ଦେଶ ବିଦେଶ

Chief justice: ଅବସର ପୂର୍ବରୁ ‘ଛକା’: ନ୍ୟା‌ୟିକ ଦୁର୍ନୀତି ନେଇ ବଡ଼ ବୟାନ ରଖିଲେ ପ୍ରଧାନ ବିଚାରପତି

ନ୍ୟାୟିକ ଦୁର୍ନୀତିକୁ ସ୍ବୀକାର କରିଛନ୍ତି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ। ଗୁରୁବାର ସେ କହିଛନ୍ତି ଯେ ବିଚାରପତିମାନେ ଅବସର ପୂର୍ବରୁ ଅତିରିକ୍ତ ଲାଭ ପାଇଁ ଆଦେଶ ଜାରି କରିବାର ଧାରା ବଢୁଛି।

ନୂଆଦିଲ୍ଲୀ: ନ୍ୟାୟିକ ଦୁର୍ନୀତିକୁ ସ୍ବୀକାର କରିଛନ୍ତି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ। ଗୁରୁବାର ସେ କହିଛନ୍ତି ଯେ ବିଚାରପତିମାନେ ଅବସର ପୂର୍ବରୁ ଅତିରିକ୍ତ ଲାଭ ପାଇଁ ଆଦେଶ ଜାରି କରିବାର ଧାରା ବଢୁଛି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଜଷ୍ଟିସ୍ ଜୟମାଲ୍ୟ ବାଗ୍‌ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅବସର ପୂର୍ବରୁ ବିଚାରପତିମାନେ ଛକା ମାରିବାକୁ ଚେଷ୍ଟା କରୁଥିବାର ଧାରା ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇଛନ୍ତି। ଅବସର ନେବାର ୧୦ ଦିନ ପୂର୍ବରୁ ତାଙ୍କ ନିଲମ୍ବନକୁ ଚ୍ୟାଲେଞ୍ଜ କରି ମଧ୍ୟପ୍ରଦେଶର ଜଣେ ପ୍ରମୁଖ ଜିଲ୍ଲା ଜଜ୍ ଦାଖଲ କରିଥିବା ଆବେଦନର ଶୁଣାଣି କରିଥିଲେ ସୁପ୍ରିମ୍‌କୋର୍ଟ।

ଖଣ୍ଡପୀଠ କହିଥିଲେ, ଜିଲ୍ଲା ଜଜ୍ ମୂଳତଃ ନଭେମ୍ବର ୩୦ରେ ଅବସର ନେବାର ଥିଲା। କିନ୍ତୁ ଦୁଇଟି ନ୍ୟାୟିକ ଆଦେଶ ଉପରେ ନଭେମ୍ବର ୧୯ରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ନଭେମ୍ବର ୩୦ ତାରିଖରେ ସେ ଅବସର ନେବାକୁ ଯାଉଥିବା ବେଳେ ରାଜ୍ୟ ସରକାର କର୍ମଚାରୀଙ୍କ ଅବସର ବୟସକୁ ୬୨ ବର୍ଷକୁ ବୃଦ୍ଧି କରିଥିଲେ। ନଭେମ୍ବର ୨୦ ତାରିଖରେ ସୁପ୍ରିମ୍‌କୋର୍ଟ ମଧ୍ୟପ୍ରଦେଶ ସରକାରଙ୍କୁ ତାଙ୍କ ଅବସର ସମୟକୁ ଏକ ବର୍ଷ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ କହିଛନ୍ତି, ଯେତେବେଳେ ସେ ଏହି ଦୁଇଟି ଆଦେଶ ଜାରି କଲେ, ସେତେବେଳେ ନ୍ୟାୟିକ ଅଧିକାରୀ ଜାଣି ନ ଥିଲେ ଯେ ତାଙ୍କ ଅବସର ବୟସ ଏକ ବର୍ଷ ବୃଦ୍ଧି କରାଯାଇଛି।  ତାଙ୍କ ନିଲମ୍ବନକୁ ଚ୍ୟାଲେଞ୍ଜ କରିବାକୁ ଜିଲ୍ଲା ଜଜ୍ କାହିଁକି ହାଇକୋର୍ଟ ଯାଇନାହାନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

ଚାକିରି ସରିବା ପୂର୍ବରୁ 
ଫାଇଦା ପାଇଁ ଆଦେଶ ଜାରି ହେଉଛି

ଅଧିକାରୀ ଅନୁଭବ କରିଛନ୍ତି ଯେ ନିରପେକ୍ଷ ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବା ଭଲ ହେବ। ବିଚାରପତିଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ବିପିନ ସାଙ୍ଗୀ ଅଧିକାରୀଙ୍କ ପ୍ରଭାବଶାଳୀ କ୍ୟାରିୟର ବିଷୟରେ କୋର୍ଟଙ୍କୁ ଅବଗତ କରାଇବା ସହ ତାଙ୍କ ବାର୍ଷିକ ଗୋପନୀୟ ରିପୋର୍ଟରେ ବହୁତ ଭଲ ରେଟିଂ ମିଳିଛି ବୋଲି କହିଛନ୍ତି। ନ୍ୟାୟିକ ଆଦେଶ ପାଇଁ ଜଣେ ଅଧିକାରୀଙ୍କୁ କିପରି ନିଲମ୍ବିତ କରାଯାଇପାରିବ ବୋଲି ସାଙ୍ଗୀ ପ୍ରଶ୍ନ କରିଛନ୍ତି। ଏହାର ଜବାବରେ ଖଣ୍ଡପୀଠ କହିଛନ୍ତି, ତ୍ରୁଟିପୂର୍ଣ୍ଣ ଆଦେଶ ଦେଇଥିବାରୁ ଜଣେ ନ୍ୟାୟିକ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇପାରିବ ନାହିଁ। ଏଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇପାରିବ ନାହିଁ। କିନ୍ତୁ ଯଦି ଆଦେଶ ସ୍ପଷ୍ଟ ଭାବରେ ଅସାଧୁ ଅଟେ ତା’ହେଲେ କ’ଣ ହେବ? ହାଇକୋର୍ଟଙ୍କ ଦ୍ୱାରା ପୂର୍ଣ୍ଣ ଅଦାଲତର ନିଷ୍ପତ୍ତିକୁ ଖାରଜ କରିବାର ଅନେକ ନଜିର ରହିଛି ବୋଲି ଦର୍ଶାଇ ସୁପ୍ରିମ୍‌କୋର୍ଟ ଏହି ଆବେଦନକୁ ଗ୍ରହଣ କରିବାକୁ ମନା କରିବା ସହ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button