ଖେଳ

CM Trophy: ସିଏମ୍‌ ଟ୍ରଫିରେ କବାଡ଼ି, ଖୋଖୋ, ଭଲିବଲ୍ ସାମିଲ: ୩୨,୦୦୦ ଖେଳାଳିଙ୍କୁ ଯୋଡ଼ିବା ଲକ୍ଷ୍ୟ

ଖେଳ ଓ ଖେଳାଳିଙ୍କ ପ୍ରତି ଆକର୍ଷଣ ବଢ଼ାଇ ତୃଣମୂଳ ସ୍ତରରୁ ଅଧିକରୁ ଅଧିକ ପ୍ରତିଭା ଚିହ୍ନଟ କରିବା। ସେଠାରୁ ସେମାନଙ୍କୁ ପଡ଼ିଆରେ ପହଞ୍ଚାଇବା ଏବଂ ପଡ଼ିଆରୁ ପୋଡିୟମ୍‌ରେ ଠିଆ ହେବାର ପ୍ରକ୍ରିୟା ଓ ପ୍ରଶିକ୍ଷଣରେ ସାମିଲ କରିବାର ବୈପ୍ଲବିକ ଲକ୍ଷ୍ୟ ନେଇ ୨୦୨୫ ମସିହାରୁ ଆରମ୍ଭ ହୋଇଥିବା..

ଭୁବନେଶ୍ବର: ଖେଳ ଓ ଖେଳାଳିଙ୍କ ପ୍ରତି ଆକର୍ଷଣ ବଢ଼ାଇ ତୃଣମୂଳ ସ୍ତରରୁ ଅଧିକରୁ ଅଧିକ ପ୍ରତିଭା ଚିହ୍ନଟ କରିବା। ସେଠାରୁ ସେମାନଙ୍କୁ ପଡ଼ିଆରେ ପହଞ୍ଚାଇବା ଏବଂ ପଡ଼ିଆରୁ ପୋଡିୟମ୍‌ରେ ଠିଆ ହେବାର ପ୍ରକ୍ରିୟା ଓ ପ୍ରଶିକ୍ଷଣରେ ସାମିଲ କରିବାର ବୈପ୍ଲବିକ ଲକ୍ଷ୍ୟ ନେଇ ୨୦୨୫ ମସିହାରୁ ଆରମ୍ଭ ହୋଇଥିବା ‘ସିଏମ୍‌ ଟ୍ରଫି’ର ବ୍ୟାପକ ବିସ୍ତାର ହୋଇଛି। ଏହି ଗଣ କ୍ରୀଡ଼ା ପ୍ରତିଯୋଗିତାରେ ଚଳିତବର୍ଷ କବାଡ଼ି, ଖୋଖୋ ଓ ଭଲିବଲ୍‌ ଭଲି ଆଉ ତିନିଟି ଖେଳକୁ ସାମିଲ କରାଯାଇଛି।  ଗତବର୍ଷ କେବଳ ଗୋଟିଏ ଖେଳ ‘ଫୁଟ୍‌ବଲ୍‌’ରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା ବେଳେ ଚଳିତବର୍ଷ ଏସବୁ ପାରମ୍ପରିକ କ୍ରୀଡ଼ାକୁ ମିଶାଇ ମୋଟ ୪ଟି ଖେଳ‌ରେ ସିଏମ୍‌ ଟ୍ରଫି ଆ‌ୟୋଜିତ ହେବ। ୧୪ରୁ ୧୬ ବର୍ଷ ଭିତରେ ରାଜ୍ୟର ପାଖାପାଖି ୩୨,୦୦୦ କୁନି ଓ କି‌ଶୋର କ୍ରୀଡ଼ାବିତ୍ ଏହି ଅଭିନବ ଅଭିଯାନରେ ଯୋଡ଼ିହେବେ। ବିଭିନ୍ନସ୍ତରରେ ସେମାନଙ୍କ ପ୍ରତିଭାର ପରୀକ୍ଷା କରାଯାଇ ଭାବି କ୍ରୀଡ଼ା ବିଜେତାଙ୍କୁ ବଛାଯିବ। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ବିଷୟରେ ସୂଚନା ଦେଇ କହିଛନ୍ତି,  ପ୍ରଥମବର୍ଷ ଆମେ ସିଏମ୍‌ ଟ୍ରଫିରେ କେବଳ ୧୫ବର୍ଷରୁ କମ୍‌ ଫୁଟବଲ୍‌କୁ ନେଇଥିଲୁ। ଏହାକୁ ଅପାର ସମର୍ଥନ ଓ ଭଲପାଇବା ମିଳିଥିଲା।

୩୨,୦୦୦ ଖେଳାଳିଙ୍କୁ ଯୋଡ଼ିବା ଲକ୍ଷ୍ୟ
ବୁଧବାରଠାରୁ ନାମ ପଞ୍ଜୀକରଣ
ଆଗାମୀ ସମୟରେ ଆହୁରି ଅନେକ ଖେଳ ସାମିଲ ହେବ

ପାଖାପାଖି ୬,୦୦୦ ଖେଳାଳି ବିଭିନ୍ନ ସ୍ତରରେ ଏଥିରେ ଖେଳିଥିଲେ। ଏଥର ମୋଟ ୪ ଖେଳରେ ୩୧,୮୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ। ଅନ୍ୟଏକ ଉଲ୍ଲେଖନୀୟ ଘଟଣକ୍ରମେ ଆମେ ଏଥର ଉଭୟ ବାଳକ ଓ ବାଳିକା ବର୍ଗରେ ସିଏମ୍‌ ଟ୍ରଫି କରିବୁ। ଗତବର୍ଷ କେବଳ ୧୫ବର୍ଷରୁ କମ୍‌ ବାଳକ ଫୁଟ୍‌ବଲ୍‌ ପ୍ରତିଯୋଗିତା ଆୟୋଜିତ ‌ହୋଇଥିଲା। ଏବର୍ଷ ୧୪ ଓ ୧୬ବର୍ଷରୁ କମ୍‌ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହେବ। ଖୋଖୋ ଓ ଭଲିବଲ୍‌ର ୧୪ ବର୍ଷରୁ କମ୍, କବାଡ଼ିର ୧୬ବର୍ଷରୁ କମ୍ ଏବଂ ଫୁଟ୍‌ବଲ୍‌ର ୧୫ବର୍ଷରୁ କମ୍‌ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହେବ। ଚଳିତ ଜାନୁଆରି ୭ରୁ ୧୪ ମଧ୍ୟରେ ଆଶାୟୀ କ୍ରୀଡ଼ାବିତ୍‌ମାନେ ସିଏମ୍ ଟ୍ରଫି ଲାଗି ନାମ ପଞ୍ଜୀକରଣ କରିପାରିବେ। ମେଧା ଭିତ୍ତିରେ ଜିଲ୍ଲା ସ୍ତରରେ ବାଳକ ବର୍ଗରେ ୧୦ଟି ଏବଂ ବାଳିକା ବର୍ଗରେ ୬ଟି ଦଳ ଗଠନ କରାଯିବ। ସମଗ୍ର ରାଜ୍ୟରୁ ପ୍ରାୟ ୫୦୦ଟି ଦଳ ଏଥିରେ ପ୍ରତିଦ୍ବନ୍ଦ୍ବିତା ହେବ। ଏହି ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ: ଜାନୁଆରିରୁ ଫେବ୍ରୁଆରି, ସେମିଫାଇନାଲ୍ ଓ ଫାଇନାଲ୍‌ ସହ ଦ୍ବିତୀୟ ପର୍ଯ୍ୟାୟ ମେ ମାସରୁ ଖେଳାଯିବ।

 

ବିଭିନ୍ନ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହେଉଥିବାରୁ ବୟସ ଜାଲିଆତି ରୋକିବା ନେଇ ଠୋସ୍‌ ପଦକ୍ଷେପ ନେବାକୁ ମନ୍ତ୍ରୀ ଏହି ଅବସରରେ ଉପସ୍ଥିତ କ୍ରୀଡ଼ା ଅଧିକାରୀ ତଥା ଫୁଟ୍‌ବଲ୍, ଖୋଖୋ, କବାଡ଼ି ଓ ଭଲିବଲ୍‌ ରାଜ୍ୟସଂଘର କର୍ମକର୍ତ୍ତାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏକାମ୍ର (ଭୁବନେଶ୍ବର) ବିଧାୟକ ବାବୁ ସିଂହ, କ୍ରୀଡ଼ା ବିଭାଗର ପ୍ରମୁଖ ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ ଡ, ବିଜୟ ୟେଦୁଲା, ଅତିରିକ୍ତ ସଚିବ ବିଜୟ କୁମାର ସ୍ବାଇଁ, ଓଡ଼ିଶା ଅଲିମ୍ପିକ୍ସ ସଂଘର ସଂପାଦକ ଅଭିଜିତ ପାଲ, ରାଜ୍ୟ ଖୋଖୋ ସଂଘର ସଂପାଦକ ପ୍ରଦ୍ୟୁମ୍ନ ମିଶ୍ର, ରାଜ୍ୟ ବଲିବଲ୍‌ ସଂପାଦକ ଗଗନେନ୍ଦୁ ଦାସ  ପ୍ରମୁଖ ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button