ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୬ତମ ପାଳି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସକାଳେ ଭୁବନେଶ୍ବର ୟୁନିଟ୍-୨ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରିମଣ୍ଡଳର ୭ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ସବୁଥର ପରି ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରକୋଷ୍ଠ ବାହାରେ ଅପେକ୍ଷା କରିଥିବା ୩୦ ଜଣ ଦିବ୍ୟାଙ୍ଗ ଓ ଦୁରାରୋଗ୍ୟ ପୀଡ଼ିତଙ୍କ ସମସ୍ୟା ଶୁଣିଥିଲେ। ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରକୋଷ୍ଠ ଭିତରେ ପଞ୍ଜୀକୃତ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିଥିଲେ। ଜଟିଳ ରୋଗରେ ପୀଡ଼ିତ କେନ୍ଦୁଝର ଜିଲ୍ଲାର ପପୁନ ମହାରଣା, ଖୋର୍ଦ୍ଧା ଜିଲ୍ଲାର ପ୍ରିୟବ୍ରତ ପ୍ରଧାନ ଓ କଟକ ଜିଲ୍ଲାର ଦୀପ୍ତିମୟୀ ଦାଶଙ୍କ ପାଇଁ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ମୁଖ୍ୟମନ୍ତ୍ରୀ ଚିକିତ୍ସା ସହାୟତା ରାଶି ମଞ୍ଜୁର କରିଛନ୍ତି ।

