ଭୁବନେଶ୍ବର:
ଚାଷୀଙ୍କୁ ଅବହେଳା, ମଣ୍ଡିରେ ଅବ୍ୟବସ୍ଥା, କଟ୍ନିଛଟ୍ନିକୁ ପ୍ରତିବାଦ କରି ବିରୋଧୀ ବିଜେଡି ଓ କଂଗ୍ରେସ ଦୁଇ ଦିନ ହେଲା ବିଧାନସଭାରେ ହଟ୍ଟଗୋଳ କରୁଛନ୍ତି। ସରକାରଙ୍କ ଅପାରଗତାକୁ ଦାୟୀ କରି ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି। ଏପରିକି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବିରୋଧୀ ଭାଗ ନେଇ ନ ଥିଲେ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରିବାବେଳେ ବିରୋଧୀ ଦଳର ବିଧାୟକମାନେ ଜୋରଦାର ହଟ୍ଟଗୋଳ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତା ଓ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଆଉ ରାଜ୍ୟରେ ଧାନକିଣାରେ ଯେଉଁ ଅବ୍ୟବସ୍ଥା ହେଉଛି ସେଥିପାଇଁ ବିଜେଡିର ୨୪ ବର୍ଷର ସରକାରକୁ ଦାୟୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ, ମୋତେ ଖବର ମିଳିଛି ଯେ ଏବେବି ଅନେକ ସ୍ଥାନରେ ୨୪ ବର୍ଷର ସରକାରଙ୍କ ଇକୋ-ସିଷ୍ଟମ୍ ସକ୍ରିୟ ଅଛି। ସେମାନେ ହିଁ ଧାନକିଣାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ସେମାନଙ୍କୁ କହିବି ଯେ ସୁଧୁରି ଯାଅ, ଅନ୍ୟଥା ଅନ୍ନଦାତାଙ୍କୁ ହଇରାଣ କଲେ ଫଳ ଭୋଗିବ। ଏହାକୁ ପରାମର୍ଶ କିମ୍ବା ଚେତାବନୀ, ଯାହା ଚାହିବେ ତାହା ମନେ କରି ସତର୍କ ହୋଇଯାଆନ୍ତୁ। ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଆମ ସରକାର ଆକ୍ସନ୍ ମୋଡ୍ରେ ଅଛନ୍ତି।
ଏହାସହ ସେ କହିଛନ୍ତି ଯେ ବିଜେଡି ସରକାର ଧାନ କ୍ବିଣ୍ଟାଲ୍ ୨୯୦୦ ଟଙ୍କା କରିବାକୁ ଦାବି କରୁଥିଲା, ଆମେ ତ ୩୧୦୦ ଟଙ୍କା ଦେଉଛୁ। ତୁମେ ୧୦୦ ଟଙ୍କା ବୋନସ୍ ଦେବ କହି ୫ ବର୍ଷରେ ଦେଇ ପାରିନଥିଲ, ଆମେ ୨୪ ମିନିଟରେ ୮୦୦ ଟଙ୍କା ଦେଲୁ। ମଣ୍ଡି ଅବ୍ୟବସ୍ଥା କଥା କହୁଛ, ୨୪ ବର୍ଷରେ କେତେଟା ମଡେଲ୍ ମଣ୍ଡି ତିଆରି କରିଛ? ଧାନ ସଂରକ୍ଷଣ ପାଇଁ ଆବଶ୍ୟକ ଗୋଦାମ କଲନି ବୋଲି ଆଜି ସମସ୍ୟା ହେଉଛି। ଯେଉଁ ଭିତ୍ତିଭୂମି ତୁମେ କରିପାରିନଥିଲ ତାକୁ ଆମେ କରୁଛୁ। ଯାହା ରାତିରାତି ହୋଇପାରିବା କଥା ତାହା କରି ଚାଷୀଙ୍କୁ ଧାନ କ୍ବିଣ୍ଟାଲ୍ ଉପରେ ୮୦୦ ଟଙ୍କା ଦେଲୁ, ଭିତ୍ତିଭୂମି ବଢ଼ାଇବାକୁ ସମୟ ଲାଗିବ। ସରକାର ଚାଷୀଙ୍କ ସ୍ବାର୍ଥରେ କାମ କରୁଛି। ସବୁ ଯୋଗ୍ୟ ଚାଷୀଙ୍କଠାରୁ କ୍ବିଣ୍ଟାଲ୍ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ବିରୋଧୀ ଦଳର ସଦସ୍ୟମାନେ ବିଧାନସଭାରେ ଆଲୋଚନାରେ ଭାଗ ନ ନେଇ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଗଣତାନ୍ତ୍ରିକ ପରମ୍ପରାରେ ବିରୋଧୀ ଦଳର ପ୍ରଶ୍ନ ପଚାରିବାର ଅଧିକାର ଅଛି। ଯାହାଦ୍ବାରା ଆଗାମୀ ଦିନରେ ଲୋକଙ୍କ ସମସ୍ୟା ସମାଧାନ ହୋଇପାରିବ। ମୁଁ ପଳାୟନପନ୍ଥୀ ନୁହେଁ। ବିରୋଧୀ ଦଳ ଯାହା ପ୍ରଶ୍ନ ପଚାରିବେ, ମୁଁ ତାର ଉତ୍ତର ଦେବି। ଏ କଥା ଓଡ଼ିଶାର ଜନସାଧାରଣ ତଥା ଗଣମାଧ୍ୟମ ବି ଜାଣିଛନ୍ତି। ମୁଁ ସେଇ ରାଜନେତା ନୁହେଁ, ଯିଏ କେବଳ ନିଜ ଘର କିମ୍ବା ସଚିବାଳୟର ପାହାଚରେ ଧାଡ଼ିକିଆ ଉତ୍ତର ଦିଏ। ଓଡ଼ିଶାବାସୀ ଦେଖିଛନ୍ତି ରାଜ୍ୟସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମୁଁ ଏକ ଖୋଲା ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲି। କିନ୍ତୁ, ଓଡିଶା ବିଧାନସଭାରେ ଏକ ବିଚିତ୍ର ପରିସ୍ଥିତି। ସାଧାରଣଭାବେ ବିରୋଧୀଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହୋଇ ନ ପାରି ଶାସକ ଦଳ ସୁଯୋଗ ଖୋଜନ୍ତି, କିପରି ଗୃହ ନ ଚାଲିବ। କିନ୍ତୁ, ଏଠି ତ ପରିସ୍ଥିତି ଓଲଟା। ସରକାର ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ। କିନ୍ତୁ ବିରୋଧୀ ଛତ୍ରଭଙ୍ଗ ଦେଉଛନ୍ତି। କଂଗ୍ରେସ ଯେତେବେଳେ କକ୍ଷତ୍ୟାଗ କରୁଛି, ବିରୋଧୀ ବିଜେଡି ସେତେବେଳେ କକ୍ଷତ୍ୟାଗ କରୁଛି। ଏହା ବଡ଼ ଆଶ୍ଚର୍ଯ୍ୟ କଥା। ମୀନ ଯେପରି ଜଳରୁ ବାହାରି ଛଟପଟ ହୁଏ, ଏମାନେ ସେପରି ହେଉଛନ୍ତି। ଧୈର୍ଯ୍ୟ ନାହିଁ। ବିରୋଧୀ ଦଳକୁ ମୋର ଅନୁରୋଧ, ଆପଣମାନେ ସମାଲୋଚନା କରନ୍ତୁ, ପ୍ରସ୍ତାବ ଦିଅନ୍ତୁ। ସରକାର ଆପଣଙ୍କ କଥା ଶୁଣିବେ।
ବିଧାନସଭାକୁ ହଟ୍ଟଗୋଳ କରି ବନ୍ଦ କରିଦେଲେ, ସାଧାରଣଲୋକଙ୍କଠାରୁ ମୁଖ୍ୟ ବିରୋଧୀଦଳର ମାନ୍ୟତା ମିଳିଯିବ ନାହିଁ। ମୋତେ ଖବର ଆସିଥିଲା ଯେ ବିରୋଧୀ ଦଳର କିଛି ବରିଷ୍ଠ ନେତା ରାଜ୍ୟପାଳଙ୍କ ଅଭିଭାଷଣ ଆଲୋଚନାରେ ଭାଗ ନେବାକୁ ନିଜ ନିଜ ଦଳପତିଙ୍କୁ ନିଜ ମନର ଭାବ ଜଣାଇଥିଲେ। ତାଙ୍କ ପରାମର୍ଶ ଶୁଣିଥିଲେ, ହୁଏତ ଜନତାଙ୍କ ଆଖିରେ ଆପଣଙ୍କ ଏପରି ଦାୟିତ୍ବହୀନତାର ଭାବ ଦେଖାଯାଇ ନଥାନ୍ତା। ଯାହା ହେଉ, ଆପଣ ଏପରି ପନ୍ଥା ବାଛିଛନ୍ତି। ଜନତା ଜନାର୍ଦ୍ଦନ ଆପଣଙ୍କ ଆଚାର, ଉଚ୍ଚାରଣକୁ ବିଚାରକୁ ନେଇ ମତାମତ ଦେବେ। ଏହା କହି ମୁଖ୍ୟମନ୍ତ୍ରୀ ବିରୋଧୀ ବିଜେଡି ଓ କଂଗ୍ରେସ ନେତାଙ୍କୁ ଉସୁକାଇ ଦେଇଥିଲେ। ଏହା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ରାଜ୍ୟପାଳଙ୍କ ଅଭିଭାଷଣକୁ ଚିରି ଗୃହରେ ଉଡ଼ାଇ ଦେଇଥିଲେ। ଆଉ ଗୃହରେ ପ୍ରତିବାଦ କରୁଥିବା ବିଜେଡି ଓ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ବର୍ଜନ କରି ଗୃହ ବାହାରକୁ ପଳାଇଥିଲେ।
ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ବିଧାୟକଙ୍କୁ ଆହୁରି ସମାଲୋଚନା କରି କହିଥିଲେ, ବିରୋଧୀ ଦଳ ବିଧାୟକମାନେ ସାଧାରଣ ଲୋକଙ୍କ କଥା ନଉଠାଇ ଗୃହ ଛାଡ଼ିକି ପଳାଇବା ଚିନ୍ତାଜନକ। କେବଳ ରାଜନୈତିକ ଛକାପଞ୍ଝାରେ ଏଠାରେ ହୋହଲ୍ଲା କରୁଛନ୍ତି। ସେମାନଙ୍କର କେବଳ ଗୋଟିଏ ମିସନ୍-ଭୋଟ ବ୍ୟାଙ୍କ ତିଆରି କରିବା। ଯେଉଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭୋଟରମାନେ ତାଙ୍କୁ ଭୋଟ ଦେଇ ନିର୍ବାଚିତ କଲେ, ସେଥିରୁ ସେମାନେ ଦୂରେଇ ଯାଉଛନ୍ତି। ବିକାଶ ନ କରି, ୨୪ ବର୍ଷ ଧରି ସେମାନେ ଏକଛତ୍ରବାଦ ଶାସନ ଚଳାଇଥିଲେ। ଏହା ପରେ ସେ କହିଥିଲେ, ୨୪ ବର୍ଷର ବିଜେଡି ସରକାର ଓଡ଼ିଶାକୁ ଆଗକୁ ନେବାକୁ ଚିନ୍ତା କରୁନଥିଲା। କିନ୍ତୁ ଆମର ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଏକ ପରିକଳ୍ପନା ନୁହେଁ, କରଣୀୟ। ୟେସ୍ ୱି କ୍ୟାନ୍। ବାର୍ଷିକ ୯.୫% ହାରରେ ଅଭିବୃଦ୍ଧି ହାସଲ କରି ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଓ ୨୦୪୭ ସୁଦ୍ଧା ୧୫୦୦ ବିଲିଅନ୍ର ଅର୍ଥନୀତି କରିବୁ। ବାର୍ଷିକ ମୁଣ୍ଡପିଛା ଆୟ ୩୨ ଲକ୍ଷ ଟଙ୍କା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଅଭିଭାଷଣକୁ ଭବିଷ୍ୟମୁଖୀ, ଦୂରଦୃଷ୍ଟିସମ୍ପନ୍ନ ବୋଲି ବର୍ଣ୍ଣନା କରିବା ସହ ଆଗାମୀ ଦିନରେ କିପରି ବିକଶିତ ଓଡ଼ିଶା ଗଠନ ପାଇଁ ସବୁ ପ୍ରତିଶ୍ରୁତି ପୂରଣ ହେବ ସେ ନେଇ ସରକାର କାମ କରୁଛନ୍ତି ବୋଲି କହିଥିଲେ। ଶାସକ ଦଳ ପକ୍ଷରୁ ଟଙ୍କଧର ତ୍ରିପାଠୀ, ଅଶ୍ବିନୀ କୁମାର ଷଡ଼ଙ୍ଗୀ, ପ୍ରତାପଚନ୍ଦ୍ର ନାୟକ, ଇରାଶିଷ ଆଚାର୍ଯ୍ୟ, ଦୁର୍ଗାପ୍ରସନ୍ନ ନାୟକ ରଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ କରିଥିଲେ।
ସୌଜନ୍ୟ ସମ୍ବାଦ