Breaking News

ଗ୍ରାହକଙ୍କୁ ମୋବାଇଲ୍ ନମ୍ବର ପାଇଁ ବାଧ୍ୟ କରାଯାଇପାରିବନି; ଦଣ୍ଡନୀୟ ଅପରାଧ: ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ

0

ନୂଆଦିଲ୍ଲୀ: ମଲ୍ ଓ ସଂଗଠିତ ଖୁଚୁରା ଦୋକାନରେ ସପିଙ୍ଗ୍‌ ସାରି ବିଲ୍‌ କରିବା ବେଳେ ମୋବାଇଲ୍‌ ଫୋନ୍ ନମ୍ବର ଦେବା ଏକ ସାଧାରଣ କଥାରେ ପରିଣତ ହୋଇଛି। ମୋବାଇଲ୍‌ ନମ୍ବର ଦେବା ପରେ ବିଲ୍‌ ହେଉଛି ଓ ସେହି ନମ୍ବର ଆଧାରରେ ନିଜ ପ୍ରଚାରଧର୍ମୀ ମେସେଜ୍‌ଗୁଡ଼ିକୁ ପଠାଇବା କଂପାନିଗୁଡ଼ିକ ଲାଗି ସହଜ ହୋଇଛି। ସପିଙ୍ଗ୍‌ ବେ‌ଳେ ମୋବାଇଲ୍‌ ନମ୍ବର ଦେବାକୁ ଗ୍ରାହକଙ୍କୁ ବାଧ୍ୟ ନକରିବା ଲାଗି ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଦୋକାନିମାନଙ୍କୁ କୁହାଯାଇଛି। ମନ୍ତ୍ରାଳୟ କହିଛି ଯେ ଗ୍ରାହକଙ୍କୁ ମୋବାଇଲ ନମ୍ବର ମାଗିବା ଏକ ଖରାପ ଅଭ୍ୟାସ ଓ ଆଇଟି ନିୟମ ଆଧାରରେ ତାହା ଦଣ୍ଡନୀୟ ଅପରାଧ। ଏ ସଂକ୍ରାନ୍ତରେ ଉପଭୋକ୍ତା ବ୍ୟାପାର ସଚିବ ରୋହିତ କୁମାର ସିଂହ ଦେଶର ପ୍ରମୁଖ ଶିଳ୍ପ ସଂଘ ଯଥା‌ ସିଆଇଆଇ, ଫିକି, ସିଏଆଇଟି, ଆସୋଚାମ୍ ଓ ଭାରତୀୟ ରିଟେଲର ସଂଘକୁ ଚିଠି ଲେଖିଛନ୍ତି।

ସେ ଜଣାଇଛନ୍ତି ଯେ କୌଣସି ଜିନିଷ କିଣିବା ବେଳେ କିମ୍ବା ସେବା ହାସଲ କରିବା ବେଳେ ଗ୍ରାହକଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କୁ ମୋବାଇଲ୍‌ ନମ୍ବର ମାଗିବା ହେଉଛି ତାଙ୍କ ଅଧିକାରର ଉଲ୍ଲଂଘନ। ମୋବାଇଲ୍‌ ନମ୍ବର ଦେବା ଦ୍ବାରା ଅନିଚ୍ଛା ସତ୍ତ୍ବେ ଗ୍ରାହକମାନେ ନିଜ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରୁଛନ୍ତି। ସେହି ନମ୍ବର ଆଧାରରେ ତାଙ୍କ ଫୋନ୍‌କୁ ବାରମ୍ବାର ଅଦରକାରୀ ମାର୍କେଟିଂ ମେସେଜ୍ ଓ କଲ୍ ଆସୁଛି। ସୂଚନା ପ୍ରଯୁକ୍ତି ନିୟମର ଧାରା ୭୨-ଏରେ ଥିବା ବ୍ୟବସ୍ଥା ବିଷୟରେ ବର୍ଣ୍ଣନା କରି ସଚିବ ଜଣାଇଛନ୍ତି ଯେ କିଣାବିକା ବେଳେ ଗ୍ରାହକଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କୁ ମୋବାଇଲ୍‌ ନମ୍ବର ମାଗିବା ହେଉଛି ଆଇନଗତ ଚୁକ୍ତିର ଉଲ୍ଲଂଘନ ଏବଂ ତାହା ହେଉଛି ଦଣ୍ଡନୀୟ ଅପରାଧ।

Leave A Reply

Your email address will not be published.