
ଜ୍ଞାନବ୍ରତ ଭୋଇ
ଝାରସୁଗୁଡ଼ା: ରାସ୍ତା ପାଇଁ ଓଡ଼ିଶାର ରୟତ ପ୍ରଜାଙ୍କଠାରୁ ଦାନ ସୂତ୍ରରେ ଜମି ନେଲେ। ପ୍ରଥମେ ମାଟିରାସ୍ତା, ପରେ ମୋରମ୍ ଏବଂ ତା’ପରେ ବିଭିନ୍ନ ପର୍ଯ୍ୟାୟରେ ପିଚୁ ଢାଳିଲେ। ଆଉ ଝାରସୁଗୁଡ଼ା ପ୍ରଶାସନର ନିରବତାର ସୁଯୋଗ ନେଇ ଏହାରି ଭିତରେ ଓଡ଼ିଶାର ୩ କିମି ସୀମା ପର୍ଯ୍ୟନ୍ତ ରାସ୍ତାକୁ ଏକପ୍ରକାର ଅକ୍ତିଆର କରିରଖିଛି ଛତିଶଗଡ଼। ଖାଲି ସେତିକି ନୁହେଁ, ଓଡ଼ିଶା ସୀମାର ୩ କିମି ଭିତରେ ମାଇଲଖୁଣ୍ଟ ପୋତି ସମଗ୍ର ଅଞ୍ଚଳକୁ ନିଜର ବୋଲି ଦର୍ଶାଇ ଚାଲିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୭ ବର୍ଷ ତଳେ ଏହି ରାସ୍ତାର ଓଡ଼ିଶା ସୀମା ଭିତରୁ ଜଣେ ଚାଷୀଙ୍କ ଧାନକୁ ଛତିଶଗଡ଼ ପୁଲିସ ଟ୍ରାକ୍ଟର ସହ ଜବତ କରିବା ଘଟଣା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଥିଲା। ତଥାପି ଏହି ସୀମା ବିବାଦର ସମାଧାନ ଦିଗରେ ଏଯାବତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯାହାକୁ ନେଇ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଚେଇଁ ଶୋଇଛି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ
ଲଖନପୁର ବ୍ଲକ୍ ଅଞ୍ଚଳରୁ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ସୀମାକୁ ଯିବା ପାଇଁ ଏକାଧିକ ସଂଯୋଗ ରାସ୍ତା ରହିଛି। ଏଥିରୁ ଅନେକ ଅଞ୍ଚଳରେ ଉଭୟ ରାଜ୍ୟ ମଧ୍ୟରେ ଦଶନ୍ଧି ଦଶନ୍ଧି ଧରି ସୀମା ବିବାଦ ଲାଗିରହିଛି। ବିଶେଷ କରି ଓଡ଼ିଶାର ସୀମାନ୍ତ କନକତୋରାରୁ ଛତିଶଗଡ଼ର ରାୟଗଡ଼ ସହରକୁ ସଂଯୋଗ କରୁଥିବା ଏକତାଲ ରାସ୍ତାକୁ ନେଇ ବିବାଦ ଅଧିକ ଘନେଇବାରେ ଲାଗିଛି। କାରଣ, ଏହି ରାସ୍ତାର ପ୍ରାୟ ୩ କିମି ଅଞ୍ଚଳକୁ ପାଖାପାଖି ୩ ଦଶନ୍ଧି ହେଲା ଛତିଶଗଡ଼ ସରକାର ବେଆଇନ ଭାବେ ନିଜର ଦର୍ଶାଇ ଅଧିକାର ସାବ୍ୟସ୍ତ କରିଆସୁଛି। କନକତୋରା ଜାତୀୟ ରାଜପଥ କଡ଼ରେ ଥିବା କାଳୀମନ୍ଦିରରୁ ରାୟଗଡ଼ ଜିଲ୍ଲାର ଏକତାଲ ଗାଁକୁ ୩ ଦଶନ୍ଧି ପୂର୍ବରୁ କୌଣସି ନିର୍ଦ୍ଦିଷ୍ଟ ରାସ୍ତା ନଥିଲା। କନକତୋରାର ନାଏକପଡ଼ା ଦେଇ କେବଳ ଏକ ପାଦଚଲା ରାସ୍ତା ଥିଲା।
୧୯୯୨-୯୩ରେ ଏକତାଲ ପଞ୍ଚାୟତବାସୀ କନକତୋରା ଗାଁକୁ ଆସି ରାସ୍ତା ନିର୍ମାଣ ସକାଶେ ଜମିଦାନ କରିବାକୁ ଅନୁରୋଧ କରିଥିଲେ। କାଳୀମନ୍ଦିର ଛକରୁ ଏକତାଲ ଗାଁକୁ ସଂଯୋଗ କରିବା ସକାଶେ ପ୍ରାୟ ୩ କିମି ଲମ୍ବ ଓଡ଼ିଶାର ରାସ୍ତା ପାଇଁ କନକତୋରା ଗାଁର ୪୦ରୁ ଅଧିକ ଚାଷୀ ବିନା ମୂଲ୍ୟରେ ଜମିଦାନ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଜମି ରୟତ ପ୍ରଜାଙ୍କ ନାମରେ ରେକର୍ଡଭୁକ୍ତ ହୋଇରହିଛି। ଜମି ମିଳିବା ପରେ ଏକତାଲ ପଞ୍ଚାୟତବାସୀଙ୍କ ସହିତ କନକତୋରାର ଅଞ୍ଚଳବାସୀ ମଧ୍ୟ ମାଟି ରାସ୍ତା ନିର୍ମାଣରେ ସହଯୋଗର ହାତ ବଢ଼ାଇଥିଲେ। ପରବର୍ତ୍ତୀ ସମୟରେ ଉଦ୍ଦିଷ୍ଟ ଜମିରେ ରାୟଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋରମ ରାସ୍ତା ତିଆରି ହେଲା। ଆଉ ପ୍ରାୟ ଦେଢ଼ ଦଶନ୍ଧି ହେବ ସେଥିରେ ୨ଟି ପର୍ଯ୍ୟାୟରେ ପିଚୁ ବି ଢଳେଇ ହୋଇସାରିଛି। ହେଲେ ଓଡ଼ିଶା ସୀମାରେ ଥିବା ୩ କିମି ଅଂଶକୁ ଆଜି ସୁଦ୍ଧା ଓଡ଼ିଶା ସରକାରଙ୍କ ପକ୍ଷରୁ ମାଟି ମୁଠାଏ କିମ୍ବା ପିଚୁ ଟିକିଏ ପକାଯାଇନାହିଁ। ଫଳରେ ଛତିଶଗଡ଼ ସରକାର ଏହି ରାସ୍ତାକୁ ନିଜ କବ୍ଜାକୁ ନେଲା ଭଳି ଆଚରଣ ପ୍ରଦର୍ଶନ କରିଆସୁଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଏହି ରାସ୍ତାକୁ ବିଧିବଦ୍ଧ ଭାବେ ନିଜ ଦଖଲରେ ରଖିବା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଜମି ହରାଇଥିବା ଦିଲୀପ ସାହୁ କହିଛନ୍ତି। ଏ ସଂପର୍କରେ ଲଖନପୁର ତହସିଲଦାର ପ୍ରସନ୍ନ ପଟେଲଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ ୨୦୧୯ ଘଟଣା ପରେ ଆଉ ସେଭଳି କୌଣସି ପରିସ୍ଥିତି ଉପୁଜିନାହିଁ। ତଥାପି ଦୁଇଦିନ ମଧ୍ୟରେ ଘଟଣାସ୍ଥଳ ପରିଦର୍ଶନ କରି ଉପଯୁକ୍ତ ପଦକ୍ଷେପ ନିଆଯିବ।
ସୌଜନ୍ୟ ସମ୍ବାଦ




