ମହାନଗର

ଲଜ୍ଜା: ଟ୍ରେନ ଟଏଲେଟରେ ଯାତ୍ରା କଲେ ଓଡ଼ିଶା ଖେଳାଳି, ମନ୍ତ୍ରୀ କହିଲେ…

ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଟ୍ରେନରେ ଅପମାନଜନକ ଯାତ୍ରାର ଏକ ଭିଡ଼ିଓ ସଂପ୍ରତି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଉତ୍ତର ପ୍ରଦେଶର ବାଲିଆଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ କୁସ୍ତି ପ୍ରତିଯୋଗିତାରେ ଭାଗ ନେବାକୁ ଯାଇଥିବା ଓଡ଼ିଶାର ୧୮ ଜଣ ଖେଳାଳି ଟ୍ରେନର ଟଏଲେଟ୍ ପାଖରେ ବସି ଯାତ୍ରା କରୁଥିବା ଦେଖିବାକୁ ମିଳିଛି।

ଭୁବନେଶ୍ଵର: କ୍ରୀଡ଼ାର ଭିତ୍ତିଭୂମି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର। ଖେଳାଳିମାନଙ୍କ ପାଇଁ ସବୁ ସୁବିଧା ସୁଯୋଗ ମିଳୁଥିବା ମଧ୍ୟ କୁହାଯାଇଛି। ମାତ୍ର ବାସ୍ତବ ସ୍ଥିତି ଓଲଟା ରହିଛି। ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଟ୍ରେନରେ ଅପମାନଜନକ ଯାତ୍ରାର ଏକ ଭିଡ଼ିଓ ସଂପ୍ରତି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ମର୍ମାହତ କଲା ପରି ଘଟଣା ସାମ୍ନାକୁ ଆସିବା ପରେ ଚେତିଛନ୍ତି ରାଜ୍ୟ ସରକାର। ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ସେ କହିଛନ୍ତି ଯେଉଁ ଘଟଣା ଲୋକଲୋଚନକୁ ଆସିଛି ତାର ସତ୍ୟାସତ୍ୟ କେତେ ଅଛି ତାର ଅନୁଧ୍ୟାନ କରାଯାଉ। ତାର ତଦନ୍ତ କରାଯାଉ। ଯଦି ଏଥିରେ କାହାର ଭୁଲ୍ ରହିଥାଏ ତେବେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କ୍ଷୋଭ ପ୍ରକାଶ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ସହ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ଓଡ଼ିଶା ସରକାରଙ୍କ ଖେଳାଳିଙ୍କ  ପ୍ରତି କେତେ ଯତ୍ନବାନ ତାର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି

ଉଲ୍ଲେଖନୀୟ ଉତ୍ତର ପ୍ରଦେଶର ବାଲିଆଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ କୁସ୍ତି ପ୍ରତିଯୋଗିତାରେ ଭାଗ ନେବାକୁ ଯାଇଥିବା ଓଡ଼ିଶାର ୧୮ ଜଣ ଖେଳାଳି ଟ୍ରେନର ଟଏଲେଟ୍ ପାଖରେ ବସି ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଖେଳାଳିମାନଙ୍କୁ(୧୦ ପୁଅ ଓ ୮ ଝିଅ) ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ପଠାଯାଇଥିଲା। ମାତ୍ର ସେମାନଙ୍କ ପାଇଁ ଟ୍ରେନରେ କୌଣସି କନଫର୍ମ ଟିକେଟ୍ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏହି ହାଡ଼ଭଙ୍ଗା ଶୀତରେ ଖେଳାଳିମାନେ ଜେନେରାଲ ବଗିରେ ଟଏଲେଟ୍ ପାଖରେ ବସି ପ୍ରାୟ ୧୨୦୦ କିଲୋମିଟର ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ। ଏପରିକି ଯିବା ଆସିବା ସମୟରେ ମଧ୍ୟ ସେମାନଙ୍କୁ ସମାନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା।

ଖେଳାଳିଙ୍କ ସହ ଯାଇଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି ଯେ, କଟକର ଜଣେ ମ୍ୟାନେଜରଙ୍କ ଦାୟିତ୍ଵହୀନତା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଭିଡିଓଟି ଭାଇରାଲ୍ ହେବା ପରେ ଏବଂ ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। କେଉଁ ପରିସ୍ଥିତିରେ ଖେଳାଳିମାନଙ୍କୁ ଏଭଳି ଅମାନୁଷିକ ଭାବେ ନିଆଗଲା ଏବଂ ଏଥିପାଇଁ କିଏ ଦାୟୀ, ତାହାର ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button