ରଥ ଉପରୁ ଏବେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ ।  ରଥରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ଗହଳି ଲାଗିଛି । ଭଜନ କୀର୍ତନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଘଣ୍ଟନାଦ ସାଙ୍ଗକୁ ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଡାକରେ ପ୍ରକମ୍ପିତ ହେଉଛି ପୂରା ପରିବେଶ । ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଆସନ୍ତାକାଲି ଜନ୍ମବେଦୀକୁ ଯିବେ ଶ୍ରୀଜିଉ । ଆସନ୍ତା କାଲି ମହାପ୍ରଭୁଙ୍କ ଆଡପ ବିଜେ। ଶୁକ୍ରବାର ବାହାରିବ ଆଡପ ଅବଢା।

ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଶରଧାବାଲିରେ ପହଞ୍ଚିଛନ୍ତି। ଗତକାଲି କେବଳ ବଡଭାଇ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଶରଧାବାଲିରେ ପହଞ୍ଚିଥିଲା । ତେବେ ବଡଶଙ୍ଖରେ ଦର୍ପଦଳନ ଓ ବଳଗଣ୍ଡି ଠାରେ ଅଟକି ରହିଥିଲା ନନ୍ଦିଘୋଷ ରଥ । ତେବେ ଆଜି ସକାଳୁ ସକାଳୁ ପୁଣିଥରେ ଭକ୍ତମାନେ ରଥ ଟାଣି ଶରଧାବାଲିରେ ପହଞ୍ଚାଇଥିଲେ । ରଥଟଣା ହେବା ପୂର୍ବରୁ ରଥ ଉପରେ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ହୋଇଥିଲା ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷକୁ ଭକ୍ତମାନେ ଶ୍ରଦ୍ଧାର ସହିତ ଶରଧାବାଲି ଆଡ଼କୁ ଟାଣି ନେଇଥିଲେ। ମଙ୍ଗଳବାର ଅପରାହ୍ନ ୪ଟା ୪୦ରେ ନନ୍ଦିଘୋଷ, ୩ଟା ୫୫ରେ ଦର୍ପଦଳନ ଏବଂ ୩ଟା ୪ ମିନିଟରେ ତାଳଧ୍ବଜ ଶରଧାବାଲି ଅଭିମୁଖେ ଗଡ଼ିଥିଲା। ଭକ୍ତମାନେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜକୁ ଟାଣିବା ଆରମ୍ଭ କରିଦେଇଥିଲେ। ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡ଼ିଥିଲା।

ଗତକାଲି ରଥଟଣା ଅସମାପ୍ତ ରହିଥିଲା। ସନ୍ଧ୍ୟା ପରେ ଅର୍ଥାତ୍ ରାତି ୮ଟା ଯାଏ ରଥଟଣାଯିବା ପରେ ବି ମହାପ୍ରଭୁଙ୍କ ନନ୍ଦିଘୋଷ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିପାରିନଥିଲେ। ବଳଗଣ୍ଡି ଛକ ମାଉସୀ ମା’ଙ୍କ ମନ୍ଦିର ଆଗରେ ନନ୍ଦିଘୋଷ ଓ ବଡ଼ଶଙ୍ଖ ନିକଟରେ ଦର୍ପଦଳନ ରଥ ଅଟକିଥିଲେ। ତେବେ ବଡ଼ଠାକୁରଙ୍କ ତାଳଧ୍ବଜ ରଥ ଶରଧାବାଲିରେ ପହଞ୍ଚିଥିଲା।

ବର୍ଷା ଅଭାବ ଯୋଗୁଁ ରାଜ୍ୟରେ ଗ୍ରୀଷ୍ମ ଲହର ଜାରି ଥିବା ବେଳେ ପୁରୀବାସୀଙ୍କୁ ମଧ୍ୟ ଏହା ଅସହ୍ୟ ହୋଇପଡ଼ିଛି। ପୁରୀରେ ପ୍ରବଳ ଖରାକୁ ଗୁଳୁଗୁଳିକୁ ଖାତିର ନକରି ଭକ୍ତମାନେ ରଥଯାତ୍ରାରେ ସାମିଲ ହୋଇଥିଲେ। ଭଗବାନଙ୍କ ପାଖରେ ଭକ୍ତି ଥିବାରୁ ଭକ୍ତମାନଙ୍କୁ ଖରାର ‌ପ୍ରକୋପ ପ୍ରଭାବିତ କରିପାରି ନାହିଁ। ଏହା ପୂର୍ବରୁ ରଥଉପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡ଼ିକା ଧରି ଛେରାପହଁରା କରିବା ପରେ ଚାରମାଳ ଫିଟା ଯାଇଥିଲା। ଘୋଡ଼ା ଓ ସାରଥି ‌ଲଗାଯାଇଥିଲା।

Comments are closed.