ଦେଶ ବିଦେଶ

China: ଭାରତ ଉପରେ ଚାପ ବଢ଼ାଉଛି ଚୀନ୍

ଭାରତ-ଚୀନ୍‌ ସୀମାରେ ଏବେ ସବୁକିଛି ଶାନ୍ତ ଓ ସ୍ବାଭାବିକ ଲାଗୁଥିଲେ ମଧ୍ୟ ଅସଲରେ ବାସ୍ତବ ସ୍ଥିତି ଭିନ୍ନ। ଯେ କୌଣସି ସମୟରେ ସୀମା ବିବାଦକୁ ନେଇ ବିସ୍ଫୋରକ ସ୍ଥିତି ଉପୁଜିପାରେ...

ନୂଆଦିଲ୍ଲୀ: ଭାରତ-ଚୀନ୍‌ ସୀମାରେ ଏବେ ସବୁକିଛି ଶାନ୍ତ ଓ ସ୍ବାଭାବିକ ଲାଗୁଥିଲେ ମଧ୍ୟ ଅସଲରେ ବାସ୍ତବ ସ୍ଥିତି ଭିନ୍ନ। ଯେ କୌଣସି ସମୟରେ  ସୀମା ବିବାଦକୁ ନେଇ ବିସ୍ଫୋରକ ସ୍ଥିତି ଉପୁଜିପାରେ ବୋଲି ଆମେରିକାର ସାମରିକ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।  ଅରୁଣାଚଳ ପ୍ରଦେଶକୁ ଚୀନ୍‌ ନିଜର ‘ପ୍ରମୁଖ ସ୍ବାର୍ଥ’ ଭାବେ ଉଲ୍ଲେଖ କରି ଭାରତ ପାଇଁ ବିପଦ ବଢ଼ାଇବାକୁ ଯାଉଛି ବୋଲି ନିକଟରେ ଆମେରିକା ସାମରିକ ଗୁଇନ୍ଦା ଶାଖାର ଏକ ରିପୋର୍ଟରେ ପ୍ରକାଶ ପାଇବା ପରେ ଏସିଆ ବ୍ୟାପାର କୂଟନୀତି ଓ ରଣନୀତି ବିଶେଷଜ୍ଞମାନେ ମଧ୍ୟ ସମାନ ମତ ରଖିଛନ୍ତି।   ଚୀନ୍ ଅରୁଣାଚଳକୁ ତାଇୱାନ୍ ଓ ଦକ୍ଷିଣ ଚୀନ୍‌ ସାଗର ଭଳି  ବିବେଚନା କରୁଛି ଏବଂ ଏହା ଚୀନ୍‌ର ୨୦୪୯ ସୁଦ୍ଧା ‘ଗ୍ରେଟ୍ ରିଜୁଭେନେସନ୍’ (ମହାନ ପୁନରୁତ୍‌ଥା‌ନ) ଯୋଜନାର ଅଂଶ ବୋଲି ଆମେରିକା ରିପୋର୍ଟରେ ଦାବି କରାଯାଇଛି।   ଭାରତ ମଧ୍ୟ ଅରୁଣାଚଳ ପ୍ରସଙ୍ଗରେ ସର୍ବଦା ନିଜ ଆଭିମୁଖ୍ୟ ସ୍ପଷ୍ଟ ରଖିଛି।  ଗୋଟିଏ ପଟେ ଚୀନ୍ ଏଲ୍‌ଏସିରେ ଭାରତ ସହ ଉତ୍ତେଜନା କମାଇ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ପାକିସ୍ତାନକୁ ଅସ୍ତ୍ର ଯୋଗାଇ ଭାରତ ଉପରେ ଚାପ ବଢ଼ାଉଛି। ଏହା ଚୀନ୍‌ର ଦୋମୁହାଁ ନୀତିର ଏକ ବଡ଼ ଉଦାହରଣ ହୋଇଥିବା ବେଳେ ଭାରତ ପର୍ଯ୍ୟାୟକ୍ରମେ ଚୀନ୍‌ ସୀମାରେ ସୁରକ୍ଷା ସ୍ଥିତିକୁ ଅତ୍ୟନ୍ତ ସୁଦୃଢ଼ କରିବାରେ ଲାଗିଛି।

ରିପୋର୍ଟରେ ଚୀନ୍ ପାକିସ୍ତାନକୁ ଜେ-୧୦ସି ଯୁଦ୍ଧବିମାନ ଓ ଅନ୍ୟ ଅସ୍ତ୍ର ଯୋଗାଇଥିବା ଜଣାପଡ଼ିଛି। ଚୀନ୍ ପାକିସ୍ତାନରେ ସୈନ୍ୟ ପରିବହନ ଘାଟି ଖୋଲିବା ଯୋଜନା କରୁଛି। ଏହା ଭାରତ-ଆମେରିକା ସମ୍ପର୍କକୁ ଦୁର୍ବଳ କରିବାକୁ ଚେଷ୍ଟା ବୋଲି ନିକଟରେ ଆମେରିକା ଏକ ରିପୋର୍ଟରେ କହିଛି। ଚୀନ୍ ଅରୁଣାଚଳର ତୱାଙ୍ଗ ଅଞ୍ଚଳକୁ ‘ଦକ୍ଷିଣ ତିବ୍ବତ’ ବୋଲି ଦାବି କରୁଛି ଏବଂ ଏହାକୁ ନିଜର ଅବିଚ୍ଛେଦ୍ୟ ଅଂଶ ବୋଲି ପ୍ରଚାର ଚଳାଇଛି। ଭାରତ ଏହାକୁ ଦୃଢ଼ତାର ସହ ଖଣ୍ଡନ କରିଛି ଏବଂ ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି କହିବ‌ା ସତ୍ତ୍ବେ ଚୀନ୍‌ ତା’ର ରଣନୀତିରେ କାଏମ ରହିବା ଏକ ଜଟିଳ ରଣନୀତିର ସଙ୍କେତ ଦେଉଛି।

ପେଣ୍ଟାଗନ ରିପୋର୍ଟରେ ଏଲ୍‌ଏସିରୁ ସେନା ପ୍ରତ୍ୟାହାର ପରେ ମଧ୍ୟ ଭାରତ-ଚୀନ୍ ମଧ୍ୟରେ ଅବିଶ୍ୱାସ ରହିଛି ବୋଲି ଉଲ୍ଲେଖ କରାଯାଇଛି। ଚୀନ୍ ପାକିସ୍ତାନ ସହ ସୈନ୍ୟ ସହଯୋଗ ବଢ଼ାଇ ଭାରତକୁ ଦୁଇ ପଟୁ ଚାପରେ ରଖିବାକୁ ଚେଷ୍ଟା କରୁଛି। ଏହା ଭାରତ ପାଇଁ ଗୁରୁତର ଚେତାବନୀ ଭାବେ ବିବେଚନା କରାଯାଉଛି । ଭାରତ ଅରୁଣାଚଳରେ ସୈନ୍ୟ ପରିଚାଳନା ଓ ଭିତ୍ତିଭୂମି ବ୍ୟବସ୍ଥା ବଢ଼ାଇ ସତର୍କ ରହିଛି।   ଚୀନ୍ ଏବେ ପେଣ୍ଟାଗନ ରିପୋର୍ଟକୁ ‘ଅଯଥାର୍ଥ ଓ  ଦାୟିତ୍ୱହୀନ’ ବୋଲି  କହି ଖଣ୍ଡନ କରିଥିଲେ ମଧ୍ୟ ଏହାର ବାସ୍ତବ ଆଭିମୁଖ୍ୟ ଏହାର କାର୍ଯ୍ୟରେ ପ୍ରତିଫଳିତ ହେଉଛି ବୋଲି  ସାମରିକ ବିଶେଷଜ୍ଞମାନେ କହିଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button