Breaking News

ବଡ ବଡ ଧନୀ ଲୋକ ମୋଦୀ, ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି କିନ୍ତୁ ଗରିବଙ୍କ ପାଇଁ କେବଳ କଂଗ୍ରେସ ଛିଡା ହୋଇଛି

କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶ

  • କଂଗ୍ରେସର ଶକ୍ତି ପ୍ରଦର୍ଶନ
  • ଖଡଗେ ବଜାଇଲେ ନିର୍ବାଚନୀ ବିଗୁଲ
  • ଟାର୍ଗେଟରେ ବିଜେଡି-ବିଜେପି

ଭୁବନେଶ୍ୱର: ୨୦୧୯ ପରେ, ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ରଣହୁଙ୍କାର ଦେଇଛି । ରାଜ୍ୟରେ ଦୁର୍ବଳ ହୋଇପଡୁଥିବା କଂଗ୍ରେସ, ଏଆଇସିସି ଅଧ୍ୟକ୍ଷ ମଲ୍ଳିକାର୍ଜ୍ଜୁନ ଖଡଗେଙ୍କ ଗସ୍ତବେଳେ ଶକ୍ତି ପ୍ରଦର୍ଶନ କରିଛି । ଖଡଗେ ଭୁବନେଶ୍ୱର ବିମାନବନନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିବା ସହ ବିଶାଳ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ଦଳୀୟ ନେତା ଓ କର୍ମୀ । ତାପରେ ଲୋୟର ପିଏମଜିରେ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ସାମିଲ ହୋଇଥିିଲେ । ଓଡ଼ିଶାରେ ଯାହା ହୋଇଛି କଂଗ୍ରେସ କରିଛି, ଆଜି ଓଡିଶା ବଞ୍ଚାଅ ସମାବେଶରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ଖଡ଼ଗେ । ସଭାରେ ଉପସ୍ଥିତ ହଜାର ହଜାର କଂଗ୍ରେସ କର୍ମୀଙ୍କୁ ସମ୍ବୋଧନ କରିଥିଲେ ମଲ୍ଳିକାର୍ଜ୍ଜୁନ ଖଡଗେ । ସଭାମଞ୍ଚରୁ ଉଭୟ ବିଜେଡି ଓ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ । ତେବେ କଂଗ୍ରେସ ସରକାର ଅମଳର ସଫଳତା ଓ ବିଜେଡି -ବିଜେପି ସରକାରର ବିଫଳତାକୁ ଗଣାଇଛନ୍ତି ଖଡଗେ । ଏଥିସହ ବିଜେଡି ଓ ବିଜେପି ମଧ୍ୟରେ ଲଭ୍ ମ୍ୟାରେଜ୍ ହୋଇଛି କହି କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

ଏଆଇସିସି ଅଧ୍ୟକ୍ଷ ମଲ୍ଳିକାର୍ଜ୍ଜୁନ ଖଡଗେ କହିଛନ୍ତି ମୋଦୀ ସବୁବେଳେ କହୁଛନ୍ତି ୭୦ ବର୍ଷରେ କଣ କରିଛି କଂଗ୍ରେସ । ଯଦି ୭୦ ବର୍ଷରେ କଂଗ୍ରେସ କିଛି କରିନଥାନ୍ତା ତେବେ ମୋଦୀ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇପାରିନଥାନ୍ତେ । ଦେଶର ସମ୍ବିଧାନ, ଲୋକତନ୍ତ୍ରକୁ ବଞ୍ଚାଇଛି କଂଗ୍ରେସ, ଭାରତର ଲୋକତନ୍ତ୍ର, ସମ୍ବିଧାନକୁ ନଷ୍ଟ କରୁଛନ୍ତି ମୋଦୀ । ବଡ ବଡ ଧନୀ ଲୋକ ମୋଦୀ, ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି କିନ୍ତୁ ଗରିବଙ୍କ ପାଇଁ କେବଳ କଂଗ୍ରେସ ଛିଡା ହୋଇଛି । ବିଜେପିକୁ ଟାର୍ଗେଟ କରି ମଲ୍ଲିକାର୍ଜୁନ କହିଛନ୍ତି, ବିଜେପି-ଆରଏସଏସ ଘୃଣାର ଦୋକାନ ଖୋଲିକି ବସିଛନ୍ତି । ସେଥିପାଇଁ ଏମାନଙ୍କ ଠାରୁ ସତର୍କ ରହିବା ଉଚିତ୍ ।

ବିଜେପି-ଆରଏସଏସ ବିଷ ଭଳି, ଏମାନଙ୍କ ସହ ମିଶିଲେ ଅନିଷ୍ଟ ହେବ । ମଣିପୁର ଜଳୁଛି, କିନ୍ତୁ ମୋଦୀ କୁଆଡେ ଗଲେ । ମୋଦୀ ନାଗାଲାଣ୍ଡ, ମଣିପୁର ଯାଇକି ଦେଖନ୍ତୁ ସେଠାରେ କଣ ସ୍ଥିତି ଅଛି । ଇନ୍ଦିରା ଓ ରାଜୀବ ଦେଶ ପାଇଁ ଜୀବନ ଦେଇଛନ୍ତି । କିନ୍ତୁ ଏବେ ମୋଦୀ ଏବେ ସମସ୍ତଙ୍କର ଜୀବନକୁ ଦୁଃର୍ବିସହ କରି ସାରିଲେଣି । ଇଡି, ଆଇଟି ରେଡ କରି ଶାସନ ଚଳାଇଛନ୍ତି ମୋଦୀ । ଯଦି ମୋଦୀ ଏହିଥର ନିର୍ବାଚନ ଜିତିବେ ତେବେ ଆଉ ନିର୍ବାଚନ ହେବନି । ଏକଛତ୍ରବାଦ ଶାସନ ଚଳାଇବେ, ନିର୍ବାଚନ କରାଇଦେବେନି । ତେଣୁ ଏହି ନିର୍ବାଚନକୁ ତାଙ୍କର ଶେଷ ନିର୍ବାଚନ କରନ୍ତୁ । ସମସ୍ତଙ୍କୁ ଧମକାଇ, ଭୟଭୀତ କରି ରାଜନୀତି କରୁଛି ବିଜେପି । ଏହା ସମସ୍ତଙ୍କର ଶେଷ ଭୋଟ ହେବ, ଯଦି ମୋଦୀଙ୍କୁ ଶାସନ କ୍ଷମତାରୁ ନ ହଟାଇବା । ଯଦି ସାଧାରଣ ଲୋକ ଚାହିିଁବେ ତେବେ ଗଣତନ୍ତ୍ର ବଞ୍ଚିକି ରହିବ, ନଚେତ ଗଣତନ୍ତ୍ର ସବୁଦିନ ପାଇଁ ଶେଷ ହୋଇଯିବ । ଦେଶରେ ଆଜି ମଧ୍ୟ ୩୦ ଲକ୍ଷ ପଦବୀ ଫାଙ୍କା ପଡିଛି । କିନ୍ତୁ ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯାଉନି । ମୋଦୀଙ୍କର ପୁରୁଣା ଅଭ୍ୟାସ ହେଉଛି ମିଛ କହିବା । ୨ କୋଟି ନିଯୁକ୍ତିର ପ୍ରତିଶ୍ରୁତି କିଏ ଦେଇଥିଲା । ଏବେ ସୁଦ୍ଧା ୧୦ କୋଟି ଚାକିରି ମିଳିବା କଥା, କିନ୍ତୁ ଚାକିରି ମିଳିଛି କି? କଳାଧନ ଆସିବ, ପ୍ରତ୍ୟେକଙ୍କ ପାଖକୁ ୧୫ ଲକ୍ଷ ଟଙ୍କା ଆସିବ । କିନ୍ତୁ ଏବେ ସୁଦ୍ଧା ୧୫ ଲକ୍ଷ ଟଙ୍କା ଆସିଲା କି? ଏବେ କିଏ ମିଛ କହୁଛି ତାହା ଆଉ କାହାକୁ ଅଛପା ନାହିଁ ।

ଚାଷୀଙ୍କ ଆୟ ଦୁଇଗଣା କରିବାକୁ କହିଥିଲେ କିନ୍ତୁ କରିଲେ କି? ମୋଦୀ ନିଜେ ମିଛ କହୁଛନ୍ତି କିନ୍ତୁ କଂଗ୍ରେସକୁ ଗାଳି ଦେଉଛନ୍ତି । କଂଗ୍ରେସ ଗରିବଙ୍କ ପାଇଁ ଯୋଜନା ଆଣିଛି, କାମ ଦେଇଛି, ଭୋକ ଦୂର କରିଛି । ନବୀନ ସରକାର ଓଡ଼ିଶାରେ ଜଳସେଚନ, ଶୀତଳ ଭଣ୍ଡାର କରିବାକୁ କହିଥିଲା କିନ୍ତୁ ହୋଇଛି କି? ଓଡ଼ିଶାବାସୀଙ୍କୁ ୨୪ ବର୍ଷ ହେବ ମିଛ କହୁଛି କିଏ? ଓଡ଼ିଶାରେ ୪୫ ଲକ୍ଷରୁ ଅଧିକ ଯୁବବର୍ଗ ବେକାରୀ ହୋଇଛନ୍ତି । ପ୍ରତି ବିଭାଗରେ ପଦବୀ ଫାଙ୍କା ପଡିଛି । କିନ୍ତୁ ଚାକିରି କାହିଁକି ମିଳୁନି? ତେଣୁ କଂଗ୍ରେସକୁ ଦୋଷ ଦେବା ବନ୍ଦ କରନ୍ତୁ ବିଜେଡି ସରକାର । ପାର୍ଟନରସିପରେ ସରକାର ଚାଲିଛି ବୋଲି କହି କଟାକ୍ଷ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ ।

ଅନ୍ୟପଟେ ଅଧ୍ୟକ୍ଷଙ୍କ ଗସ୍ତକୁ ନେଇ ଦଳୀୟ ନେତା ଓ କର୍ମୀ ବେଶ ଉତ୍ସାହିତ ହୋଇପଡିଛନ୍ତି । ଲୋୟର ପିଏମଜିରେ ଆୟୋଜିତ ସମାବେଶର ହଜାର ହଜାର ସଂଖ୍ୟାରେ ଶକ୍ତି ଦେଖାଇଛନ୍ତି । କେବଳ ଏତିକି ନୁହେଁ ସବୁବେଳେ ଦଳୀୟ କନ୍ଦଳ ପାଇଁ ଅପଖ୍ୟାତି ଅର୍ଜନ କରୁଥିବା ରାଜ୍ୟ କଂଗ୍ରେସର ନେତାମାନେ ଏକାଠି ବସି ସଭାମଞ୍ଚରୁ ଏକତାର ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି । ଏହି ସଭାରେ ସାମିଲ ହୋଇ ସ୍ୱର୍ଗତ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ, ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ପ୍ରଭାରୀ ଅଜୟ କୁମାର । ଏଥିସହ ନିର୍ବାଚନୀ ବିଗୁଲ ବାଜି ସାରିଛି, ଆଗକୁ ବ୍ୟାଣ୍ଡ ବାଜିବ ବୋଲି କହିଛନ୍ତି ପିସିସି ପ୍ରଭାରୀ ।

Comments are closed.