ଦେଶ ବିଦେଶପାଣିପାଗ

Delhi: ୩ ଦିନ ଯାଏଁ ଭୀଷଣ ଗ୍ରୀଷ୍ମପ୍ରବାହ: ୪୬ ଡିଗ୍ରି ଛୁଇଁପାରେ ଦିଲ୍ଲୀ ତାପମାତ୍ରା

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାବେଳେ ଦିଲ୍ଲୀ -ଏନ୍‌ସିଆର୍‌ରେ ତାପମାତ୍ରା ବୁଧବାର ୪୬ ଡିଗ୍ରି ଛୁଇଁପାରେ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସତର୍କ କରାଇ ଦେଇଛି ଯେ ବୁଧବାର ଦିଲ୍ଲୀରେ ତାପମାତ୍ରା ପ୍ରାୟ ୪୬ ଡିଗ୍ରି ସେଲସିୟସ୍ ଛୁଇଁବ। ଆଇଏମ୍‌ଡି ପକ୍ଷରୁ ଦିଲ୍ଲୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଚଣ୍ଡିଗଡ଼ରେ ସପ୍ତାହ ମଧ୍ୟରେ ପ୍ରବଳ ଗ୍ରୀଷ୍ମ ସମ୍ଭାବନା ଅଛି। ତେବେ ଅପରାହ୍ଣ ଓ ସନ୍ଧ୍ୟା ସମୟରେ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି।

ଦିଲ୍ଲୀ ସଫଦରଜଙ୍ଗ ପର୍ଯ୍ୟବେକ୍ଷଣାଗାରରେ ସର୍ବାଧିକ ତାପମାତ୍ରା ୪୫.୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା। ରିଜ୍‌ ଷ୍ଟେସନରେ ୪୬.୫ ଡିଗ୍ରି, ଆୟାନଗରରେ ୪୫.୫ ଡିଗ୍ରି ଓ ଲୋଧି ରୋଡରେ ତାପମାତ୍ରା ୪୫.୨ ଡିଗ୍ରି ରହିଥିଲା। ତାପମାତ୍ରା ବୃଦ୍ଧି ଯୋଗୁ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାକଙ୍କ (ଏକ୍ୟୁଆଇ) ମଙ୍ଗଳବାର ଅପରାହ୍ଣ ୪ଟାରେ ୨୦୮ରେ ପହଞ୍ଚି ଥିଲା। ଏପ୍ରିଲ ୨୮ ତାରିଖ ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ଗତକାଲି ସବୁଠୁ ଖରାପ ରହିଥିଲା। ମଙ୍ଗଳବାର ଦିଲ୍ଲୀ ବର୍ଷର ଚତୁର୍ଥ ଉଷ୍ଣ ଦିନ ଥିଲା।

ଦିଲ୍ଲୀ ବ୍ୟତୀତ ମଧ୍ୟପ୍ରଦେଶ, ପୂର୍ବ ମହାରାଷ୍ଟ୍ର, ରାଜସ୍ଥାନ ଓ ଛତିଶଗଡ଼ରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଛି। ମଙ୍ଗଳବାର ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳ ସ୍ଥିତ ବାନ୍ଦା ଜିଲ୍ଲାରେ ୪୮.୨ ଡିଗ୍ରି ତାପମାତ୍ରା ରେକର୍ଡ଼ ହୋଇଥିବାବେଳେ ଏହା ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ହୋଇ ରହିଛି। ଏହି ଉଚ୍ଚ ତାପମାତ୍ରା କେବଳ ୭୫ ବର୍ଷର ରେକର୍ଡ ଭାଙ୍ଗିନାହିଁ ବରଂ ବାନ୍ଦାକୁ ବିଶ୍ୱର ସବୁଠାରୁ ଉତ୍ତପ୍ତ ସ୍ଥାନମାନଙ୍କ ତାଲିକାରେ ସାମିଲ କରିଛି।

ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲା ୪୮.୨ ଡିଗ୍ରି ତାପମାତ୍ରା ସହିତ ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ

ପଶ୍ଚିମ ଓ ପୂର୍ବ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶରେ ମେ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହିବ। ଗୁଜରାଟରେ ମେ ୨୦ ପରଠାରୁ ତାପମାତ୍ରା ୨-୩ ଡିଗ୍ରି ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଛି।ଅନ୍ୟପକ୍ଷରେ ଦକ୍ଷିଣ ଓ ଉତ୍ତରପୂର୍ବ ଭାରତରେ ବର୍ଷା ହୋଇଛି। ମେ ୨୨ ତାରିଖରୁ ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡ-ମଣିପୁର-ମିଜୋରାମ-ତ୍ରିପୁରା କ୍ଲଷ୍ଟରରେ ବର୍ଷା ବୃଦ୍ଧି ପାଇବ ବୋଲି ଆଇଏମଡି ଆକଳନ କରିଛି। ଭାରତର ଦକ୍ଷିଣ ଭାଗରେ ଝଡ଼ ଓ ପ୍ରବଳ ବର୍ଷା ଲାଗି ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟ ପୂର୍ବରୁ ମେ ୨୬ ରେ ପହଞ୍ଚିବାକୁ ଯାଉଥିବାରୁ କେରଳରେ ପ୍ରାୟ ପ୍ରତିଦିନ ପ୍ରବଳ ବର୍ଷା ହେଉଛି। ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାରେ ମେ ୧୯ ରେ ଗୋଟିଏ ଦିନରେ ୧୬ ସେମି ବର୍ଷା ରେକର୍ଡ କରାଯାଇଛି। ଉପକୂଳ କର୍ଣ୍ଣାଟକ, ଲକ୍ଷଦ୍ୱୀପ ଓ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ପ୍ରବଳ ଝଡ଼ ପବନ ସହିତ ପ୍ରବଳ ବର୍ଷା ହୋଇଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button