ଓଡିଶା

Cold Wave: କନ୍ଧମାଳରେ ତୁଷାରପାତ, ବୟସ୍କ ବ୍ୟକ୍ତି କହିଲେ- ଏଭଳି ଶୀତ କେବେ ଜାଣି ନାହୁଁ

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଦିନକୁ ଦିନ ପାରଦ ତଳମୁହାଁ ହେବା ସହ ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଅଞ୍ଚଳ। ତାପମାତ୍ରା ଗତକାଲି ୩ଡିଗ୍ରି ଥିବା ବେଳେ ଆଜି ଏହା ୨.୫ଡିଗ୍ରି ରେକର୍ଡ କରାଯାଇଛି। ଦିନରେ ବି ଶୀତ ବସ୍ତ୍ର ଆବଶ୍ୟକ ପଡୁଛି।

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଦିନକୁ ଦିନ ପାରଦ ତଳମୁହାଁ ହେବା ସହ ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଅଞ୍ଚଳ। ତାପମାତ୍ରା ଗତକାଲି ୩ଡିଗ୍ରି ଥିବା ବେଳେ ଆଜି ଏହା ୨.୫ଡିଗ୍ରି ରେକର୍ଡ କରାଯାଇଛି। ଦିନରେ ବି ଶୀତ ବସ୍ତ୍ର ଆବଶ୍ୟକ ପଡୁଛି। ଚଳିତ ବର୍ଷ ଶୀତର ପ୍ରକୋପ ବେଶ ଅନୁଭୂତ ହେଉଥିବା ବେଳେ ଅସହ୍ୟ ଜାଡ଼ରେ ବୃଦ୍ଧବୃଦ୍ଧାମାନେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି।

ଜାନୁଆରି ମାସରେ ଏହିଭଳି ଶୀତ କେବେ ଅନୁଭବ ହେଇନଥିବା କହିଛନ୍ତି ବରିଷ୍ଠ ନାଗରିକମାନେ। ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯେଉଁ ଭଳି ଭାବେ ହୋଇଛି ପୂର୍ବ ଅନୁମାନ ଅନୁସାରେ ଶୀତ ବି ସେଇଭଳି ତାର ପ୍ରକୋପ ଦେଖେଇବାରେ ଲାଗିଛି। ଦିନରେ ସୂର୍ଯ୍ୟଙ୍କ ଉତ୍ତାପ ଏବଂ ରାତିରେ ଅଗ୍ନିଙ୍କ ଭରସାରେ ଦିନରାତି ବିତୁଛି।ଅସହ୍ୟ ଜାଡ ଯୋଗୁଁ କଲବଲ ହେଉଛନ୍ତି ଗରିବ ଲୋକ। ସ୍ଥାନୀୟ ସହରର ତାପମାତ୍ରା ୨.୫ଡିଗ୍ରି ଥିବା ବେଳେ ପାହାଡ଼ ପର୍ବତ, ଜଙ୍ଗଲ ଘେରା ମୁକୁଲିଙ୍ଗିଆ, ଗୁନ୍ଦାବାଜୁ, ରେଟୁଡି, ଡଡ଼ାପଡ଼ା, ଲାବୋରି, ଲଏରେଜୁ ଭଳି ଦୁର୍ଗମ ଅଞ୍ଚଳରେ ଆହୁରି କମ ତାପମାତ୍ରା ଅର୍ଥାତ ୧ଡିଗ୍ରି ତାପମାତ୍ରା ରହୁଥିବା ଅନୁମାନ କରାଯାଉଛି।

ଯନ୍ତ୍ରଣା ପାଉଛନ୍ତି ଯାତ୍ରୀ

ଆଜି ବହୁ ସ୍ଥାନରେ ତୁଷାରପାତ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଖାଲି ପଡିଆ, ପାଳଗଦାଗୁଡ଼ିକରେ ତୁଷାର ପଡ଼ିଥିବା ଏବଂ ହାତରେ ବରଫ ବାହାର କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବିନା ଗରମ ପୋଷାକରେ ଚଳପ୍ରଚଳ କରିବା ଏକ ପ୍ରକାର ଅସମ୍ଭବ ଥିବା ବେଳେ ଝାଟିମାଟି ଘରେ ରହୁଥିବା ଗରିବ ପରିବାର ରାତିସାରା ନିଆଁ ଜାଳି ନିଆଁ ଭରଷାରେ ରାତି କାଟୁଛନ୍ତି। ସହରରେ ବସଷ୍ଟାଣ୍ଡ ନଥିବା ଏବଂ ବସ୍‌କୁ ଅପେକ୍ଷା କରିବା ନିମନ୍ତେ ଯାତ୍ରୀ ବିଶ୍ରାମଗୃହ ନ ଥିବା ଯୋଗୁଁ ସ୍ଥାନୀୟ ସହରରେ ବସ୍‌କୁ ଅପେକ୍ଷା କରିବା ନିମନ୍ତେ ରାସ୍ତାକଡ଼ରେ ଖୋଲା ଆକାଶ ତଳେ ଥଣ୍ଡା କାକରରେ ବସ୍‌କୁ ଅପେକ୍ଷା କରିବାକୁ ପଡୁଛି। ସହରର ଗାନ୍ଧୀ ଛକରେ ରାତି ସାରା ଲୋକ ଥଣ୍ଡା କାକରରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ନିମନ୍ତେ ବସ୍କୁ ଅପେକ୍ଷା କରିଥାନ୍ତି। ପ୍ରବଳ ଥଣ୍ଡା ଯୋଗୁଁ ଯାତ୍ରୀଙ୍କ ଯନ୍ତ୍ରଣା ବୃଦ୍ଧି ପାଇବାରେ ଲାଗିଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button