ଓଡିଶା

Poor village child: ‘ଗଁାର ଗରିବ ପିଲା ବି ବାବୁ ହୋଇପାରିବେ’: ୩୦ ଜିଲ୍ଲାର ୧୧୮ ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଖୋର୍ଦ୍ଧା ଜିଲ୍ଲା ବାଣପୁର ଜନ୍ମମାଟିରୁ ଆଜି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାଁରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ ହୋଇଛି। ବାଣପୁର ପଲଟଣ ପଡ଼ିଆରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ....

ଖୋର୍ଦ୍ଧା/ବାଣପୁର: ଖୋର୍ଦ୍ଧାଜିଲ୍ଲା ବାଣପୁର ଜନ୍ମମାଟିରୁ ଆଜି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାଁରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ ହୋଇଛି। ବାଣପୁର ପଲଟଣ ପଡ଼ିଆରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାଥମିକ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୧୧୮ଟି ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆଗାମୀ ଚାରି ବର୍ଷରେ ରାଜ୍ୟରେ ମୋଟ୍‌ ୨୨ ଶହ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେବାକୁ ଥିବା ବେଳେ ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୩୬ ସୁଦ୍ଧା ଓଡ଼ିଶା ହେବ ସମୃଦ୍ଧ ଓଡ଼ିଶା ଏବଂ ଏହି ପରିକଳ୍ପନାରେ ଆଜି ଶୁଭାରମ୍ଭ ହୋଇଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବ। ବିଦ୍ୟାର୍ଥୀମାନଙ୍କ ପାଠପଢ଼ାର ମୂଳଦୁଆକୁ ସଶକ୍ତ କରିବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ଏବଂ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ଏହା ଏକ ମାଇଲଖୁଣ୍ଟ। ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବାଣପୁର ମାଟିର ସୁଯୋଗ୍ୟ ସନ୍ତାନ ପଣ୍ଡିତ ଗୋଦାବରୀଶ ମିଶ୍ର ଏକାଧାରରେ ଥିଲେ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଲେଖକ ଓ ଶିକ୍ଷାବିତ୍। ତାଙ୍କ ନାମରେ ନାମିତ ଏହି ଆଦର୍ଶ ବିଦ୍ୟାଳୟ ଯୋଜନା ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର କାୟାକଳ୍ପ କରିବାରେ ସଫଳ ହେବ। ଏହି ଯୋଜନାରେ ପିଲାମାନଙ୍କୁ ଗୁଣାତ୍ମକ ମାନର ଶିକ୍ଷା ମିଳିବା ସହିତ ପ୍ରାଥମିକ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ ହେବ। ଏହି ଅବସରରେ ପୂର୍ବତନ ସରକାରଙ୍କୁ ସେ ଟାର୍ଗେଟ୍‌ କରିଥିଲେ। କହିଥିଲେ, ୫-ଟି ଯୋଜନାରେ ସ୍ମାର୍ଟ ସ୍କୁଲ୍‌ କରିବାକୁ ପୂର୍ବ ସରକାର ଅର୍ଥ ଅଜାଡ଼ି‌ ଦେଲେ। ଭଙ୍ଗା କାନ୍ଥରେ ଚୂନ ମାରି ଦଳୀୟ କର୍ମୀଙ୍କ ଜରିଆରେ ଟଙ୍କା ସ୍ବାହା କରିଦେଲେ। ହାଇସ୍କୁଲ୍‌ ଶିକ୍ଷାକୁ ସରକାର ଟା‌ର୍ଗେଟ୍‌ କଲେ, କିନ୍ତୁ ପ୍ରାଥମିକ ଶିକ୍ଷା ଚୁଲିକୁ ଯାଇଥିଲା।

ଶୁଭାରମ୍ଭ ହେଲା ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନା
୩୦ ଜିଲ୍ଲାର ୧୧୮ ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
୪ ବର୍ଷରେ ଖର୍ଚ୍ଚ ହେବ ୧୨ ହଜାର କୋଟି

ବାସ୍ତବତାକୁ ସରକାର ସ୍ବୀକାର କଲେ ନାହିଁ। ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ସେତେବେଳେ ମୁଁ ପୂର୍ବ ସରକାରଙ୍କୁ ପ୍ରସ୍ତାବ ଦେଇଥିଲି। କିନ୍ତୁ ପୂର୍ବ ସରକାର ଗୁରୁତ୍ବ ଦେଲେ ନାହିଁ। ଆମ ସରକାର ଆସିବା ପରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଏହି ଯୋଜନାକୁ ପ୍ରାଥମିକତା ଦିଆଯାଇଛି। ଏହି ଯୋଜନା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ବିକଶିତ କରାଯିବ। ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଶିକ୍ଷା ଦିଆଯିବ। ଏହାଦ୍ବାରା ଶିକ୍ଷାର ବାତାବରଣ ସୁଦୃଢ ହେବା ସହିତ ପିଲାମାନେ ସର୍ବୋତ୍ତମ ଏବଂ ଗୁଣାତ୍ମକ ଶିକ୍ଷା ପାଇପାରିବେ। ଆଜି ରାଜ୍ୟର ୩୦ଟି ଜିଲ୍ଲା ପାଇଁ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରହିବ ଏବଂ ରାଜ୍ୟର ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହି ଯୋଜନାର ଆଭିମୁଖ୍ୟ ଦେଖି ଅନେକ ରାଜ୍ୟ ଏହାକୁ ମଡେଲ୍‌ ଭାବେ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଏହି ଯୋଜନା ରାଜ୍ୟରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି କହିଥିଲେ। ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ, ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ନଦେଲେ ପରବର୍ତ୍ତୀ ଶିକ୍ଷା ଦୁର୍ବଳ ହେବ। ଏହାକୁ ଚିନ୍ତା କରି ମୁଖ୍ୟମନ୍ତ୍ରୀ ଏହି ଯୋଜନା ପରିକଳ୍ପନା କରିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ବାଗତ ଦେଇଥିଲେ। କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ, ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂ, ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ରୁତୁରାଜ ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଏନ୍‌ ତିରୁମାଲା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button