ଜଗତସିଂହପୁର: ଛାତ୍ରୀ ଓ ଯୁବତୀଙ୍କୁ ଫସାଇ ବ୍ଲାକ୍ମେଲ୍ କରିବା ସହିତ ଗର୍ଭପାତ କରାଇଥିବା ଦୁଇ ଭାଇଙ୍କୁ ଗିରଫ କରିଛି ଜଗତସିଂହପୁର ଥାନା ପୁଲିସ। ଏକାଧିକ ଯୁବତୀଙ୍କ ଅନ୍ତରଙ୍ଗ ସମୟର ଫଟୋ, ଭିଡିଓକୁ ଷ୍ଟୋର୍ କରି ରଖିଥିବା ଦୁଇଟି ଦାମୀ ମୋବାଇଲକୁ ମଧ୍ୟ ପୁଲିସ ଜବତ କରିଛି। ଗୋଟିଏ ଆଇଫୋନ୍ ୧୫ ଓ ଅନ୍ୟଟି ଏସ-୨୫ ଅଲଟ୍ରା। ପୀଡ଼ିତାଙ୍କ ସିମ୍ କାର୍ଡ ମଧ୍ୟ ଅଭିଯୁକ୍ତଙ୍କଠାରୁ ଜବତ କରାଯାଇଛି। ଗିରଫ ଦୁଇ ଭାଇ ହେଲେ ଭୁବନେଶ୍ବର ଖଣ୍ଡଗିରି ସୌଭାଗ୍ୟନଗରରେ ରହୁଥିବା ବାଲିକୁଦା ଇଚ୍ଛାପୁର ଅଞ୍ଚଳର ଜ୍ଞାନରଞ୍ଜନ ନାୟକ ଓରଫ୍ ପୁପୁ ଓରଫ୍ ଆଦି ଓରଫ୍ ଆରିକ୍ସ (୨୦) ଓ ତା ବଡ଼ଭାଇ ବିଶ୍ବରଞ୍ଜନ ନାୟକ (୨୪)। ଜ୍ଞାନରଞ୍ଜନ ଭୁବନେଶ୍ବରରେ ଯୁକ୍ତ ୩ ପଢ଼ୁଥିବା ଜଣାପଡ଼ିଛି।
ରାଜଧାନୀରେ ୧୦ରୁ ଅଧିକ ଯୁବତୀଙ୍କୁ ଫସାଇଛନ୍ତି
ଜଣେ ପୀଡ଼ିତାଙ୍କର କଟକରେ ଗର୍ଭପାତ କରାଇଛନ୍ତି
ଅନ୍ତରଙ୍ଗ ଫଟୋ, ଭିଡିଓ ଦେଖାଇ ଯୌନ ଲାଳସା ମେଣ୍ଟାଉଥିଲେ
ଆଇଫୋନ୍, ଦାମୀ ମୋବାଇଲ୍, ସିମକାର୍ଡ ଜବତ, ୨ ଗିରଫ
ଏସ୍ପି ଅଙ୍କିତ କୁମାର ବର୍ମା ଆଜି ସନ୍ଧ୍ୟାରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଜ୍ଞାନରଞ୍ଜନ ଇନ୍ଷ୍ଟାଗ୍ରାମ୍ରେ ଆଦି, ଆରିକ୍ସ ଭଳି ଭିନ୍ନ ଭିନ୍ନ ନାଁରେ ଆଇଡି ଖୋଲିଛି। ସେହି ଆଇଡି ଜରିଆରେ କଲେଜ ଛାତ୍ରୀ ଓ ଅଳ୍ପ ବୟସ୍କ ଯୁବତୀଙ୍କ ସହ ବନ୍ଧୁତା ସୃଷ୍ଟି କରେ। ସେମାନଙ୍କୁ ପ୍ରେମ ଜାଲରେ ଫସାଇ ନିଜର ଯୌନ ଲାଳସା ମେଣ୍ଟାଇବା ସହ ଅନ୍ତରଙ୍ଗ ଫଟୋ ଓ ଭିଡିଓ ଦେଖାଇ ବ୍ଲାକ୍ମେଲ୍ କରି ଟଙ୍କା ଆଦାୟ କରେ। ଭୁବନେଶ୍ବରରେ ରହି ଇଞ୍ଜିନିୟରିଂ ପଢ଼ୁଥିବା ଜଗତସିଂହପୁର ଅଞ୍ଚଳର ଜଣେ ଛାତ୍ରୀଙ୍କୁ ଜ୍ଞାନରଞ୍ଜନ ୨୦୨୪ରେ ଇନ୍ଷ୍ଟାଗ୍ରାମ୍ ଜରିଆରେ ଯୋଡ଼ି ହୋଇଥିଲା। ଦୁଇ ଜଣଙ୍କ ଭିତରେ ସମ୍ପର୍କ ବଢ଼ିଥିଲା। ଛାତ୍ରୀଙ୍କୁ ଭୁବନେଶ୍ବର ଡେଲଟା ଛକସ୍ଥିତ ନିଜ ଭଡ଼ାଘରକୁ ଜ୍ଞାନରଞ୍ଜନ ନେଇ ସେଠାରେ ଶାରୀରିକ ସମ୍ପର୍କ ରଖିଥିଲା। ଏହାର ଫଟୋ ଓ ଭିଡିଓ ଉତ୍ତୋଳନ କରି ବ୍ଲାକ୍ମେଲିଂ କରିବା ସହ ବିଭିନ୍ନ ସମୟରେ ଦୁଷ୍କର୍ମ କରିଥିଲା। ଛାତ୍ରୀ ଗର୍ଭବତୀ ହେବା ପରେ ଗର୍ଭପାତ କରାଇବା ପାଇଁ ୨୦୨୫ ମେ’ରେ ସିଡିଏ ସେକ୍ଟର-୯ ଗଣେଶ ପ୍ୟାଲେସ୍ ନିକଟରେ ଏକ ଭଡ଼ାଘରେ ରଖିଥିଲା ଅଭିଯୁକ୍ତ।
ସୌଜନ୍ୟ ସମ୍ବାଦ