Crocodile Fear : ନଦୀରେ ମାଜୁଥିଲେ ବାସନ, ମହିଳାଙ୍କୁ ଟାଣି ନେଇଗଲା କୁମ୍ଭୀର

କେନ୍ଦ୍ରାପଡ଼ା ୧୪।୦୫ : ରଖେ ହରି ତ ମାରେ କିଏ ? ଉକ୍ତିଟି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅଂଚଳର ଛବି ପାତ୍ରଙ୍କ ପାଇଁ ଖୁବ୍ ପ୍ରଯୁଜ୍ୟ l ନଦୀରେ ବାସନ ମାଜୁଥିବା ବେଳେ ଛବିଙ୍କୁ ଟାଣି ନେଇଥିଲା କୁମ୍ଭୀର। ଭାଗ୍ୟ ଜୋର ଥିବାରୁ ସେ କୁମ୍ଭୀର ମୁହଁରୁ ଖସି ଆସିଛନ୍ତି। ମହାକାଳପଡ଼ା ଜଙ୍ଗଲଘେରୀ ଗାଁର ଛବି ପାତ୍ର କୁମ୍ଭୀର ମୁହଁରୁ ବର୍ତ୍ତୀ ଯାଇଛନ୍ତି।

ଖବର ଅନୁଯାୟୀ, ଗାଁ ନିକଟ ରାମଚଣ୍ଡି ଗଳିଆ ନଦୀରେ ବାସନ ମାଜୁଥିବା ବେଳେ କୁମ୍ଭୀରଟି ହଠାତ୍ ତାଙ୍କର ପେଟ ଓ ହାତକୁ କାମୁଡି ପାଣି ଭିତରକୁ ଟାଣି ନେଇଥିଲା। କୁମ୍ଭୀର ଟାଣିନେବା ସମୟରେ ମହିଳା ଜଣଙ୍କ ଛାଟିପିଟି ହୋଇ କୁମ୍ଭୀର ମୁହଁରୁ ରକ୍ଷାପାଇ ଯାଇଥିଲେ l ଗୁରୁତର ଆହାତ ମହିଳା ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରି ଭାରରେ ଛପାଲି – ରାମନଗର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ। ଖବରପାଇ ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ପହଁଚି ମହିଳାଙ୍କୁ ପୋଲିସ ଭ୍ୟାନରେ ବସାଇ ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ମହିଳାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

 

 

ସୌଜନ୍ୟ Prameya News7