Breaking News

କ୍ରାଇମରେ ଦେଶରେ ଏକ ନମ୍ବର ଓଡ଼ିଶା

0

ଭୁବନେଶ୍ୱର: କ୍ରାଇମରେ ଦେଶରେ ଏକ ନମ୍ବର ହେଉଛି ଓଡ଼ିଶା । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବଢୁଛି ଅପରାଧ । ନିର୍ଯାତନା ସହ ଅସଦାଚରଣରେ ବି ଟପରେ ଓଡ଼ିଶା । ଦୁଷ୍କର୍ମ ଆଦି ମାମଲାରେ ଓଡ଼ିଶାର ସ୍ଥିତି ଚିନ୍ତାଜନକ । ରାଜ୍ୟରେ ବଢ଼ିଚାଲିଛି ମହିଳାଙ୍କ ଉପରେ ନିର୍ଯାତନା ମାମଲା । ଅପରାଧିକ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ଢେର କମ୍ । ତଥ୍ୟ କହୁଛି ହତ୍ୟାରେ ଦେଶରେ 9 ନମ୍ବରରେ ଓଡ଼ିଶା। ସଂଖ୍ୟା ହେଉଛି 1394 । ହତ୍ୟା ଉଦ୍ୟମରେ ମୋଟ୍ 5062 ମାମଲା ସହିତ ଦେଶରେ ଓଡ଼ିଶାର ସ୍ଥାନ ତୃତୀୟରେ । ଦୁଷ୍କର୍ମରେ ସପ୍ତମ ସ୍ଥାନରେ ଓଡ଼ିଶା ।

ସେହିଭଳି 14 ହଜାର 853 ମାମଲା ସହିତ ମହିଳା ଅସଦାଚରଣରେ ଟପରେ ଓଡ଼ିଶା । ଯୌତୁକ ଜନିତ ମୃତ୍ୟୁରେ ବି ଓଡ଼ିଶା 6 ନମ୍ବରରେ । ସେହିଭଳି ଅପହରଣ ମାମଲାରେ ଓଡ଼ିଶାର ରାଙ୍କ 8ରେ । ସେପଟେ ଅପରାଧ କ୍ଷେତ୍ରରେ ଓଡ଼ିଶାର ଦଣ୍ଡବିଧାନ ହାର ମାତ୍ର 5.7 ପ୍ରତିଶତ। ମହିଳା ଅପରାଧ କ୍ଷେତ୍ରରେ ଏହା 8.3 ପ୍ରତିଶତ । ବିଭିନ୍ନ ମାମଲାର ତ୍ୱରିତ ଫଏସଲା ସହ ଦଣ୍ଡବିଧାନ ହାର ଯେଭଳି ଅଧିକ ରହିବ ସେଥିଘେନି ସରକାରୀ ସ୍ତରରେ ବାରମ୍ବାର ବୈଠକ କରାଯାଇ ନିର୍ଦ୍ଦେଶ ଦିଆଯାଉଥିବାବେଳେ ଜାତୀୟ ସ୍ତରରେ ଏ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ଦୁର୍ବଳ ରହିବା ଉଦବେଗ ସୃଷ୍ଟି କରିଛି ।

କେବଳ ସେତିକି ନୁହେଁ ମାମଲା ଫଏସଲା କ୍ଷେତ୍ରରେ ମଧ୍ୟ ଆମ ରାଜ୍ୟର ପ୍ରଦର୍ଶନ ସେତେ ଭଲ ନୁହେଁ । ବିଚାର ପ୍ରତୀକ୍ଷାରେ ଥିବା ଅଧିକାଂଶ ଅପରାଧିକ ମାମଲାର ୧୦ ପ୍ରତିଶତ ମଧ୍ୟ ଗୋଟିଏ ଗୋଟିଏ ବର୍ଷରେ ଶେଷ ହୋଇପାରୁନାହିଁ । ବିଧାନସଭାରେ ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ରାଜ୍ୟର ବିଭିନ୍ନ ଆଇନ୍‍ ଅଦାଲତରେ ପ୍ରାୟ ୧୭ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି, ଯେଉଁଥିରୁ ପାଖାପାଖି ୧୧ଲକ୍ଷ ହେଉଛି ଅପରାଧିକ ମାମଲା ।

Leave A Reply

Your email address will not be published.