ଦେଶ ବିଦେଶ

Delhi is in trouble: କଲବଲ ହେଉଛି ଦିଲ୍ଲୀ: ସାଂଘାତିକ ସ୍ତରରେ ଏକ୍ୟୁଆଇ, ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ

ବାୟୁ ପ୍ରଦୂଷଣ ଓ ଘନ କୁହୁଡ଼ି ଆଜି ଦିଲ୍ଲୀବାସୀଙ୍କୁ କଲବଲ କରିଛି। ସୋମବାର ସକାଳେ ଦିଲ୍ଲୀ ଓ ଏହାର ନିକଟସ୍ଥ ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଯାଇଥିଲା। ବାୟୁର ମାନ ଅତି ସାଂଘାତିକ ଶ୍ରେଣୀକୁ ଚାଲିଯାଇଥିଲା।

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଓ ଘନ କୁହୁଡ଼ି ଆଜି ଦିଲ୍ଲୀବାସୀଙ୍କୁ କଲବଲ କରିଛି। ସୋମବାର ସକାଳେ ଦିଲ୍ଲୀ ଓ ଏହାର ନିକଟସ୍ଥ ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଯାଇଥିଲା। ବାୟୁର ମାନ ଅତି ସାଂଘାତିକ ଶ୍ରେଣୀକୁ ଚାଲିଯାଇଥିଲା। ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା ଖୁବ୍‌ କମ୍‌ ଥିଲା। ଏଥିପାଇଁ ଉଭୟ ବିମାନ ଓ ରେଳ ଚଳାଚଳ ବହୁମାତ୍ରାରେ ପ୍ରଭାବିତ ହୋଇଛି। ଦିଲ୍ଲୀରେ ୨୨୮ ବିମାନ ବାତିଲ ହୋଇଥିବାବେଳେ ୪୦୦ ବିମାନର ଚଳାଚଳ ବିଳମ୍ବ ହୋଇଛି। ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ପରାମର୍ଶାବଳୀ ଜାରି ହୋଇଛି। ଏକ୍ସରେ ବିମାନବନ୍ଦର ପକ୍ଷରୁ କୁହାଯାଇଛି ଯେ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ପ୍ରଭାବିତ ହୋଇପାରେ। ଯାତ୍ରୀମାନଙ୍କ ଅସୁବିଧା ନ ହେବା ପାଇଁ ଆମେ ସମସ୍ତ ପକ୍ଷଙ୍କ ସହ କାମ କରୁଛୁ। ସଦ୍ୟ ସୂଚନା ପାଇଁ ଯାତ୍ରୀମାନେ ସେମାନଙ୍କ ବିମାନ ସେବା ପ୍ରଦାନକାରୀ ସଂସ୍ଥା ସହ ଯୋଗାଯୋଗ କରନ୍ତୁ। ସେହିଭଳି ଘନ କୁହୁଡ଼ି ଯୋଗୁ ଟ୍ରେନ୍‌ ଚଳାଚଳ ବି ପ୍ରଭାବିତ ହୋଇଛି। ଦିଲ୍ଲୀରେ ୯୦ରୁ ଅଧିକ ଟ୍ରେନ୍‌ ପ୍ରାୟ ୬ରୁ ୭ ଘଣ୍ଟା ବିଳମ୍ବରେ ଚଳାଚଳ କରିଛି।
ଦିଲ୍ଲୀରେ ବାୟୁ ମାନ ଲଗାତାର ତୃତୀୟ ଦିନରେ ସାଂଘାତିକ ଶ୍ରେଣୀରେ ରହିଛି। ୪ଟି ମନିଟରିଂ ଷ୍ଟେସନ୍‌ ଯଥା ଅଶୋକ ବିହାର, ଜାହାଙ୍ଗିରପୁରୀ, ରୋହିଣୀ, ୱାଜିପୁରରେ ସୋମବାର ସକାଳ ୭ଟା‌ରେ ଏକ୍ୟୁଆଇ ୫୦୦ ଥିଲା। ଏକ୍ୟୁଆଇ ଲଗାତାର ଖରାପ ହେବାରେ ଲାଗିଥିବାରୁ ବିଦେଶୀ ରାଷ୍ଟ୍ରଗୁଡ଼ିକ ଦିଲ୍ଲୀ ସମେତ ଉତ୍ତର ଭାରତରେ ରହୁଥିବା ସେମାନଙ୍କର ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶାବଳୀ ଜାରି କରିଛନ୍ତି। ବ୍ରିଟେନ, କାନାଡା ଓ ସିଙ୍ଗାପୁର ସେମାନଙ୍କ ନାଗରିକଙ୍କୁ ସତର୍କ କରିଛନ୍ତି।

ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁ ଏକାଧିକ ବିମାନ ବାତିଲ ହୋଇଥିବାରୁ ନୂଆଦିଲ୍ଲୀ ସ୍ଥିତ ସିଙ୍ଗାପୁର ହାଇକମିସନ ନାଗରିକଙ୍କୁ ବିମାନର ସଦ୍ୟତମ ସ୍ଥିତି ଅନୁଧ୍ୟାନ ପାଇଁ କହିଛି। ଭାରତରେ କର୍ତ୍ତୃପକ୍ଷ ଦିଲ୍ଲୀ ବାସିନ୍ଦା, ବ‌ିଶେଷ କରି ଶିଶୁ ଓ ଯେଉଁମାନଙ୍କର ଶ୍ବାସ ଜନିତ ସମସ୍ୟା ଅଛି ସେମାନଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିଥିବାରୁ ଏହାକୁ ମାନିବାକୁ ସିଙ୍ଗାପୁର ହାଇ କମିସନ୍‌ ଦିଲ୍ଲୀରେ ରହୁଥିବା ତାଙ୍କ ଦେଶର ନାଗରିକଙ୍କୁ ଅନୁରୋଧ କରିଛି।

୨୨୮ ବିମାନ ବାତିଲ, ୪୦୦ ବିଳମ୍ବ
ନାଗରିକଙ୍କୁ ସତର୍କ କଲେ ସିଙ୍ଗାପୁର, ବ୍ରିଟେନ୍‌ ଓ କାନାଡା
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ୱେରେ ୨୦ ଗାଡ଼ି ପଛକୁ ପଛ ଧକ୍କା
୨ ପୁଲିସ ଅଫିସରଙ୍କ ସମେତ ୪ ମୃତ, ୨୦ ଗୁରୁତର
ନର୍ସରିରୁ ପଞ୍ଚମ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ପାଠପଢ଼ା 

ଏହା ପୂର୍ବରୁ ବ୍ରିଟେନ୍‌ର ବିଦେଶ, ରାଜ୍ୟଗୋଷ୍ଠୀ ଓ ବିକାଶ କାର୍ଯ୍ୟାଳୟ କହିଥିଲା ଯେ ଗର୍ଭବତୀ ମହିଳା ଏବଂ ଶ୍ବାସଜନିତ ସମସ୍ୟା ଥିବା ଲୋକମାନେ ଭାରତ ଗସ୍ତ କରିବା ପୂର୍ବରୁ ଜଣେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ। କାନାଡା ମଧ୍ୟ ଏହାର ନାଗରିକଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି। ବାୟୁର ମାନ ନିୟମିତ ଯାଞ୍ଚ କରିବା ପାଇଁ ଏବଂ ବିଶେଷ କରି ଶ୍ବାସ ଜନିତ ସମସ୍ୟା ଥିବା ଲୋକମାନେ ସତର୍କ ରହିବା ପାଇଁ କାନାଡା ନିର୍ଦ୍ଦେଶାବଳୀରେ କହିଛି। ଘନ କୁହୁଡ଼ି ଯୋଗୁ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ସୋମବାର ସକାଳେ ୨୦ ଗାଡ଼ି ପଛକୁ ପଛ ଧକ୍କା ହୋଇଛି। ଭୋର୍‌ ୫ଟା ସମୟ‌‌ରେ ଘଟିଥିବା ଏହି ଦୁର୍ଘଟଣାରେ ୨ ପୁଲିସ ଅଫିସରଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି। ୧୫ରୁ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ  ୨ଟି ଡମ୍ପର ଟ୍ରକ୍‌ ମଧ୍ୟ‌ରେ ପ୍ରଥମେ ଧକ୍କା ହୋଇଥିଲା। ଏହି ସମୟରେ ପଛରୁ ଏକ ପିଜୁଳି ବୋଝେଇ ଟ୍ରକ୍‌ ଆସି ଏଥିରେ ପିଟି ହୋଇଥିଲା। ପିଜୁଳି ବୋଝେଇ ଟ୍ରକ୍‌ ଓଲଟି ପଡ଼ିବା ପରେ ପରିସ୍ଥିତି ବିଗିଡ଼ି ଯାଇଥିଲା। ରାସ୍ତା ସାରା ପିଜୁଳି ପଡ଼ିଯିବା ଫଳରେ ରାସ୍ତା ଖସଡ଼ିଆ ହୋଇଯାଇଥିଲା। କମ୍‌ ଦୃଶ୍ୟମାନ ଯୋଗୁ ପଛକୁ ପଛ ୨୦ରୁ ୨୫ ଗାଡ଼ି ଧକ୍କା ହୋଇଥିଲା।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ତରକୁ ଯିବା ପରେ ସୁପ୍ରିମ୍‌କୋର୍ଟ ଆଜି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଦିଲ୍ଲୀ‌‌ରେ ବିଗୁଡ଼ୁଥିବା ବାୟୁ ମାନ ସଂପର୍କରେ ଆସନ୍ତା ୧୭ ତାରିଖରେ ଶୁଣାଣି କରି ବାସ୍ତବ ଏବଂ କାର୍ଯ୍ୟକାରୀ ହୋଇ ପାରୁଥିବା ଭଳି ଉପଯୁକ୍ତ ଆଦେଶ ପ୍ରଦାନ କରିବେ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଓ ବିଚାରପତି ବିପୁଲ ଏମ୍‌ ପାଞ୍ଚୋଲି ବରିଷ୍ଠ ଆଇନଜୀବୀ ତଥା ଆମିକସ କ୍ୟୁରି ଅପରାଜିତା ସିଂହଙ୍କ ପକ୍ଷରୁ ଦାଖଲ ଆବେଦନକୁ ଗ୍ରହଣ କରିଥିଲେ। ଅପରାଜିତା କହିଥିଲେ ଯେ ଯଦିଓ ପ୍ରତିଷେଧମୂଳକ ବ୍ୟବସ୍ଥା ରହିଛି, କର୍ତ୍ତୃପକ୍ଷ ସେଗୁଡ଼ିକୁ ଠିକ୍‌ରେ କାର୍ଯ୍ୟକାରୀ କରୁନାହାନ୍ତି। ସୁପ୍ରିମ୍‌କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ସତ୍ତ୍ବେ କେତେକ ବିଦ୍ୟାଳୟରେ କ୍ରୀଡ଼ା କାର୍ଯ୍ୟକ୍ରମ ଚାଲିଛି। ତେଣୁ ପିଲାମାନଙ୍କୁ ମଧ୍ୟ ସୁରକ୍ଷା ନାହିଁ। ସୁପ୍ରିମକୋର୍ଟ ଯେଉଁସବୁ କାର୍ଯ୍ୟକଳାପକୁ ବନ୍ଦ କରିଛନ୍ତି ସେହି ସେହି କାର୍ଯ୍ୟଗୁଡ଼ିକ ହେଉଛି ବୋଲି ଅପରାଜିତା ଖଣ୍ଡପୀଠଙ୍କୁ ଅବଗତ କରିବା ସହିତ ତୁରନ୍ତ ଶୁଣାଣି ଚାହିଥିଲେ। ଏସବୁ ଶୁଣିବା ପରେ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି ଆସନ୍ତା ବୁଧବାର ଦିନ କରିବେ ବୋଲି କହିଥିଲେ। ପ୍ରଦୂଷଣର ବୋଝ ଗରିବଙ୍କୁ ଅଧିକ ମାତ୍ରାରେ ପଡ଼ିଥାଏ। କିନ୍ତୁ ସମସ୍ୟା ମୁଖ୍ୟତଃ ଧନିକ ବର୍ଗରୁ ଆସିଥାଏ। ଆଦେଶ ଦେବା ସମୟରେ ତାହା ଗରିବ ଲୋକଙ୍କୁ କିଭଳି ପ୍ରଭାବିତ କରିବ ତାହାକୁ ଦେଖିବାକୁ ପଡ଼ିବ। ଗ୍ରାପ୍‌-୪ କାର୍ଯ୍ୟକାରୀ ହେବା ପରେ ନିର୍ମାଣ ଶ୍ରମିକମାନେ କାମ ପାଉନାହାନ୍ତି ବୋଲି ଆମିକସ କ୍ୟୁରି କହିବା ପରେ ସୁପ୍ରିମକୋର୍ଟ ଏହା କହିଥିଲେ। ଅନ୍ୟପକ୍ଷରେ ଦିଲ୍ଲୀରେ ନର୍ସରିରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ପାଠପଢ଼ା ହେବ ବୋଲି ଦିଲ୍ଲୀ ସରକାର ଆଜି କହିଛନ୍ତି। ପରବର୍ତ୍ତୀ ନୋଟିସ୍‌ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି କୁହାଯାଇଛି।

 

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button