ଜଳବାୟୁ

Climate Change: ଜଳବାୟୁ ପରିବର୍ତ୍ତନ ଯୋଗୁ ବଦଳୁଛି ବାଘଙ୍କ ଆଚରଣ, ମଣିଷଙ୍କ ଉପରେ ବଢୁଛି ଆକ୍ରମଣ

ସିଏସ୍‌ଇ ଦ୍ବାରା ପ୍ରକାଶିତ ଭାରତର ପରିବେଶ ସ୍ଥିତି(ଏସ୍‌ଓଇ-୨୦୨୬) ରିପୋର୍ଟରେ ବାଘଙ୍କ ବଦଳୁଥିବା ଆଚରଣ ଉପରେ ଆଲୋଚନା କରାଯାଇଛି। ଜଳବାୟୁ ପରିବର୍ତ୍ତନ ମଧ୍ୟ ବାଘଙ୍କ ଆଚରଣକୁ ପରିବର୍ତ୍ତନ କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି।

ନୂଆଦିଲ୍ଲୀ:ସିଏସ୍‌ଇ ଦ୍ବାରା ପ୍ରକାଶିତ ଭାରତର ପରିବେଶ ସ୍ଥିତି(ଏସ୍‌ଓଇ-୨୦୨୬) ରିପୋର୍ଟରେ ବାଘଙ୍କ ବଦଳୁଥିବା ଆଚରଣ ଉପରେ ଆଲୋଚନା କରାଯାଇଛି। ଜଳବାୟୁ ପରିବର୍ତ୍ତନ ମଧ୍ୟବାଘଙ୍କ ଆଚରଣକୁ ପରିବର୍ତ୍ତନ କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି। ସେମାନଙ୍କ ବାସସ୍ଥାନରେ ପରିବେଶଗତ ପରିବର୍ତ୍ତନ, ଜଙ୍ଗଲ ନିକଟରେ ବିଭିନ୍ନ ଶବ୍ଦ ତଥା ଗାଡ଼ି ଚଳାଚଳ ଓ ଅବନତିଶୀଳ ପରିସ୍ଥିତି ଭାରତରେ ବାଘଙ୍କଠାରେ ଆଚରଣଗତ ପରିବର୍ତ୍ତନ ଆଣୁଛି। ସେମାନଙ୍କର ମାନସିକ ସ୍ଥିତି ବିଗିଡ଼ି ଯାଉଛି।

ବାଘଙ୍କ ଉପରେ ପଡୁଛି ପ୍ରତିକୂଳ ପ୍ରଭାବ

ରିପୋର୍ଟ ଅନୁଯାୟୀ, ବାଘମାନେ ବହୁତ କମ୍ ଅଭ୍ୟାସଗତ ମଣିଷଖିଆ ହୋଇଥାଆନ୍ତି। ବାଘ କେବଳ ବୃଦ୍ଧ କିମ୍ବା ଆହତ ହେଲେ ନିଜର ଶିକାର ଶକ୍ତି ଅଭାବରୁ ମଣିଷଙ୍କୁ ଆକ୍ରମଣ କରି ଖାଇବାକୁ ଚେଷ୍ଟା କରିଥାଏ। ରିପୋର୍ଟ ଅନୁଯାୟୀ ଦେଶରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଜଙ୍ଗଲର ପରିସୀମା କମି କମି ଯାଉଛି। ଜଙ୍ଗଲ ନିକଟରେ ମାନବ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଦେଶର ୨୦ଟି ବାଘବହୁଳ ରାଜ୍ୟରେ ବାଘ ରହୁଥିବା ଜଙ୍ଗଲ ପରିସରର ପ୍ରାୟ ୪୦ ପ୍ରତିଶତ ଅଞ୍ଚଳରେ ୬ କୋଟି ଲୋକ ବସବାସ କରୁଛନ୍ତି। ଫଳରେ ଜଙ୍ଗଲର ଶାନ୍ତି ଭଙ୍ଗ ହେଉଛି। ଏହା ଦ୍ବାରା ବାଘଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି।

ଜଳବାୟୁ ପରିବର୍ତ୍ତନ ଯୋଗୁଁ କରୁଛନ୍ତି ଆକ୍ରମଣ

ଯେତେବେଳେ ବାଘ ଗାଈଗୋରୁଙ୍କୁ ଖାଦ୍ୟ ପାଇଁ ଶିକାର କରିଥାଏ ସମ୍ପୃକ୍ତ ଗାଈଗୋରୁ ମାଲିକଙ୍କୁ ପ୍ରାୟତଃ ଯଥେଷ୍ଟ କ୍ଷତିପୂରଣ ମିଳିଥାଏ। ବାଘ ଦ୍ୱାରା ହେଉଥିବା ପଶୁଧନ କ୍ଷତି ଭରଣାକୁ ଏକ ସାଧାରଣ କାର୍ଯ୍ୟ ଭାବେ ଲୋକେ ଗ୍ରହଣ କରି ନେଇଥାନ୍ତି। ଫଳରେ ଏହି କ୍ଷତିପୂରଣ ବାଘକୁ ଗ୍ରାମ୍ୟ ଅର୍ଥନୀତିର ଏକ ଅବିଚ୍ଛେଦ୍ୟ ଅଂଶ କରିଥାଏ। ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଜାନୁଆରିରୁ ଜୁନ୍ ୨୦୨୫ ପର୍ଯ୍ୟନ୍ତ ସାରା ଭାରତରେ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳଗୁଡ଼ିକରେ ପ୍ରାୟ ୪୩ ଜଣଙ୍କର ମୃତ୍ୟୁହୋଇଥିଲା। ୨୦୨୪ ମସିହାରେ ସେହି ମାସଗୁଡ଼ିକରେ, ବାଘ ଆକ୍ରମଣରେ ୪୪ ଜଣଙ୍କ ଜୀବନ ଯାଇଥିଲା। ୨୦୨୫ ମସିହାରେ ହୋଇଥିବା ୪୩ ଆକ୍ରମଣ ମଧ୍ୟରୁ ଚାରିଟିରେ ବାଘ କେବଳ ଶରୀରର କିଛି ଅଂଶ ଉପରେ ଆକ୍ରମଣ କରିଥିଲା। ବାଘଙ୍କଠାରେ ପ୍ରକାଶ ପାଉଥିବା ମଣିଷ ଉପରେ ଆକ୍ରମଣର ଧାରା ପାଇଁ ଜଳବାୟୁ ପରିବର୍ତ୍ତନ ଏକ ପ୍ରମୁଖ କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button