Cricket: ପାକ୍‌ ସାମ୍ବାଦିକଙ୍କ ବିତଣ୍ଡା ଯୁକ୍ତି; ବୈଭବଙ୍କ ବ୍ୟାଟ୍‌ରେ ଅଛି ଏଆଇ ଚିପ୍‌

ଲାହୋର: ପାକିସ୍ତନର ଜଣେ କ୍ରୀଡ଼ା ସାମ୍ବାଦିକ, ଟେଲିଭିଜନ୍‌ ଉପସ୍ଥାପକ ତଥା କ୍ରିକେଟ୍‌ ବି‌ଶେଷଜ୍ଞ ଭାରତୀୟ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ହାସ୍ୟାସ୍ପଦ କଥା କହିଛନ୍ତି। ବୈଭବ ମାତ୍ର ୧୫ବର୍ଷ ବୟସରେ ଯଶପ୍ରୀତ୍‌ ବୁମ୍‌ରା, ଜୋସ୍‌ ହାଜେଲଉଡ୍‌ ଓ ପ୍ୟାଟ୍‌ କମିନ୍ସଙ୍କ ଭଳି ବୋଲରଙ୍କୁ ନିର୍ଧୂମ ଧୂଲେଇ କରୁଥିବାରୁ ତାଙ୍କ ବ୍ୟାଟ୍‌ରେ ନିଶ୍ଚତ ଏଆଇ ଚିପ୍‌ ରହିଛି ବୋଲି ନୌମାନ ନିଆଜ୍‌ ନାମକ ଏହି କ୍ରୀଡ଼ା ବ୍ୟକ୍ତିତ୍ବ ଦାବି କରିଛନ୍ତି।

କୋହଲି ଯେତେବେଳେ ବିଶ୍ବବିଜେତା ହେଲେ ସେତେବେଳେ ସେ (ବୈଭବ) ଜନ୍ମଗ୍ରହଣ କରିଛନ୍ତି। ଏଣୁ ତାଙ୍କ ପାଖରେ ବ୍ୟାଟ୍‌ ଚାଳନାର ଏଭଳି ଶକ୍ତି ଓ କୌଶଳ ରହିବା ଏକ ରହସ୍ୟ। ନିଆଜ୍‌ ଏଭଳି ମନ୍ତବ୍ୟ ଦେବା ପରେ କ୍ରିକେଟ୍‌ ଦୁନିଆରେ ଥଟ୍ଟା ମଜାର ମାତ୍ର ହୋଇଛନ୍ତି। ରାଜସ୍ଥାନ ରୟାଲ୍‌ସ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ ଭିଡିଓରେ ବୈଭବ ନିଜେ ମଧ୍ୟ ଏଭଳି ଅଭିଯୋଗ ନେଇ ଉତ୍ତର ରଖୁଥିବା ଦେଖିବାକୁ ମିଳୁଛି। ସେ କହିଛନ୍ତି, “ହଁ ଭଗବାନ ସେହି ଚିପ୍‌ ଲଗାଇ ଦେଇଛନ୍ତି। ତୁମ ବ୍ୟାଟ୍‌ରେ କିଛି ଲଗାଉଛି ବୋଲି ମୋତେ ଉପରେ ହିଁ କହି ଦେଇଥିଲେ ଇଶ୍ବର । ମୁଁ ଏବେ ତାରି ଉପଯୋଗ ହିଁ କରୁଛି’’।

 

ଟ୍ରୋଲ୍‌ କଲା ଆଇସଲାଣ୍ଡ୍‌ କ୍ରିକେଟ୍

ବୈଭବଙ୍କୁ ନେଇ ନିଆଜ କହିଥିବା କଥା ପଦାକୁ ଆସିବା ପର ଆଇସ୍‌ଲାଣ୍ଡ୍‌ କ୍ରିକେଟ୍‌ ତାଙ୍କୁ ଭୀଷଣ ଟ୍ରୋଲ୍‌ କରିଛି। ନିଜ ମଜାଳିଆ ସାମାଜିକ ଗଣମାଧ୍ୟମ ପୋଷ୍ଟ୍‌ ପାଇଁ ସବୁବେଳେ ଚର୍ଚ୍ଚା‌ରେ ରହୁଥିବା ଏହି କ୍ରିକେଟ୍‌ ବୋର୍ଡ କହିଛି ବୈଭବଙ୍କ ବ୍ୟାଟ୍‌ରେ ଥିବା ଚିପ୍‌ର ବୈଷୟିକ କୌଶଳ ଏହି ଗ୍ରହର ନୁହେଁ। ଏହି ଚିପ୍‌ କେଉଁଠାରେ ମିଳୁଛି, ଜାଣିଲେ ଆ‌ମେ ମଧ୍ୟ ଆମ ବ୍ୟାଟର୍‌ଙ୍କ ପାଇଁ ଆଣିବାକୁ ଚାହିବୁ। ସମ୍ଭବତଃ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ରିକି ପଣ୍ଟିଂଙ୍କ ବ୍ୟାଟ୍‌ରେ ଲାଗିଥିବା ସ୍ପ୍ରିଙ୍ଗ୍‌ ଯେଉଁଠୁ ଆସିଥିଲା ଏହି ଚିପ୍‌ ସେହିଠାରୁ ଆସିଛି। ସୂଚନାଯୋଗ୍ୟ ଯେ ନିଜ ସମୟରେ ପଣ୍ଟିଂ ଜଣେ ଶ୍ରେଷ୍ଠ ବ୍ୟାଟର୍‌ ଥିଲେ। ଲମ୍ବା ପାଳି ଖେଳି ସମସ୍ତଙ୍କୁ ଚକିତ କରି ଦେଉଥିଲେ। ସେଥିପାଇଁ ସମାଲୋଚକମାନେ ତାଙ୍କ ବ୍ୟାଟ୍‌ରେ ସ୍ପ୍ରିଙ୍ଗ୍‌ ଲାଗୁଛି ବୋଲି କହୁଥିଲେ।

 

 

 

 

ସୌଜନ୍ୟ ସମ୍ବାଦ