ଦେଶ ବିଦେଶ

China CCTV: ଭାରତରେ ଆଉ ବିକ୍ରି ହେବନି ଚୀନ ସିସିଟିଭି: ଏପ୍ରିଲ୍‌ରୁ ନି‌ଷିଦ୍ଧ, ଜାତୀୟ ସୁରକ୍ଷା ପ୍ରତି ବିପଦ ଆଶଙ୍କା

ନୂଆଦିଲ୍ଲୀ: ଚୀନ କମ୍ପାନିଗୁଡ଼ିକ ଭାରତରେ ଆଉ ନିଜର ସିସିଟିଭି ବିକ୍ରି କରିପାରିବେ ନାହିଁ। ସେମାନଙ୍କ ସିସିଟିଭିକୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି। ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ଚୀନର ପ୍ରମୁଖ ସିସିଟିଭି ନିର୍ମାତା ହିକଭିଜନ ଓ ଡାହୁଆ ଟେକ୍ନୋଲୋଜି ପ୍ରଭାବିତ ହେବେ। କିନ୍ତୁ ଏହି ନିଷ୍ପତ୍ତି ଘରୋଇ ସିସିଟିଭି ନିର୍ମାତାମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ।ଚୀନର କମ୍ପାନିଗୁଡ଼ିକ ଇଣ୍ଟରନେଟ୍‌ ସହ ସଂଯୋଗ ହେଉଥିବା ସିସିଟିଭି କ୍ୟାମେରା ଓ ସେହି ଧରଣର ଭିଡିଓ ନିରୀକ୍ଷଣ ଉତ୍ପାଦକୁ ଏପ୍ରିଲ୍‌ ୧ରୁ ଭାରତରେ ବିକ୍ରି କରିପାରିବେ ନାହିଁ। ସରକାର ଏକ ନୂଆ ସାର୍ଟିଫିକେସନ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଭାରତରେ ସିସିଟିଭି ବିକ୍ରି କରିବା ପୂର୍ବରୁ କମ୍ପାନିମାନଙ୍କୁ ପ୍ରଥମେ ସେହି ସାର୍ଟିଫିକେସନ ହାସଲ କରିବାକୁ ପଡ଼ିବ। ଭିଡିଓ ଜରିଆରେ ନିରୀକ୍ଷଣ ବା ନଜର ରଖିବା ଉତ୍ପାଦଗୁଡ଼ିକୁ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଭାବେ ବିଚାର କରାଯାଉଛି। କାରଣ ତାହା ଜରିଆରେ ବିମାନବନ୍ଦର, ସରକାରୀ କୋଠା ଓ ପରିବହନ ପେଣ୍ଠସ୍ଥଳଗୁଡ଼ିକର ଅନେକ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରାଯାଉଛି। ବିଦେଶରେ ନିର୍ମିତ ସିସିଟିଭି ଜରିଆରେ ତଥ୍ୟ ଚୋରି ଆଶଙ୍କା ରହିଛି।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ଏପ୍ରିଲ୍‌ରେ ସିସିଟିଭି କ୍ୟାମେରାକୁ ନେଇ ଜରୁରୀ ଆବଶ୍ୟକ ନିୟମ ଘୋଷଣା କରାଯାଇଥିଲା। ତାହାକୁ ପାଳନ କରିବା ପାଇଁ କମ୍ପାନିମାନଙ୍କୁ ଦୁଇ ବର୍ଷ ସମୟ ଦିଆଯାଇଥିଲା। ନୂଆ ନିୟମରେ ସିସିଟିଭି ନିର୍ମାତା ଓ ବିକ୍ରେତାମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଉପକରଣ କେଉଁଠାରୁ ସଂଗ୍ରହ କରାଯାଇଛି ତାହା ଜଣାଇବାକୁ ପଡ଼ିବ। ଡିଭାଇସ୍‌ ବଜାରରେ ବିକ୍ରି ହେବା ପୂର୍ବରୁ ତାହାକୁ ଏକ ସ୍ବୀକୃତିପ୍ରାପ୍ତ ଲ୍ୟାବ୍‌ରେ ପରୀକ୍ଷା କରାଯିବ। ଏହି ଫ୍ରେମ୍‌ୱର୍କ ଅଧୀନରେ ସରକାର ୫୦୭ ସିସିଟିଭି ମଡେଲ୍‌କୁ ସାର୍ଟିଫାଏ କରିଛନ୍ତି।

ଭାରତରେ ବର୍ଷକୁ ୭୫୦ କୋଟି ଡଲାରରୁ ଅଧିକ ମୂଲ୍ୟର ସିସିଟିଭି କ୍ୟାମେରା ବିକ୍ରି ହେଉଛି। ପୂର୍ବରୁ ବଜାରରେ ଚୀନ ବ୍ରାଣ୍ଡ୍‌ଗୁଡ଼ିକର ଆଧିପତ୍ୟ ଥିଲା। ମୋଟ୍‌ ବିକ୍ରିରେ ସେମାନଙ୍କ ଭାଗ ଏକ ତୃତୀୟାଂଶ ଥିଲା। କିନ୍ତୁ ଅଳ୍ପ ଦିନ ଭିତରେ ସିପି ପ୍ଲସ୍‌ କ୍ୟୁବୋ, ଫ୍ରାମା, ମ୍ୟାଟ୍ରିକ୍ସ ଓ ସ୍ପର୍ଶ ଭଳି ଘରୋଇ କମ୍ପାନି ସେମାନଙ୍କ ନେଟ୍‌ୱର୍କକୁ ଦ୍ରୁତ ଗତିରେ ବିସ୍ତାର କରି ବଜାରର ସିଂହ ଭାଗ ହାସଲ କରିବାରେ ସଫଳ ହୋଇଛନ୍ତି। ସେମାନେ ତାଇୱାନ୍‌ ଚିପ୍‌ସେଟ୍‌ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ସିସିଟିଭି ବଜାରର ୮୦ ଭାଗ ସ୍ଥାନୀୟ କମ୍ପାନିଙ୍କ କବ୍‌ଜାରେ ରହିଛି। ପ୍ରିମିୟମ ବର୍ଗରେ ବୋଶ ଓ ହନିୱେଲ ଭଳି ବିଦେଶୀ ବ୍ରାଣ୍ଡ୍‌ର ଆଧିପତ୍ୟ ରହିଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button